ରାଜନୀତି

ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ ପ୍ରଦେଶ କଂଗ୍ରେସ ପ୍ରତିନିଧି ଦଳ କଟକରେ ଓଡ଼ିଶା ପୋଲିସ ମହାନିଦ୍ଦେର୍ଶକଙ୍କୁ ସାକ୍ଷାତ କଲେ – Ibnodisha

[ad_1]

ଭୁବନେଶ୍ୱର – ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି କଟକ ଠାରେ ଅନୁଗୁଳର ରାଣିଗୁଡ଼ା ଗ୍ରାମର ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ଏହି ପ୍ରତିନିଧି ଦଳ କଟକର ଅଶ୍ୱିନୀ ହସ୍‌ପିଟାଲର ଟ୍ରମା ସେଂଟରଠାରେ ଚିକିତ୍ସିତ ହେଉଥିବା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ସାକ୍ଷାତ କରିବାପାଇଁ ଯାଇଥିଲେ । ମାତ୍ର ସେଠାରେ ପ୍ରଦେଶ କଂଗ୍ରେସର ପ୍ରତିନିଧିମାନଙ୍କୁ ହସପିଟାଲ କତୃପର୍କ୍ଷ ସାକ୍ଷାତ କରିବାପାଇଁ ସୁଯୋଗ ଦେଲେ ନାହିଁ । ଏହାପରେ ଏହି ପ୍ରତିନିଧିଦଳ ସିଧାସଳଖ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲଙ୍କୁ ସାକ୍ଷାତ କରି ମହିଳା ଗୃହରକ୍ଷୀଙ୍କୁ ନ୍ୟାୟ ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଦାବି :
*୧. ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ କେସ ହେଉ ।*
*୨. ଏହି ଘଟଣାର ନିରପେକ୍ଷ ତଦନ୍ତ ହେଉ ।*
*୩. ପୀଡ଼ିତା ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ।*
*୪. ପୀଡ଼ିତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯାଉ ।*
*୫. ପୀଡ଼ିତାକୁ ତୁରନ୍ତ ୫୦ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ ।*
*୬. ପୀଡ଼ିତାଙ୍କୁ ଚାକିରିରୁ ଅନ୍ତର କରାନଯାଉ ।*
*୭. ହୋମଗାର୍ଡ଼ ମାନଙ୍କୁ ଘରୋଇ ସେବାରେ ରଖାଯିବା ବନ୍ଦ କରାଯାଉ ।*

