ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଦାସ, ଦେହାନ୍ତର ୮ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ପ୍ରତିମୂର୍ତ୍ତି
ଚନ୍ଦନେଶ୍ୱର (ରାଧାକାନ୍ତ ପ୍ରଧାନ): ଭାରତବାସୀ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଏହି ଐତିହାସିକ ଦିବସ ସହ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲାର ଅନେକ ସ୍ମୃତି । ଥାନା ପୋଡ଼ି, ବିପ୍ଲବୀମାନଙ୍କୁ ଗିରଫ ପରେ ନିର୍ଯାତନା, ଇରମରେ ଜାଲିୱାନା ବାଗର ପୁନରାବୃତ୍ତି, ଭୋଗରାଇ ହାଟରେ ମୁକ୍ତି ସଂଗ୍ରାମର ମେଳି ଏବେ ବି ଅଭୁଲା ।
୧୯୪୨ ମସିହାରେ କଲେଜ ପାଠ ପଡ଼ା ଛାଡ଼ି ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ଭୋଗରାଇ ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଶଙ୍କର ଦାସ । ସ୍ୱାଧୀନତା ସଂଗ୍ରାମୀ ସହିତ ଭୋଗରାଇର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଦେହାନ୍ତକୁ ୮ ବର୍ଷ ବିତିଥିଲେ ବି ଏପର୍ଯ୍ୟନ୍ତ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ ହୋଇପାରିଲା ନାହିଁ । ଏନେଇ ତାଙ୍କ ପୁତ୍ର ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହନ୍ତି ଏକ ଉପଯୁକ୍ତ ସ୍ଥାନର ଅଭାବ ପାଇଁ ପ୍ରତିମୂର୍ତ୍ତି ନିର୍ମାଣ ହୋଇପାରିନାହିଁ । ପୂର୍ବତନ ବିଧାୟକ ଅନନ୍ତ ଦାସ ବହୁ ପ୍ରଚେଷ୍ଟା କରି ସଫଳ ହୋଇ ପାରିନାହାନ୍ତି । ତାଙ୍କର ଜୀବନ, ଅଭିଜ୍ଞତା ଓ ଆଦର୍ଶକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି । ତେବେ ପ୍ରତିମୂର୍ତ୍ତି ମଧ୍ୟ ନିଶ୍ଚିତ ହେବ ।
୧୯୪୨ ଅଗଷ୍ଟ ବିପ୍ଳବ ଡାକରାରେ ଭୋଗରାଇ ମାଟିରେ ତୁମୁଳ ସଂଗ୍ରାମ ଚାଲିଥାଏ । ପ୍ରଥମ ପର୍ଯ୍ୟାୟରେ ଛାତ୍ର ହରତାଳ କରି ଦୁର୍ଗା ଦାସ ବାଲେଶ୍ୱରରେ ଗିରଫ ହୋଇ ୩ ମାସ କାରାଦଣ୍ଡ ଭୋଗିଲେ । ସେପ୍ଟେମ୍ବର ମାସରେ ତରୁଣ ଛାତ୍ର ନେତା ସୁଧାଂଶୁ ପଟ୍ଟନାୟକଙ୍କ ନେତୃତ୍ୱରେ ରାଧାଶ୍ୟାମ, ହାଡ଼ିବନ୍ଧୁ, ଭଗବାନ, ବିଜୟ, ଭାସ୍କର, ନାରାୟଣ, ନୀଳାମ୍ବର, ଜଗନ୍ନାଥ, ସୀତାରାମ, ଭବଶଙ୍କର, ବୃନ୍ଦାବନ, ଅର୍ଜୁନି, କରୁଣାକର, ରାମଚନ୍ଦ୍ର, ଯୁଧିଷ୍ଟିର ଓ ହରଭାଇ ପ୍ରମୁଖ ସ୍ଥାନୀୟ କଂଗ୍ରେସ କର୍ମୀ, ଛାତ୍ର ଓ ଯୁବକମାନେ ଲକ୍ଷ୍ମୀପାଟଣା ଗ୍ରାମର ସଂଗ୍ରାମୀମାନଙ୍କ ସହ ମିଶି ପ୍ରାୟ ୨ହଜାର ଲୋକର ଏକ ବିରାଟ ପଟୁଆର ବାହାରି ଭୋଗରାଇ ହାଟରେ ହରତାଳ କଲେ । ହାଟରେ ସ୍ଥାନୀୟ ପୁଲିସ ସହ ସେମାନଙ୍କର ସଂଘର୍ଷ ହେଲା ।
ବାଲିଆପାଳରୁ ଶ୍ରୀକାନ୍ତ ପାଳ, ଝଡ଼ିନାଥ ଦେ ଓ ବୈକୁଣ୍ଠ ପ୍ରଧାନ ଆସି ଏମାନଙ୍କୁ ସହଯୋଗ ଦେଇଥାନ୍ତି । ପଟୁଆର ଥାନା ପୋଡ଼ିବାକୁ ବାହାରିଥାନ୍ତି । ରସଲପୁର ବାଟେ ଭୁଆବନ୍ଧ ଉପର ଦେଇ ବୁଲି ଲକ୍ଷ୍ମୀପାଟଣା ଗ୍ରାମ ହୋଇ ଥାନା ଆଡ଼େ ପଟୁଆର ଅଗ୍ରସର ହେବାରୁ ପୁଲିସ ବାହିନୀ ସେମାନଙ୍କୁ ବାଧା ଦେଲା । ରାତ୍ରିର ଘନ ଅନ୍ଧକାରରେ ପୁଲିସ ଲାଠିରେ ପିଟିପିଟି ପଟୁଆରକୁ ଛତ୍ରଭଙ୍ଗ କରିଦେଇ ଥିଲା । ଛାତ୍ର ନେତା ଓ କଂଗ୍ରେସ କର୍ମୀମାନଙ୍କୁ ଲକ୍ଷ୍ମୀପାଟଣା ସ୍ଥିତ ଥାନାକୁ ଧରିନେଇ ବେଦମ୍ ପ୍ରହାର କଲେ । ଦାରୁଣ ପ୍ରହାର ଖାଇ ସୁଧାଂଶୁ ମୂର୍ଚ୍ଛା ହୋଇଗଲେ । ଭାସ୍କର ଗୋଡ଼, ମୁଣ୍ଡରେ କଠିନ ଆଘାତ ପାଇ ଗୁରୁତର ହୋଇ ପଡ଼ି ରହିଲେ । ନିଷ୍ଠୁର ପୁଲିସ ଭଗବାନ ଦେ ଉପରେ ବୁଟ୍ ଜୋତା ଏପରି ମାଡ଼ି ଛେଚି ଚାଲିଲେ ଯେ ରକ୍ତ, ବିଷ୍ଠା ତାଙ୍କର ମୁହଁ ବାଟେ ବାନ୍ତି ହେଲା ଏବଂ ଡାକ୍ତରଖାନାରେ ତାଙ୍କର ପ୍ରାଣ ଗଲା ।
ଏହା ଜାଣି ପାରି ଯୋଗେନ୍ଦ୍ର ନାରାୟଣ ଚନ୍ଦ, ଚତୁର୍ଭୁଜ ମହାନ୍ତି ଏବଂ ଦ୍ୱାରକା ନାଥ ଦେ ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତିମାନେ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କ ସାହାଯ୍ୟରେ ଥାନା ଘେରାଉ କରିବାକୁ ଉଦ୍ୟତ ହୁଅନ୍ତେ ବିପ୍ଳବୀମାନଙ୍କୁ ଛାଡ଼ି ଦିଆଗଲା । ପ୍ରାୟ ୨ଶହ ଶୋଭାଯାତ୍ରାକାରୀଙ୍କୁ ଧରିନେଇ ଜେଲ ଦିଆଗଲା ା ଉତ୍ତର ବାରବାଟିଆ ଗ୍ରାମର ରାମକୃଷ୍ଣ ଜେନା ବିପ୍ଳବୀମାନଙ୍କୁ ଆଶ୍ରୟ ଦେବାରୁ ତାଙ୍କୁ ଗିରଫ କରି ଜେଲରେ ଅଟକ ବନ୍ଦୀ ଭାବେ ରଖାଗଲା । ଦଳେ ଶୋଭାଯାତ୍ରାକାରୀ ପଳାଇ ଯାଇ ପୁଣି ସଂଗଠନ ଆରମ୍ଭ କଲେ । ତାଙ୍କୁ ଧରିବା ପାଇଁ ବ୍ୟାପକ ଖାନତଲାସ ଚାଲିଲା । ସନ୍ଦେହ ଯୁକ୍ତ ସମସ୍ତଙ୍କୁ ପୁଲିସ ଗିରଫ କରି ଚାଲାଣ କଲେ । କିନ୍ତୁ ସୁଧାଂଶୁ, ରାଧାଶ୍ୟାମ ଏବଂ ହାଡ଼ିବନ୍ଧୁ ପ୍ରମୁଖ କେତେକ ପୁଲିସ ହାତରୁ ଖସିପଳାଇଲେ । ସେଦିନ ସେମାନେ ଲୁଚି ପଳାଇ ଯାଉଥିବା ବେଳେ ବାଲିଆପାଳ ପୁଲିସ ଦ୍ୱାରା ରିରଫ ହେଲେ ।
ଭୋଗରାଇର କଖଡ଼ା ପଂଚାୟତ ଅନ୍ତର୍ଗତ ତଲାଡ଼ି ଗ୍ରାମରେ ୧୯୨୦ ମସିହା ଦୁର୍ଗାପୂଜା ସପ୍ତମୀ ଦିନ ଜନ୍ମ ଗ୍ରହଣ କରିଥିଲେ ସଂଗ୍ରାମୀ ଦୁର୍ଗା ଦାସ । ୯୭ବର୍ଷ ବୟସରେ ୨୦୧୬ ଅଗଷ୍ଟ ୨୨ରେ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ତୋପ ସଲାମି ଦେଇ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ସ୍ୱାଧୀନତା ସଂଗ୍ରାମରୁ ମୋଟ ୩ ଥରରେ ୩୦ ମାସ ବରହମପୁର ଓ ବାଲେଶ୍ୱର ଜେଲରେ ଦିନ କାଟିଥିଲେ । ଭାରତ ସ୍ୱାଧୀନ ହେବା ପରେ ୧୯୫୭ ମସିହା ପାଖରୁ ୬୧ ପର୍ଯ୍ୟନ୍ତ ଭୋଗରାଇ ବିଧାୟକ, ୧୯୫୩ରୁ ୫୬ ପର୍ଯ୍ୟନ୍ତ ବାଲେଶ୍ୱର ଲୋକାଲ ବୋର୍ଡ଼ର ଅଧ୍ୟକ୍ଷ ତଥା ୧୯୬୨ରୁ ୭୧ ଭୋଗରାଇ ପଂଚାୟତ ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
୧୯୫୦ ମସିହାରେ ପଶ୍ଚିମବଙ୍ଗର ବିଥିକା ରାଣୀ ଦାସଙ୍କୁ ବିବାହ ହୋଇଥିଲେ । ୨୦୦୯ରେ ତତ୍କାଳୀନ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପାଖରୁ ସମ୍ମାନିତ ହେବା ସହ ୧୯୭୨ ମସିହା ୨୫ବର୍ଷ ସ୍ୱାଧୀନତା ଦିବସ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । କେବଳ ସେତିକି ନୁହେଁ³ ୧୯୯୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ୨୦୦୬ରେ ଫକୀରମୋହନ ବିଶ୍ୱବିଦ୍ୟାଳୟ, ୨୦୦୮ରେ ବାଲେଶ୍ୱର ରତ୍ନ ଆଦି ବହୁ ସମ୍ମାନର ଅଧିକାରୀ ଥିଲେ ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଦାସ