ରାଜ୍ୟ

ସ୍ୱାଧୀନତା ଆନ୍ଦୋଳନ ସମୟରେ ହାକିମଙ୍କୁ ମାଡ଼ ମାରିଥିଲେ ଶାରଦା ବାବୁ, ୧୪ ବର୍ଷ ବୟସରେ ଯାଇଥିଲେ ଜେଲ୍

ଦ୍ରକ (ପ୍ରଭାତ ଦାଶ): ସଂଗ୍ରାମର ମାଟି ଭଦ୍ରକ । ଦେଶ ସ୍ୱାଧୀନତା ପାଇଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅବଦାନ ଅତୁଳନୀୟ ଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ହେଉକି ଧାମନଗରର ସହିଦ ନଗର ସବୁ ଘଟଣାର କାହାଣୀ ଏବେବି ଲୋମଟାଙ୍କୁରା ହୋଇ ରହିଛି। ଦେଶ ସ୍ୱାଧୀନତା ପାଇଁ ଯେଉଁ କେତେଜଣ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିଲେ, ସେମାନଙ୍କ ଭିତରେ ଶାରଦା ପ୍ରସାଦ ରାୟ ଥିଲେ ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।

ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତ ତୋଳମତୋଳା ଗ୍ରାମରେ ଶାରଦା ବାବୁଙ୍କ ଘର । ହାକିମ ପରି ଚେହେରା । ଇଂଗ୍ରେଜକୁ ତଡ଼ିବାକୁ ୧୪ ବର୍ଷରୁ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେତେବେଳେ ଜଣେ ସଦସ୍ୟ ନ ଥିଲେ, ସେ ନେତୃତ୍ୱ ନେଇଥିଲେ । ବିଭିନ୍ନ ବଣ ଜଙ୍ଗଲରେ ରହି ପ୍ରଜାମେଳି କରୁଥିଲେ । ଲୋକଙ୍କୁ ଇଂରେଜ ବିରୋଧରେ ଲଢେଇ ପାଇଁ ସାହସ ଦେଉଥିଲେ । ଶାରଦା ବାବୁଙ୍କ ବାବଦରେ ବ୍ରିଟିଶ ପୁଲିସ ସବୁ ତଥ୍ୟ ଜାଣି ମଧ୍ୟ ତାଙ୍କୁ ଧରିବାରେ ସକ୍ଷମ ହେଉ ନ ଥିଲେ । ଭାରତଛାଡ଼ ଆନ୍ଦୋଳନ ବେଳେ ବ୍ରିଟିଶ ପୁଲିସ ତୋଳମତୋଳା ଗଲା । ଶାରଦା ବାବୁ ଜାଣିଗଲେ ଆଉ ଘର ନିରାପଦ ନୁହଁ । ପରିବାରଠୁ ସେ ଲୁଚି ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଇରମରୁ ଇଞ୍ଚୁଡ଼ି, ପୁଣି ମୟୂରଭଞ୍ଜ ପର୍ଯ୍ୟନ୍ତ ସେ ପ୍ରଜାମେଳିର ନେତୃତ୍ୱ ନେଉଥିଲେ । ପୁଲିସ ତାଙ୍କ ଧରିବାକୁ ଜାଲ ବିଛାଇ ବାରବାର ବିଫଳ ହେଉଥିଲା । ଶେଷରେ ୧୯୪୬ ଏପ୍ରିଲ ମାସରେ ବାସୁଦେବପୁର ପଦ୍ମପୁରରେ ପ୍ରଜାମେଳି ପାଇଁ ଶାରଦା ବାବୁ ବଡ଼ ଆୟୋଜନ କରିଥିଲେ । ଏହି ମେଳିକୁ ସେ ପାଦଚଲା ରାସ୍ତା ଦେଇ ଆସୁ ଆସୁ କିଆପଡ଼ାରେ ବ୍ରିଟିଶ ପୁଲିସ ଧରି ନେଇଥିଲା ।

