ରାଜ୍ୟ

ବୟସ ଗଡ଼ିଛି, କମିନି ଲଢ଼େଇ ମାନସିକତା: ଗନ୍ଧମାର୍ଦ୍ଦନ ପାଇଁ ଏବେ ବି ଜୀବନ ଦେବାକୁ ପ୍ରସ୍ତୁତ

ସମ୍ବଲପୁର: ବୟସ ଆସି ୭୫ ହେଲାଣି। କିନ୍ତୁ ଆଜି ବି ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ର ଜମ୍ବବତୀ ବିଜରା ଏବଂ ତାଙ୍କ ଭଳି ବୟସର ସାୟାହ୍ନରେ ପହଞ୍ଚିଥିବା ଅନେକ ମହିଳା। ୮୦ ଦଶକରେ ଯେତେବେଳେ ଘର ଚାରିକାନ୍ଥ ଭିତରେ ମହିଳାମାନଙ୍କର ଆତଯାତ ସୀମିତ ଥିଲା, ଠିକ୍‌ ସେହି ସମୟରେ ଏମାନେ କେବଳ ଆନ୍ଦୋଳନ କରିନଥିଲେ, ବରଂ ନିଜ ଶିଶୁ ସନ୍ତାନଙ୍କୁ ଛାଡ଼ି ଜେଲ୍‌ ଯାଇଥିଲେ। ଚିପ୍‌କୋ ଆନ୍ଦୋଳନ ଭଳି ଏହି ମହିଳା ପରିବେଶ ଯୋଦ୍ଧାଙ୍କ ନାମ ଯଦିଓ ଇତିହାସରେ ଲିପିବଦ୍ଧ ହୋଇନାହିଁ, କିନ୍ତୁ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଆଜି ବି ସେମାନଙ୍କ ମନରେ ରହିଛି ଲଢେଇ କରିବାର ଝୁଙ୍କ୍‌ ଓ ବଳିଦାନର ମାନସିକତା।

ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ନିଜ ଛୁଆଙ୍କୁ ଧରି ଶୋଇପଡ଼ିଥିଲେ ଜମ୍ବବତୀ

ଜମ୍ବବତୀ ବିଜରା ଆଜି ଏକ ବିସ୍ମୃତ ନାମ। କିନ୍ତୁ ୧୯୮୭ ମସିହା ବେଳକୁ ତାଙ୍କ ସାହସିକତା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ପାଇଁ ଥିଲା ଏକ ଚର୍ଚ୍ଚିତ ପ୍ରସଙ୍ଗ। ସେହି ସମୟରେ ଗନ୍ଧମାର୍ଦ୍ଦନରେ
ବାଲ୍‌କୋ କମ୍ପାନିର ଖଣି ଖନନ ବିରୋଧରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରଗଡ଼ରେ ଆନ୍ଦୋଳନ ଚରମରେ ଥିଲା। ବାଲ୍‌କୋ କମ୍ପାନି ଗାଡ଼ିକୁ ଅଟକାଇବା ପାଇଁ ଗାଁ ଗାଁରେ ରାସ୍ତା ଅବରୋଧ ହେଉଥିଲା। ଏଥିରେ ପୁରୁଷଙ୍କ ସହିତ ମହିଳାମାନେ ନିଜ ପିଲାଛୁଆଙ୍କୁ ଧରି ସାମିଲ ହେଉଥିଲେ। ମିଠାପାଲି ଗାଁରେ ରାସ୍ତା ଅବରୋଧ ଚାଲିଥିବାବେଳେ ଜମ୍ବବତୀ ବାଲ୍‌କୋକୁ ବିରୋଧ କରିବାକୁ ଯାଇ ନିଜ ଦୁଇ ଶିଶୁ ସନ୍ତାନ (ଝିଅ ଓ ପୁଅ)ଙ୍କୁ ଧରି ଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ଶୋଇ ପଡ଼ିଥିଲେ। ଯାହା ସେତେବେଳେ ସମସ୍ତଙ୍କୁ ତାଜୁବ କରି ଦେଇଥିଲା। ସେ ଦିନର ସ୍ମୃତି ରୋମନ୍ଥନ କରି ଜମ୍ବବତୀ କହିଥିଲେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ଯେତେବେଳେ ବ୍ଲାଷ୍ଟିଂ ଆରମ୍ଭ ହେଲା, ୪ କିଲୋମିଟର ଦୂରରେ ଥିବା ତାଙ୍କ ଗାଁ ଡୁଙ୍ଗୁରିପାଲି ମଧ୍ୟ ଥରି ଯାଉଥିଲା। ବଡ଼ଧରଣର ବିପଦ ମାଡ଼ି ଆସୁଥିବା ଅନୁମାନ କରି ସ୍ବାମୀଙ୍କ ପରାମର୍ଶରେ ନିଜ ଛୁଆଙ୍କ ଭବିଷ୍ୟତ ପାଇଁ ସେ ହିଁ ସେତେବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଥିଲେ। ତେଣୁ ସେହି ଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ। ଆନ୍ଦୋଳନରେ ତାଙ୍କ ଅଂଶଗ୍ରହଣ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଜଳସେଚନ ବିଭାଗରେ ଚାକିରି କରୁଥିବା ତାଙ୍କ ସ୍ବାମୀ ଈଶ୍ବର ବିଜରାଙ୍କ ଚାକିରି ଚାଲିଯାଇଥିଲା। ଏହା ସତ୍ତ୍ବେ ସେ ଲଢ଼େଇରୁ ହଟିନଥିଲେ କି ତାଙ୍କ ସ୍ବାମୀ, ପରିବାର କେହି ତାଙ୍କୁ ମନା କରିନଥିଲେ। ଆଜି ବି ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡ଼ିଲେ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜମ୍ବବତୀ।

