କ୍ୟାପିଟାଲ ହସ୍ପିଟାଲରୁ ପିଲା ଚୋରି ଉଦ୍ୟମ: ମହିଳାଙ୍କୁ ଧରି ପୁଲିସ ଜିମା ଦେଲେ ସୁରକ୍ଷାକର୍ମୀ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପିଲା ଚୋରି ଉଦ୍ୟମ ହୋଇଛି। ଜଣେ ମହିଳା ଏକ ନବଜାତ ଶିଶୁକୁ ଧରି ପଳାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଶିଶୁ ଚୋରି ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାକର୍ମୀମାନେ ଶିଶୁକୁ ଉଦ୍ଧାର କରିବା ସହିତ ଚୋରି ଉଦ୍ୟମ କରୁଥିବା ମହିଳାଙ୍କୁ କ୍ୟାପିଟାଲ୍ ଥାନାରେ ଜିମା ଦେଇଛନ୍ତି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରୁ ପିଲା ଚୋରି ଉଦ୍ୟମ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜଣେ ମହିଳା କ୍ୟାପିଟାଲ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗକୁ ଆସିଥିଲେ। ପରେ ସେ ବିଭିନ୍ନ ୱାର୍ଡ ବୁଲିବା ସହିତ ବିଭିନ୍ନ ବେଡ ପାଖକୁ ଯାଇ ପିଲାଙ୍କୁ ଯାଞ୍ଚ କରିଥିଲେ। ଏହାକୁ ନେଇ କିଛି ସୁରକ୍ଷାକର୍ମୀଙ୍କ ସନ୍ଦେହ ହେବାରୁ ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ସେ ନିଜକୁ ଜଣେ ରୋଗୀଙ୍କ ସମ୍ପର୍କୀୟ ପରିଚୟ ଦେବାରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଛାଡ଼ି ଦେଇଥିଲେ। ପରେ ସଂପୃକ୍ତ ମହିଳାଜଣକ ପୁଣି ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ କୋଠାରୁ ୪ର୍ଥ ମହଲାକୁ ଯାଇ ସେଠି ମଧ୍ୟ ସମାନ ଭାବେ ନବଜାତ ଶିଶୁଙ୍କ ଯାଞ୍ଚ କରିବାରୁ ଏ ସମ୍ପର୍କରେ କିଛି ଲୋକ ତାଙ୍କୁ ପଚାରିଥିଲେ। ସେ ନିଜକୁ ସୁରକ୍ଷାକର୍ମୀ ବୋଲି ପରିଚୟ ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ନବଜାତ ଶିଶୁ(ପୁଅ) କାନ୍ଦୁ ଥିବାରୁ ମହିଳାଜଣକ ତାକୁ ତୁନି କରିବାକୁ ଉଠାଇ ନେଇଥିଲେ। ପରେ ଲାଇଟ ଲାଗିଥିବାରୁ ଶିଶୁ କାନ୍ଦୁଥିବା କହିଥିଲେ।
ଶିଶୁର ମା’ ଲାଇଟ୍ ବନ୍ଦ କରିବାକୁ ଯାଇଥିବା ବେଳେ ସୁଯୋଗ ଦେଖି ମହିଳା ଜଣକ ଶିଶୁକୁ ଧରି ପଳାଇଥିଲେ। ଏହା ଦେଖି ଶିଶୁର ମା’ ପାଟି କରିବାରୁ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀମାନେ ମହିଳାଙ୍କୁ ଗୋଡ଼ାଇ ତୃତୀୟ ମହଲାରୁ କାବୁ କରି ଶିଶୁକୁ ଉଦ୍ଧାର କରିଥିଲେ। ଏନେଇ ସୁରକ୍ଷାକର୍ମୀମାନେ ତାଙ୍କୁ ଘେରି ଯାଇ ପଚରାଉଚରା କରିବାରୁ ମହିଳା କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। କିମ୍ବା କୌଣସି କାଗଜପତ୍ର ଦେଖାଇପାରି ନଥିଲେ। ମହିଳାଜଣକ ଶିଶୁ ଚୋରି କରୁଥିବା ଜାଣିବା ପରେ ସୁରକ୍ଷାକର୍ମୀମାନେ ପିସିଆର୍କୁ ଖବର ଦେବା ସହିତ ମହିଳାଙ୍କୁ ପୁଲିସ ଜିମା ଦେଇଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।