ଆଇସିସି ଦିନିକିଆ ର୍ୟାଙ୍କିଙ୍ଗ୍; ଅଲ୍ରାଉଣ୍ଡର୍ ଶୀର୍ଷରେ ମହମ୍ମଦ ନବି – Ibnodisha
[ad_1]
ଦୁବାଇ: ଆଇସିସି ପକ୍ଷରୁ ବୁଧବାର ସଦ୍ୟତମ ଦିନିକିଆ ର୍ୟାଙ୍କିଙ୍ଗ୍ ଜାରି କରାଯାଇଛି । ଏଥିରେ ଆଫଗାନିସ୍ତାନର ମହମ୍ମଦ ନବି ଅଲ୍ରାଉଣ୍ଡର୍ ସୂଚୀ ଶୀର୍ଷରେ ପହଞ୍ଚିଛନ୍ତି । ର୍ୟାଙ୍କିଙ୍ଗ୍ରେ ନବି ଗୋଟିଏ ସ୍ଥାନର ସୁଧାର ସହ ବାଂଲାଦେଶର ସାକିବ୍ ଅଲ୍ ହସନ୍ଙ୍କୁ ପଛରେ ପକାଇଛନ୍ତି । ସାକିବ୍ ପ୍ରାୟ ପାଞ୍ଚବର୍ଷ ଧରି ଦିନିକିଆ ଅଲ୍ରାଉଣ୍ଡର୍ ର୍ୟାଙ୍କିଙ୍ଗ୍ର ଶୀର୍ଷରେ ରହିଆସିଥିଲେ । ୨୦୧୯ ମେ ୭ରୁ ୨୦୨୪ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ଦୀର୍ଘ ୧୭୯୩ ଦିନ ପର୍ଯ୍ୟନ୍ତ ରାଜୁତି କରିଥିଲେ । ଏବେ ନବି ୩୧୪ ରେଟିଂ ପଏଣ୍ଟ୍ ସହ ସାକିବ୍ (୩୧୦)ଙ୍କୁ ହଟାଇ ଏହି ସ୍ଥାନ ହାସଲ କରିଛନ୍ତି । ଏହା ସତ୍ତ୍ୱେ ସାକିବ୍ ଏବେ ଟି-୨୦ ଅଲ୍ରାଉଣ୍ଡର୍ ର୍ୟାଙ୍କିଙ୍ଗ୍ରେ ୨୫୬ ରେଟିଂ ପଏଣ୍ଟ୍ ସହ ଶୀର୍ଷରେ କାଏମ୍ ରହିଛନ୍ତି । ଅନ୍ୟପକ୍ଷରେ ନବିଙ୍କୁ ଟି-୨୦ରେ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ତ୍ତେୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି ।
ଦିନିକିଆ ବୋଲିଂ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଫାଷ୍ଟ୍ ବୋଲର୍ ଜସ୍ପ୍ରୀତ୍ ବୁମ୍ରାଙ୍କୁ ଗୋଟିଏ ସ୍ଥାନର ଲାଭ ମିଳିଛି । ସେ ୬ଷ୍ଠରୁ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ଏବଂ ତାଙ୍କ ରେକଟିଂ ପଏଣ୍ଟ୍ ୬୬୫ ରହିଛି । ସାଉଥ୍ ଆଫ୍ରିକା ସ୍ପିନର୍ କେଶବ ମହାରାଜ ୭୧୬ ପଏର୍ଟ୍ ସହ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ପେସର୍ ଜୋଶ୍ ହେଜଲ୍ଉଡ୍ ୬୮୮ ପଏଣ୍ଟ୍ ସହ ଦ୍ୱିତୀୟ ଏବଂ ଆଦାମ୍ ଜାମ୍ପା ୬୮୬ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ କାଏମ ଅଛନ୍ତି । ସେହିପରି ମହମ୍ମଦ ସିରାଜ୍ ୬୭୮ ପଏଣ୍ଟ୍ ସହ ଚତୁର୍ଥ ସ୍ଥାନରେ ପୂର୍ବପରି ରହିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ସ୍ପିନର୍ କୁଲଦୀପ୍ ଯାଦବ ଗୋଟିଏ ସ୍ଥାନର ଉନ୍ନତି ସହ ନବମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ରେଟିଂ ପଏଣ୍ଟ୍ ୬୬୫ ହୋଇଛି । ମହମ୍ମଦ ନବି ଗୋଟିଏ ସ୍ଥାନର ଉନ୍ନତି ସହ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଦିନିକିଆ ବ୍ୟାଟିଂ ର୍ୟାଙ୍କିଙ୍ଗ୍ର ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ଘଟିନାହିଁ । ତେବେ ଶ୍ରୀଲଙ୍କାର ଚରିଥ୍ ଅସଲଙ୍କା ୫ ଏବଂ ପଥୁମ୍ ନିଶାଙ୍କାଙ୍କୁ ୧୦ଟି ସ୍ଥାନର ଲାଭ ହୋଇଛି । ଅସଲଙ୍କା ୧୫ତମ ସ୍ଥାନରେ ପହଞ୍ଚିଥିବା ବେଳେ ନିଶାଙ୍କା ୨୮ରୁ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଦ୍ୱିଶତକର ଲାଭ ନିଶାଙ୍କାଙ୍କୁ ଏହି ର୍ୟାଙ୍କିଙ୍ଗ୍ରେ ମିଳିଛି ।
ଟେଷ୍ଟ୍ ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ ସେପରି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁଁ । ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍ସନ୍ ପୂର୍ବପରି ଶୀର୍ଷରେ କାଏମ୍ ରହିଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ ଶୀର୍ଷରେ ଜସ୍ପ୍ରୀତ୍ ବୁମ୍ରା କାଏମ ଥିବାବେଳେ ଶୀର୍ଷ-୭ ର୍ୟାଙ୍କିଙ୍ଗ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ନ୍ୟୁଜିଲାଣ୍ଡର କାଇଲ ଜାମିସନ୍ ୭୫୧ ପଏଣ୍ଟ୍ ସହ ୬ ସ୍ଥାନର ଲମ୍ଫ ପ୍ରଦାନ କରି ଅଷ୍ଟମରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ନାଥନ୍ ଲିଓନ୍ ଗୋଟିଏ ସ୍ଥାନର କ୍ଷତି ସହିତ ନବମକୁ ଖସିଆସିଛନ୍ତି । ଭାରତୀୟ ବୋଲର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ମଧ୍ୟ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ୧୦ମ ସ୍ଥାନକୁ ଖସିଆସିଛନ୍ତି । ତେବେ ଟେଷ୍ଟ୍ ଅଲ୍ରାଉଣ୍ଡର୍ ର୍ୟାଙ୍କିଙ୍ଗ୍ର ଶୀର୍ଷ-୧୨ରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ରବୀନ୍ଦ୍ର ଜାଡ଼େଜା ୪୧୬ ପଏଣ୍ଟ୍ ସହ ଶୀର୍ଷରେ କାଏମ ରହିଛନ୍ତି ।
[ad_2]