ଏକ ନମ୍ବର ବିଦ୍ୟାଳୟ ଭାବେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଗଢ଼ି ତୋଳିବାକୁ ଆହ୍ବାନ
ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଜନଜାତି ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଛନ୍ତି ।
ଜାତୀୟସ୍ତରୀୟ ଏହି କଳା ଉତ୍ସବକୁ ଶୁଭାରମ୍ଭ କରି ମାନ୍ୟବର କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳ କରିବା ଉଦ୍ଦେଶ୍ୟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗଠନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରୟାସରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଦେଶରେ ବ୍ୟାପକ କରାଯାଇଛି । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଦେଶର ଏକ ନମ୍ବର ବିଦ୍ୟାଳୟ ରୂପରେ ଗଢ଼ି ତୋଳିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏଥିସହିତ ଜାତୀୟସ୍ତରୀୟ ଏହି ସାଂସ୍କୃତିକ ଓ କଳାତ୍ମକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ପାଇଁ ସେ ଆହ୍ବାନ କରିଥିଲେ ।
ସେହିପରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଏଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ । ଏକଲବ୍ୟଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିବାକୁ ସେ ପରାମର୍ଶ ଦେବା ସହ ଏହି ଭଳି ଉତ୍ସବଗୁଡ଼ିକର ଆୟୋଜନ ଦ୍ବାରା ପରସ୍ପର ମଧ୍ୟରେ ଭାବ ବିନିମୟ ବୃଦ୍ଧି ପାଇଥିବା ସେ କହିଛନ୍ତି । ନିଜ ନିଜ ଅଞ୍ଚଳର ଲୋକକଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟକୁ ଏଠାରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।