୭୦ ବର୍ଷୀୟା ସୁଭଦ୍ରା କଲେତ କହନ୍ତି, ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସେ ୯ ଦିନ ଜେଲ ଯାଇଥିଲେ। ମଶାଲ ଶୋଭାଯାତ୍ରାଠାରୁ ରାସ୍ତା ଅବରୋଧ ଯାଏ, ସବୁଥିରେ ଆଗରେ ରହୁଥିଲେ। ବିକ୍ରମନଗରର ଭଗବତୀ ବିଶି ଆଜି ସାଧ୍ବୀ ହୋଇ ଯାଇଛନ୍ତି ସତ, କିନ୍ତୁ ୨୫ ବର୍ଷ ବୟସ ବେଳକୁ ସେ ଯେଉଁ ଉତ୍ସାହରେ ଗନ୍ଧମାର୍ଦ୍ଦନ ପାଇଁ ଲଢ଼ି ଜେଲ ଯାଇଥିଲେ ଆଜି ବି ସେହି ମାନସିକତା ରହିଥିବା କହିଛନ୍ତି। ଲୁକୁପାଲିର ପ୍ରତିମା ବଗାରଙ୍କ କହିବା ଅନୁଯାୟୀ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ସେ ନିଜ ଶିଶୁ ସନ୍ତାନଙ୍କୁ ଶାଶୂଙ୍କ ଭରସାରେ ଛାଡ଼ି ଜେଲ ଯାଇଥିଲେ। ଆଜି ତାଙ୍କ ପିଲାମାନେ ବଡ଼ ହୋଇ ସ୍ବାବଲମ୍ବୀ ହୋଇ ସାରିଛନ୍ତି। ବୟସ ବଢ଼ିଥିଲେ ମଧ୍ୟ ଗନ୍ଧମାର୍ଦ୍ଦନକୁ ନେଇ ତାଙ୍କ ମନୋଭାବ ପୂର୍ବଭଳି ରହିଛି। ଯେଉଁ ଦଳର ସରକାର କିମ୍ବା ବ୍ୟକ୍ତି ଥାଆନ୍ତୁ, ଗନ୍ଧମାର୍ଦ୍ଦନ ଆଗରେ ସମସ୍ତେ ତୁଚ୍ଛ। ‘ଜାନ୍‌ ଯାଉ ଜୀବନ ଯାଉ, ଗନ୍ଧମାର୍ଦ୍ଦନ ବଞ୍ଚି ଥାଉ’ର ନାରା ଦେଇ ବାଲ୍‌କୋ ବିରୋଧରେ ସେମାନେ ସେତେବେଳେ ଲଢୁଥିଲେ, ଆଜି ବି ଲଢ଼ିବେ ବୋଲି କହିଛନ୍ତି। ୧୯୮୫ ମସିହାରୁ ୧୯୯୦ ମସିହା ମଧ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ପାଇକମାଲର କେତେ ଯେ ମହିଳା ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ, ତାହା ସମସ୍ତଙ୍କୁ ଅଭିଭୂତ କରେ ବୋଲି କହିଛନ୍ତି ବର୍ତ୍ତମାନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଧୀରେନ ମହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button