ରାଜ୍ୟ

ଘସିପୁରାରେ ବାଲି ମାଫିଆଙ୍କ ଆତଙ୍କରାଜ: ଖଣି ଅଧିକାରୀଙ୍କୁ ଲୁହାରଡ୍‌ରେ ପିଟି ଲହୁଲୁହାଣ କଲେ

ଆନନ୍ଦପୁର/ଘସିପୁରା: କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ ରକ୍ତମୁଖା ବାଲି ମାଫିଆ ଖଣି ବିଭାଗର ଏନ‌୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ କନିଷ୍ଠ ଖଣି ଅଧିକାରୀ ସୂରଜ କୁମାର ହେମ୍ବ୍ରମ୍‌ (୨୪)ଙ୍କ ସମେତ ୫ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ଘସିପୁରା ପୁଲିସ ତନାଘନା କରିଥିଲେ ସୁଦ୍ଧା ଏଯାଏ କାହାକୁ ଗିରଫ କରିନାହିଁ। ଏହି ଘଟଣା ଘସିପୁରାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ସରକାରୀ ଅଧିକାରୀଙ୍କୁ ଆକ୍ରମଣ ପାଇଁ ମାଫିଆ କେଉଁଠୁ ସାହସ ପାଉଛନ୍ତି? କିଏ ସେମାନଙ୍କୁ ସୁରକ୍ଷା ଦେଉଛି, ଘଟଣାର ୧୬ ଘଣ୍ଟା ପରେ ପୁଲିସ ହାତବାନ୍ଧି ବସିଛି, ତାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି।

କନିଷ୍ଠ ଖଣି ଅଧିକାରୀଙ୍କ ସମେତ ୫ ଆହତ, ଗାଡ଼ି ଭଙ୍ଗାରୁଜା

କନିଷ୍ଠ ଖଣି ଅଧିକାରୀ ସୁରଜ ହେମ୍ବ୍ରମଙ୍କ ନେତୃତ୍ବରେ ଖଣି ବିଭାଗର ଏନ‌୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗତକାଲି କେନ୍ଦୁଝରରୁ ହରିଚନ୍ଦନପୁର ଆସିଥିଲେ। ହରିଚନ୍ଦନପୁରରୁ ବାଲି ମାଫିଆମାନେ ସେମାନଙ୍କୁ ଦୁଇଟି ଗାଡ଼ି‌ରେ ପିଛା କରିଥିଲେ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଆନନ୍ଦପୁରରେ ପହଞ୍ଚିବା ପରେ ବୈତରଣୀ ବ୍ରିଜ୍ ପାର ହୋଇ ଆନନ୍ଦପୁର କଲେଜ ପର୍ଯ୍ୟନ୍ତ ଯାଇଥିଲେ। ରାତି ପ୍ରାୟ ୧୨ଟାବେଳେ ସେଠାରୁ ଘସିପୁରା ଆଡ଼କୁ ଆସୁଥିଲେ। ସେମାନଙ୍କୁ ୫/୬ଟି ଚାରିଚକିଆ ଗାଡ଼ି‌ରେ ବାଲି ମାଫିଆମାନେ ବ୍ରିଜ୍‌ ଛକରୁ ପିଛା କରିଥିଲେ। ପୋଲ ପାର ହେବା ପରେ ଏକ ହମ୍ପସ୍‌ ନିକଟରେ ଆଗରେ ଗାଡ଼ି ରଖି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ଅତର୍କିତ ଆକ୍ରମଣ କରିଥିଲେ। ଲୁହାରଡ୍‌, ଠେଙ୍ଗାରେ ସମସ୍ତଙ୍କୁ ନିସ୍ତୁକ ପିଟିବା ସହ ସେମାନଙ୍କ ବୋଲେ‌ରୋ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ମାଫିଆଙ୍କ ଆକ୍ରମଣରେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ହେମ୍ବ୍ରମ୍‌ଙ୍କ ସମେତ ବିଭାଗୀୟ କର୍ମଚାରୀ ଶତ୍ରୁଘ୍ନ ମହାନ୍ତ, ତପନ ମହାକୁଡ଼, ପରମେଶ୍ବର ମହାନ୍ତ, ପ୍ରସାଦ ପାତ୍ର ଆହତ ହୋଇଥିଲେ।

ଏ ସଂପର୍କରେ ଘସିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୪୨୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅତିରିକ୍ତ ଏସ୍‌ପି ମନୋଜ ରାଉତ ଘସିପୁରାରେ ପହଞ୍ଚି ଆହତମାନଙ୍କୁ ପଚରାଉଚରା କରିଛନ୍ତି। ତେବେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ଶ୍ରୀ ରାଉତ ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ସେମାନେ ଭୟଭୀତ ବୋଲି ଆନନ୍ଦପୁର ଦାୟିତ୍ବରେ ଥିବା ଖଣି ଅଧିକାରୀ ତାରିଣୀ କୁମାର ସିଂହ କହିଛନ୍ତି। ବାଲି ମାଫିଆମାନେ ଏକ ପ୍ରଭାବଶାଳୀ ଗୋଷ୍ଠୀର ବୋଲି ଆଲୋଚନା ହେଉଛି। ଆନନ୍ଦପୁର ଅଞ୍ଚଳରେ ରାତିରେ ମାଫିଆମାନେ ବିଭିନ୍ନ ସ୍ଥାନରୁ ବେଧଡ଼କ ବାଲି ଚୋରା ଚାଲାଣ କରୁଛନ୍ତି। ଗତକାଲି ରାତି‌ରେ ଖଣି ବିଭାଗ ଅଧିକାରୀମାନେ ଚଢ଼ଉ ପାଇଁ ଆସିଥିବାବେଳେ ଧରାପଡ଼ିବା ଭୟରେ ମାଫିଆମାନେ ସେମାନଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button