ରାଜ୍ୟ

ସେପ୍ଟେମ୍ବର ସୁଦ୍ଧା ଓଡିଶା ଆସିବେ ୫ ମହାବଳ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଯିବ ସ୍ୱତନ୍ତ୍ର ଦଳ

ଭୁବନେଶ୍ୱର,୧୫/୦୮: ଓଡ଼ିଶାରେ ମହାବଳ ବାଘ ବଂଶ ବଢ଼ାଇବା ପକ୍ରିୟାରେ ବନ ବିଭାଗ ଆଉ ପାଦେ ଆଗେଇଛି । ଖୁବ୍ ଶୀଘ୍ର ବନ ବିଭାଗର ଏକ ସ୍ୱତନ୍ତ୍ର ଦଳ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଯିବ। ସେଠାରେ ବାଘଙ୍କର ସ୍ୱଭାବକୁ ଅନୁଧ୍ୟାନ କରାଯିବ । ଓଡିଶା ଜଙ୍ଗଲ ସହ ଖାପ ଖୁଆଇ ଚଳିଲା ଭଳି ୫ ବାଘଙ୍କୁ ଚୟନ କରି ଓଡିଶା ଅଣାଯିବ ।

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ସୂଚନା ମୁତାବକ, ସେପ୍ଟେମ୍ବର ସୁଦ୍ଧା ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ଟି ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ଆଣିବା ଯୋଜନା ଅଛି । ଏଥିଲାଗି ଆଇନଗତ ପ୍ରକ୍ରିୟା ସରିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଓ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ) ପକ୍ଷରୁ ୮ଟି ମହାବଳ ବାଘ ଆଣିବାକୁ କୁହାଯାଇଛ । ଏଗୁଡି଼କ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଜଙ୍ଗଲରେ ଅଛନ୍ତି । ସପ୍ତାହେ ଭିତରେ ସିସିଏଫ୍(ବନ୍ୟପ୍ରାଣୀ)ଙ୍କ ନେତୃତ୍ୱରେ ଏକ ଦଳ ୨ ରାଜ୍ୟକୁ ଗସ୍ତ କରିବେ ।

ଡେବ୍ରିଗଡ଼ ଅଭୟାରଣ୍ୟର ଭଟଲି ବ୍ଲକ ପାଶ୍ୱର୍ରେ ଅନେକ ଜନବସତି ରହିଛି । ତେଣୁ ଜନବସତିଠାରୁ ବାଘଙ୍କୁ ଦୂରେଇ ରଖିବାରେ ସହାୟକ ହେବ ସୋଲାର ଫେନ୍ସିଂ । ଅର୍ଥାତ୍, ପାଖାପାଖି ୨୭ କିମି ବ୍ୟାପୀ ଶକ୍ତ ବାଡ଼ ନିର୍ମାଣ ହେବ । ସୌର ଶକ୍ତି ଦ୍ୱାରା ଚାର୍ଜ ହୋଇଥିବା ବାଡ଼କୁ ବନ୍ୟଜନ୍ତୁ ଛୁଇଁବା ମାତ୍ରେ ବିଦ୍ୟୁତ୍ ଝଟ୍କା ଖାଇ ଜଙ୍ଗଲକୁ ଫେରିଯିବେ । ଏହି ଜଙ୍ଗଲରେ ବାଘ ଛଡ଼ାଯିବା ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରାଯିବ।

ଏହା ବ୍ୟତୀତ ନନ୍ଦନକାନନ ଚିଡି଼ଆଖାନାର ଜିରାଫ “ଖୁସି’କୁ ଖୁବ୍ଶୀଘ୍ର ୨ ସାଥୀ ମିଳିବେ । ପଶୁ ଅଦଳବଦଳ ପ୍ରକ୍ରିୟାରେ ଚଳିତ ମାସ ଶେଷ ସୁଦ୍ଧା ଆଲିପୁର ଚିଡିଆଖାନାରୁ ୨ ଜିରାଫ ନନ୍ଦନକାନନକୁ ଆସିବେ । ନନ୍ଦନକାନନରେ ନିର୍ମାଣାଧୀନ ନୂଆ ଏନ୍କ୍ଲୋଜର୍ରେ ୭ଟି ବିରଳ ବାନର ଜାତୀୟ ପ୍ରାଣୀଙ୍କୁ ଛଡ଼ାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button