୧୪ ବର୍ଷରେ ପୁଲିସ ତାଙ୍କୁ ନେଇ ବାଲେଶ୍ୱର ଜେଲରେ ରଖିଥିଲା । ଦୋଷ ମାନିଗଲେ ଛଡ଼ା ଯିବ । ତୁମେ ନାବାଳକ ହୋଇଥିବାରୁ ଜେଲ ଦଣ୍ଡ ହେବନି । ସତକଥା ମାନିଯାଅ । ଇରମର ସଂଗ୍ରାମୀ କମଳାକାନ୍ତ କରଙ୍କ ବାବଦରେ କଣ ଜାଣିଛ କୁହ । ଏଭଳି କଥା କାଢିବାକୁ ହାକିମ ବାବୁ ଆଗରେ ପୁଲିସ ଛିଡ଼ା କରାଇଥିଲା । ହାକିମ ବାବୁଙ୍କ ହିନ୍ଦୁସ୍ଥାନ ବିରୋଧରେ ବୟାନ ଶୁଣି ସେ ତାତି ଯାଇଥିଲେ । ଭାରତମାତା କୀ ଜୟ କହି ହାକିମାଙ୍କୁ ମାଡ଼ ମାରିଥଲେ । ପୁଲିସ ଦ୍ୱାରା ଭଦ୍ରକ ମହତାବ କୋଠିରେ ଅଟକ ଥିବା ଶାରଦାଙ୍କୁ ପୁଣି ଗିରଫ କରି ବାଲେଶ୍ୱର ଜେଲରେ ରଖାଯାଇଥିଲା । ୨ ମାସ ରହିବା ଭିତରେ ଅନ୍ତେବାସୀଙ୍କୁ ଏକାଠି କରିଥିଲେ । ସ୍ୱାଧୀନତା ପାଇଁ ଲଢେଇ ଚାଲିଥିଲା । ପରେ ତାଙ୍କୁ ତିହାର ଜେଲ ଯିବାକୁ ପଡ଼ିଥିଲା । ସେଠାରେ ୧୨ ମାସ ରହିଲେ । ଜେଲରୁ ମୁକୁଳିବା ବେଳକୁ ଭାରତରୁ ଇଷ୍ଟଇଣ୍ଡିଆ କମ୍ପାନି ବିଦା ହୋଇ ସାରିଥିଲା ।

୪ ଭାଇ ଭିତରେ ସବା ସାନ ଥିଲେ ଶାରଦା ପ୍ରସାଦ ରାୟ । ବଡ଼ ଭଇ ବରଦା ପ୍ରସାଦ ରାୟ ବି ସଂଗ୍ରାମୀ ଥିଲେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ । ୧୪ ବର୍ଷ ବୟସରେ ଘର ଛାଡ଼ି ଦେଇଥିଲେ । ଲୁଚିକି ଯାଇଥିଲେ । ଇରମ ଗୁଳିକାଣ୍ଡରେ ମାଡ଼ ଖାଇଥିଲେ । ତାଙ୍କ ସାନ ପୁଅ ମହେଶ ଚନ୍ଦ୍ର ରାୟଙ୍କ କହିବାନୁଯାୟୀ, କରୋନା ପାଇଁ ବାପାଙ୍କର ବଡ଼ ଅବଶୋଷ ରହିଗଲା । ସେ ରାଷ୍ଟ୍ରପତି ଭବନ ଯାଇପାରିଲେ ନାହିଁ । ୨୦୨୧ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଭାବେ ରାଷ୍ଟ୍ରପତି ସ୍ୱତନ୍ତ୍ର ସୈନିକ ସମ୍ମାନ ପାଇଥିଲେ । ହେଲେ କଟକଣା ପାଇଁ ରାଷ୍ଟ୍ରପତି ଭବନ ମନା ଥିଲା । ଭଦ୍ରକର ତତ୍କାଳୀନ ଜିଲ୍ଲାପାଳ ଜ୍ଞାନ ଦାସଙ୍କଠାରୁ ରାଷ୍ଟ୍ରପତିଙ୍କ ସମ୍ମାନ ଗ୍ରହଣ କରିଥିଲେ । ବୋଧହୁଏ ବାପା ଏହି ସମ୍ମାନ ପାଇଁ ଅପେକ୍ଷା କରିଥିଲେ । ଏହା ପରେ ପରେ ତାଙ୍କର ପରଲୋକ ହୋଇଥିଲା ।

ବହୁ ବିଳମ୍ବରେ ଭାରତ ସରକାର ତାଙ୍କୁ ଏହି ସମ୍ମାନ ଦେଇଥିବା ତାଙ୍କ ପରିବାର ପ୍ରକାଶ କରିଛନ୍ତି । ୪ ପୁଅ ଓ ୨ ଝିଅଙ୍କୁ ନେଇ ତାଙ୍କ ପରିବାର । ସେମାନେ ହେଲେ କିଶୋର ଚନ୍ଦ୍ର ରାୟ, ସୁବାସ ଚନ୍ଦ୍ର ରାୟ, ରାମଚନ୍ଦ୍ର ରାୟ, ସାନ ପୁଅ ମହେଶ ଚନ୍ଦ୍ର ରାୟ, ମମତାଞ୍ଜଳି ରାୟ, ଜ୍ୟୋତ୍ସ୍ନାରାଣୀ ରାୟ । ପତ୍ନୀ କମଳା କୁମାରୀ ରାୟଙ୍କର ୨୦୨୧ ମସିହା ନଭେମ୍ବର ୬ ତାରିଖରେ ଦେହାନ୍ତ ହୋଇଥିଲା । ପରେ ପରେ ୨୦୨୨ ମସିହା ଜୁନ ୬ ତାରିଖରେ ବାପା ବି ବୋଉଙ୍କ ପଥ ଅନୁସରଣ କଲେ ବୋଲି ସାନପୁଅ ମହେଶ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button