ରାଜ୍ୟ

କଲବଲ କଲାଣି ଦରଦାମ୍‌: ଆଉ ସହିହେଉନି

ଭୁବନେଶ୍ବର: ବଜାରରେ କେବଳ ଆଳୁ ମହଙ୍ଗା; ଏମିତି ଗୋଟିଏ ଧାରଣା ତିଆରି ହେଉଛି। ହାଣ୍ଡିଶାଳରେ ବି କମିଛି ଆଳୁର ପତିଆରା। ମାତ୍ର ରୋଷେଇ ଘରକୁ ନଜର ପକାଇଲେ ଜଳ ଜଳ ହୋଇ ଦିଶୁଛି ଯେ ପିଆଜ, ରସୁଣରୁ ଆରମ୍ଭ କରି ସୋରିଷ ତେଲ, ରିଫାଇନ୍, ଡାଲି, ଲୁଣ, ଅଟା, ଚା’ପତି, ବିସ୍କୁଟ ଆଦିର ଦର ଖାଉଟିଙ୍କୁ ନାକେଦମ କଲାଣି। ଆହୁରି ସରଳ ଭାବେ କହିଲେ, ଗତ ଦୁଇମାସ ଭିତରେ ଓଡ଼ିଶା ବଜାର ଅବଶିଷ୍ଟ ରାଜ୍ୟର ବଜାରଠାରୁ ଟିକେ ଆଗରେ। ସ୍ଥିତି ଏତେ ଗମ୍ଭୀର ଯେ ଦିନମଜୁରିଆ, ନିମ୍ନ ମଧ୍ୟବିତ୍ତ ପରିବାରର ଅଧାରୁ ଅଧିକ ରୋଜଗାର କେବଳ ଖାଇବାରେ ଯାଉଛି। ଗତ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ରିଫାଇନ୍ ତେଲ (ଫ୍ରିଡମ୍ ଓ ଫର୍ଚୁନ୍) ଲିଟର ପିଛା ଦାମ୍ ୯୫ଟଙ୍କା ଥିଲା। ହଠାତ୍ ଏହା ବଢ଼ିକି ୧୫୦ଟଙ୍କା ହୋଇଗଲା। ଡବଲ୍ ହରିଣ ସୋରିଷ ତେଲ ଦାମ୍ ୧୫୫ଟଙ୍କା ଥିଲା। ଏବେ ଲିଟର ୧୮୫ଟଙ୍କା। କେବଳ ତେଲ ନୁହେଁ, ଅଟା ଦାମ୍‌ ବି ବଢ଼ିଯାଇଛି। ରାଜ୍ୟ ସରକାର ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଯୋଗାଉନାହାନ୍ତି। ସେପଟେ ମାସେ ହେଲା ଅଟା ଦାମ୍ କେଜି ପିଛା ୫ଟଙ୍କା ବଢ଼ିଯାଇଛି। ପୂର୍ବରୁ ଅଟା କେଜି ପ୍ରତି ୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୪୫ଟଙ୍କା। ଅଟାକୁ ବଳିଗଲାଣି ସୁଜି ଦାମ୍। କେଜି ପୂର୍ବରୁ ୫୬ ଟଙ୍କାରେ ବିକ୍ରି ହେଉଥିଲା, ଏବେ ୬୬ଟଙ୍କା। ଅଧ କେଜି ପ୍ୟାକେଟ୍‌ରେ ୫ଟଙ୍କା ଲେଖାଏ ଦର ବଢ଼ିଯାଇଛି। ସରକାରୀ ଗହମ ପାଇବା ପରେ ରାତିରେ ରୁଟି ଖାଇବା ଅଭ୍ୟାସ କରିଥିବା ଲୋକ ଏବେ ନା ରୁଟି ଖାଇପାରୁଛି ନା ସୁଜି। ସେହି ଭାତ ହିଁ ପୁଣି ରାତିରେ ପେଟ ପୂରାଉଛି।

 

ଏତିକିରେ ବଜାର ଭାଉ କମିନି। ଲୁଣ କେଜି ପିଛା ୨ଟଙ୍କା ବଢ଼ିଛି। ଛୁଆଙ୍କ ଛତୁଆ କେଜି ପିଛା ୫ଟଙ୍କା ବଢ଼ିଯାଇଛି। ନିକଟରେ କ୍ଷୀର ଦାମ୍ ବଢ଼ିଥିବାବେଳେ ଏବେ ବିସ୍କୁଟ ଦାମ୍ ପୂର୍ବାପେକ୍ଷା ଉଚ୍ଚା। ପ୍ରତି ପ୍ୟାକେଟ୍‌ରେ ୫ଟଙ୍କା ଲେଖାଏ ବଢ଼ିଗଲାଣି। ସାଧାରଣତଃ ଗରିବ, ନିମ୍ନ ମଧ୍ୟବିତ୍ତ ଘରର ପିଲା ଖାଉଥିବା ବିସ୍କୁଟ ପ୍ୟାକେଟ୍ ପୂର୍ବରୁ ୪୦ଟଙ୍କା ଥିଲା। ଏବେ ୪୫ଟଙ୍କା ପଡ଼ୁଛି। ବୟସ୍କ ଲୋକମାନେ ଜଳଖିଆରେ ଚା’ ବିସ୍କୁଟ ଖାଉଥିଲେ ତାହା ବି ମହଙ୍ଗା। ସୁଗାର୍ ଫ୍ରି ବିସ୍କୁଟରୁ ଆରମ୍ଭ କରି ନାମୀଦାମୀ ସବୁ ବିସ୍କୁଟ ଦାମ୍ ପ୍ୟାକେଟ୍ ପିଛା ୫ଟଙ୍କାରୁ ଅଧିକ ବୃଦ୍ଧିପାଇଛି। ଚା’ପତି ୨୫୦ ଗ୍ରାମ୍ ପ୍ୟାକେଟ୍‌ ଦାମ୍‌ ଇତିମଧ୍ୟରେ ୫ଟଙ୍କା ବଢ଼ିଛି। ୨୫୦ଗ୍ରାମ୍ ଚା’ପତି ଦାମ୍ ୩୫ଟଙ୍କା ଥିଲା। ଏବେ ୪୦ଟଙ୍କା ହୋଇଗଲାଣି। ସାଧାରଣତଃ ଶୀତ ଦିନେ ପରିବା ଦର କମ୍‌ ରହିଥାଏ। କିନ୍ତୁ ଏବେ ପରିବା କେଜି ୬୦ଟଙ୍କାରୁ କମ୍‌ ନାହିଁ। ସରକାର ଶୀତଳ ଭଣ୍ଡାର କରିବା ପାଇଁ ଯୋଜନା କରୁଛନ୍ତି। ଅଥଚ ପରିବା ଉତ୍ପାଦନ କମିଗଲାଣି। ଏହା ଉପରେ ଯେମିତି କାହାର ନଜର ନାହିଁ। ସ୍ଥାନୀୟ ପରିବା ଅପେକ୍ଷା ଏବେ ଲୋକ ବାହାରୁ ଆସୁଥିବା ପନିପରିବା ଉପରେ ନିର୍ଭର କରୁଛନ୍ତି। ପିଆଜ ଦର ଗତ ଦୁଇ ମାସ ହେଲା ବଢ଼ିକି ରହିଛି। ବଜାରରେ ପିଆଜ କେଜି ୬୦ଟଙ୍କାରେ ପହଞ୍ଚିଲାଣି। ଚଳିତବର୍ଷ ରସୁଣ ଦର ଖସିବାର ନାଁ ଧରୁନି। ସାଧାରଣତଃ ଏହି ସମୟରେ ରସୁଣ କେଜି ୧୦୦ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବେ ରସୁଣ ୨୫୦ଗ୍ରାମ୍‌କୁ ୧୦୦ଟଙ୍କା। ଗତ ୬ମାସ ହେଲା ଏହି ଦର ଲାଗି ରହିଛି। ରସୁଣ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଆବଶ୍ୟକ ନାହିଁ। ଏହାକୁ ବି କ’ଣ ସରକାର ସାଇତି ରଖି ବର୍ଷ ଯାକ ଯୋଗାଇବା ବ୍ୟବସ୍ଥା କରିପାରିବେନି? ବଜାର ଦର ସବୁ ବର୍ଗର ଲୋକଙ୍କୁ କଲବଲ କରିଦେଲାଣି। ଛୋଟ ଛୁଆରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟଶୈଳୀ ଏବେ ବଦଳିଗଲାଣି। କନ୍ଧମାଳ ଓ ରାୟଗଡ଼ାରେ ଲୋକ ଆମ୍ବ ଟାକୁଆ ଖାଇ ମୃତ୍ୟୁମୁଖରେ ପଡ଼ିବାରୁ ତାହା ତାଙ୍କ ପାରମ୍ପରିକ ଖାଦ୍ୟ ବୋଲି ସରକାର କହୁଛନ୍ତି। ବଜାର ଦର ଯେମିତି ଅଛି, ବାସ୍ତବରେ ସେମାନେ ଆଳୁ, ପିଆଜ, କ୍ଷୀର, ବିସ୍କୁଟ, ରୁଟି, ସୁଜି ଆଦି କିଣିକି ଖାଇପାରିବେ ତ?

Related Articles

Leave a Reply

Your email address will not be published. Required fields are marked *

Back to top button