ଖେଳ

ଡବ୍‌ଲ୍ୟୁଟିସି ଦୌଡ଼: ଫାଇନାଲ୍‌ରେ କେମିତି ପହଞ୍ଚିବ ଭାରତ?

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି)ର ୨୦୨୩-୨୫ ଚକ୍ରରେ ଏବେ ପ୍ରତ୍ୟେକ ମ୍ୟାଚ୍‌ ପରେ ରୋଚକ ସ୍ଥିତି ସୃଷ୍ଟି ହେଉଛି। ପ୍ରତ୍ୟେକ ମ୍ୟାଚ୍‌ ପରେ ଫାଇନାଲ୍‌ ଦୌଡ଼ର ସମୀକରଣ ବଦଳି ଯାଉଛି। ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଭାରତ ଥିବା ବେଳେ ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ଏବେ ରୋହିତ ଶର୍ମାଙ୍କ ଦଳକୁ ଚ୍ୟାଲେଞ୍ଜ କରୁଛନ୍ତି। ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍‌ରେ ଇଂଲଣ୍ଡଠୁ ନ୍ୟୁଜିଲାଣ୍ଡର ପରାଜୟ ପରେ ଶୀର୍ଷ ୩ ଦଳଙ୍କ ମଧ୍ୟରେ ଯଦିଓ ବିଶେଷ କିଛି ଫରକ ପକାଇନି, ତଥାପି ପ୍ରଥମ ଦୁଇଟି ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ ତୀବ୍ର କରିଛି। ବର୍ତ୍ତମାନ ସୁଦ୍ଧା ଭାରତ ପ୍ରଥମ, ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛନ୍ତି।

ଯଦି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୪ ମ୍ୟାଚ୍‌ରେ ବିଜୟୀ ହୁଏ, ତାହେଲେ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଯିବ। ହେଲେ ଭାରତ ଏପରି କରିବାରେ ଯଦି ବିଫଳ ହୁଏ ତାହେଲେ କ’ଣ ହେବ ବୋଲି ଅନେକ ପ୍ରଶଂସକ ଅପେକ୍ଷା କରିଛନ୍ତି। ଯଦି ଭାରତ ଏହି ଶୃଙ୍ଖଳାରେ ୩-୧ରେ ବିଜୟୀ ହୁଏ, ତାହେଲେ ଭାରତ ଶୀର୍ଷ ଦୁଇଟି ସ୍ଥାନ‌ରେ ସୁରକ୍ଷିତ ରହିପାରିବ। ଏଥିସହିତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌ରେ ଶ୍ରୀଲଙ୍କାକୁ ହରାଇବା ଆବଶ୍ୟକତା ରହୁଛି। ଯଦି ଭାରତ ୩-୨ରେ ଶୃଙ୍ଖଳା ଜିତେ, ତାହେଲେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ୍‌ ମଧ୍ୟରୁ ଗୋଟିକକୁ ଅମୀମାଂସିତ ରଖିବାକୁ ହେବ। ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୨ରେ ଅମୀମାଂସିତ ରହିଯାଏ, ତାହେଲେ ଆକଳନ ଅଧିକ ଜଟିଳ ହୋଇଯିବ। ଏଭଳି କ୍ଷେତ୍ରରେ ଭାରତ ଚାହିବ ଯେ, ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨-୦ରେ ଶୃଙ୍ଖଳା ଜିତୁ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ଅନ୍ୟୂନ ୧-୦ରେ ଶୃଙ୍ଖଳା ଜିତୁ। ଅନ୍ୟପକ୍ଷରେ ଯଦି ଅଷ୍ଟ୍ରେଲିଆରେ ଭାରତ ୨-୩ରେ ଶୃଙ୍ଖଳା ହାରିଯାଏ, ତାହେଲେ ଅନ୍ୟ ଦଳମାନଙ୍କର ଶୃଙ୍ଖଳା ଉପରେ ଭାରତ ସଂପୂର୍ଣ୍ଣ ଭାବେ ନିର୍ଭର କରିବାକୁ ହେବ। ନ୍ୟୁଜିଲାଣ୍ଡ-ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା-ପାକିସ୍ତାନ ଶୃଙ୍ଖଳାଗୁଡ଼ିକ ୧-୧ରେ ଅମୀମାଂସିତ ରହିବା ସହ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ଶୃଙ୍ଖଳା ୦-୦ରେ ଅମୀମାଂସିତ ରହିଲେ ଭାରତ ଫାଇନାଲ୍‌ରେ ପହଞ୍ଚିପାରିବ

Related Articles

Leave a Reply

Your email address will not be published. Required fields are marked *

Back to top button