ଖେଳ

ଚେନ୍ନାଇ ସୁପର୍ କିଙ୍ଗ୍ସର ସୁପର୍ ବିଜୟ – Ibnodisha

[ad_1]

ଚେନ୍ନାଇ: ଲଗାତାର ପରାଜୟ ପରେ ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍‌କେ ଏକତରଫା ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭୮ ରନ୍‌ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛିି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍‌କେ ୨୧୨ ରନ୍ କରିଥିଲା। ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ (ଟ୍ରାଭିସ୍ ହେଡ୍‌, ଅଭିଷେକ ଶର୍ମା, ଅନମୋଲପ୍ରୀତ୍ ସିଂହ) ବାହାର କରିଦେବା ପରେ ହାଇଦ୍ରାବାଦ ଅଣ୍ଟା ମୋଡି ହୋଇଯାଇଥିଲା। ଐଦେନ ମାରକ୍ରମ, ନୀତୀଶ ରେଡ୍ଡୀ, ହେନରିକ୍ କ୍ଲାସେଁ, ଅବଦୁଲ ସମାଦ ପ୍ରମୁଖ ଛୋଟ ଛୋଟ ପାଳି ଖେଳିଥିଲେ। କେହି ପ୍ରୟାସ କରି ନଥିଲେ। ପ୍ରଥମ ୨ ଓଭରରେ ୩ ୱିକେଟ୍ ନେଇଥିବା ତୁଷାର ଦ୍ବିତୀୟ ସ୍ପେ‌ଲ୍‌ରେ ଆଉ ଏକ ୱିକେଟ୍‌ ସହ ୪/୨୭ ଚିତ୍ର ପାଇଥିଲେ। ଅନ୍ୟ ଦୁଇ ବିଦେଶୀ ଦ୍ରୁତ ବୋଲର୍ ମଥିଶା ପଥିରଣା ଓ ମୁସ୍ତାଫିଜୁର ରହମାନ ୨-୨ ୱିକେଟ୍ ନେଇଥିଲେ। ଫଳରେ ବଡ଼ ବଡ଼ ସ୍କୋର୍‌ କରୁଥିବା ହାଇଦ୍ରାବାଦ ୧୩୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପଶ୍ଚାତଧାବନକୁ ପସନ୍ଦ କରି ଆସୁଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ତୁରନ୍ତ ଚେନ୍ନାଇ ସୁପରକିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଚେନ୍ନାଇର ଅଭିଜ୍ଞ ଓପନର୍ ଅଜିଙ୍କ୍ୟ ରାହାଣେ (୯)ଙ୍କୁ ତୃତୀୟ ଓଭରରେ ଆଉଟ୍ କରି ଉତ୍ସାହିତ ବି ହୋଇଥିଲା। ସେପଟେ ସଅଳ ୱିକେଟ୍ ପତନ ପାଇଁ ଚେନ୍ନାଇ ପାୱାର ପ୍ଲେରେ ମାତ୍ର ୫୦ ରନ୍ ଯୋଡ଼ି ପାରିଥିଲା। ହେଲେ ଏହା ପରେ ୨୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଅଧିନାୟକ ଋତୁରାଜ ଗାଏକ୍ବାଡ୍‌ (୯୮)ଙ୍କ ଦାୟିତ୍ବବାନ ଓ ଦ୍ରୁତ ବ୍ୟାଟିଂ ବଳରେ ପାଳି ସହଜ ଓ ସୁଗମରେ ଆଗେଇଥିଲା। ଗାଏକ୍ବାଡ୍ ପ୍ରଥମେ ଡାରିଲ ମିଚେଲ (୫୨)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ୧୦୭ ରନ୍ ଯୋଡ଼ି ଦଳର ସ୍ଥିତି ସୁଧାରି ନେଇଥିଲେ। ଏହା ପରେ ବାମହାତୀ ବୀର ଶିବମ ଦୁବେ (୩୯*) ଦମଦାର ବ୍ୟାଟିଂ କରି ଚେନ୍ନାଇ ସ୍କୋର୍‌କୁ ୨୦୦ ରନ୍ ପାର କରାଇ ଦେଇଥିଲେ। ହେଲେ ବଡ଼ ସଟ୍ ଖେଳିବା ଲୋଭରେ ମାତ୍ର ୨ ରନ୍ ପାଇଁ ଗାଏକ୍ବାଡ୍ ଚଳିତ ଋତୁରେ ଦ୍ବିତୀୟ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ମାତ୍ର ଚାରିଟି ବଲ୍ ଥାଇ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପଡ଼ିଆକୁ ଓହ୍ଲାଇବା କ୍ଷଣି ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ ଧୋନି…. ଧୋନି ରଡ଼ିରେ କମ୍ପି ଉଠିଥିଲା। ଧୋନି ମଧ୍ୟ ପ୍ରଥମ ବଲ୍‌କୁ ଚୌକା ମାରି ଦର୍ଶକଙ୍କ ଆଶା ପୂରଣ କରିଥିଲେ। ତେବେ ପରବର୍ତ୍ତୀ ବଲ୍‌ରେ ସିଙ୍ଗଲ୍ ନେଇ ନନ୍‌ ଷ୍ଟ୍ରାଇକର୍ ପଟକୁ ଯିବା ପରେ ଦୁବେ ପଞ୍ଚମ ବଲ୍‌ରୁ ବିଶାଳ ଛକା ଅମଳ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button