ଆଜି ପ୍ରଦେଶ କଂଗ୍ରେସ କମିଟିର ଏହି ପ୍ରତିନିଧି ଦଳ ଏହି ଘଟଣାର ତୀବ୍ର ସମାଲୋଚନା କରି ପ୍ରକାଶ କରିଛନ୍ତି ଯେ ନବୀନ ସରକାରଙ୍କର ମା’କୁ ସମ୍ମାନର ଆହ୍ୱାନ ଏକ ଫମ୍ପା ଆହ୍ୱାନ । ଗୃହ ବିଭାଗ ଯାହାକି ମୁଖ୍ୟମନ୍ତ୍ରୀଙ୍କ ଦାୟୀତ୍ୱରେ ଅଛି ଏବଂ ଯେଉଁ ବିଭାଗ ସାଧାରଣ ଜନତାଙ୍କୁ ଏବଂ ବିଶେଷକରି ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଉଦିଷ୍ଟ ସେହି ବିଭାଗର ଉଚ୍ଚପଦସ୍ଥ ଅଫିସର ଆଜି ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କ ଦୁରାବସ୍ଥା ପାଇଁ ଦାୟୀ । ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ତାଙ୍କର ସ୍ତ୍ରୀଙ୍କ ତାଡ଼ନା ସହି ନପାରି ସୌରିନ୍ଦ୍ରି ସାହୁ ଆତ୍ମହତ୍ୟା କରିବାପାଇଁ ରେଳଧାରଣାକୁ ଯାଇଥିଲେ ସେ ତାଙ୍କର ଦୁଇଟି ଗୋଡ଼ ହରାଇଲେ । ଜଣେ ଗୃହରକ୍ଷୀଙ୍କୁ କିଭଳି ଭାବରେ ଡିଆଜି ବ୍ରିଜେଶ କୁମାର ରାୟ ନିଜ ଘରେ ଚାକରାଣୀ ଭଳି ଦୀର୍ଘ ୭ମାସ ଧରି ଖଟାଉଥିଲେ ତାହା ଆଶ୍ଚର୍ଯ୍ୟର କଥା । ପୀଡ଼ିତା ତାଙ୍କର ଦରଖାସ୍ତରେ ଯାହା ଉଲ୍ଲେଖ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ବ୍ରଜେଶ କୁମାରଙ୍କ ଘରେ ସେ ତାଙ୍କ ପିଲାଙ୍କୁ ଗାଧୋଇ ପାଧୋଇ ଦେବା, ଖାଇବା ଦେବା, ସ୍କୁଲ ନେବାଆଣିବା କରିବା ସେମାନଙ୍କର ମଳ ଓ ପରିଶ୍ରା କପଡ଼ା ସଫା କରିବା, ଛୁଆଙ୍କର ଯୋତାଚପଲ ସଫା କରିବା, ଡିଆଇଜିଙ୍କର ଚଡ଼଼ି, ଗଞ୍ଜି ସଫାକରିବା ଓ ତାଙ୍କ ସ୍ତ୍ରୀଙ୍କର ଲୁଗା, ବ୍ଲାଉଜ ସଫା କରିବା ଓ ଆଇରନ କରିବା, ଲାଟ୍ରିନ ଓ ବାଥରୁମ ସଫାକରିବା, ଅଇଁଠା ବାସନ ଧୋଇବା, ପିଲାମାନଙ୍କୁ ଖେଳାଇବା କାମରେ ଲଗାଇଥିଲେ । ଏପରିକି ଡିଆଜିଙ୍କ ସ୍ତ୍ରୀ ଆରୁଷିରାୟଙ୍କୁ ପ୍ରତ୍ୟେକ ଦିନ ତେଲ ମାଲିସ କରିବା ଓ ଠିକ ଭାବେ ମାଲିସ ନକରିପାରିଲେ ଆରୁଷି ରାୟ ତାଙ୍କୁ ନିର୍ମମ ଭାବରେ ଗୋଇଠା ମାରିବା ଘଟଣା ମଧ୍ୟ ପୀଡ଼ିତା ତାଙ୍କ ପତ୍ରରେ ଲେଖିଛନ୍ତି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ନିଜ ପିଲାମାନଙ୍କର ଦେହ ଖରାପ ହେଲେ ମଧ୍ୟ ତାଙ୍କୁ ଛୁଟି ମିଳେନାହିଁ । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଅନେକ ଥର ଡିଆଇଜିଙ୍କ ସ୍ତ୍ରୀ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ସବୁବେଳେ ଚାକିରି ନେଇଯିବାର ଧମକ ଦେବା ଫଳରେ ପୀଡ଼ିତା ଭୟକରି ଅଭିଯୋଗ କରିପାରନ୍ତି ନାହିଁ ଏବଂ ପରିଶେଷରେ ଏହି ଯାତନାରୁ ମୁକ୍ତିପାଇଁ ସେ ଆତ୍ମହତ୍ୟା କରିବାପାଇଁ ରେଳଧାରଣାକୁ ଯାଇଥିଲେ । ଏବେ ସେ ତାଙ୍କର ଦୁଇଟି ଗୋଡ଼ ହରାଇଛନ୍ତି । ସବୁଠାରୁ ଦୁଃଖର କଥା ଏହିକିଯେ ସେ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ଚିକିତ୍ସା ମିଳିନାହିଁ । ମା’କୁ ସମ୍ମାନ ଦେବା କହୁଥିବା ବିଜେଡ଼ି ଦଳ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୌଣସି ନେତା ଏପର୍ଯ୍ୟନ୍ତ ତାଙ୍କ ଦୁଃଖରେ ଠିଆ ହୋଇନାହାନ୍ତି । ପୋଲିସ ଡିଆଇଜି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ । ଏଣୁ ଗୃହବିଭାଗ କିପରି ଚାଲୁଛି ଏବଂ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଉପରେ କିପରି ନଜର ରଖିଛନ୍ତି ତାହା ସ୍ପଷ୍ଟ ହୋଇପଡ଼ିଛି । ଏହା ବ୍ରିଟିସ ରାଜର କୃରତାକୁ ଟପି ଯାଇଛି । ଏଠି ବାଡ଼ ଫସଲ ଖାଉଥିବା ବେଳେ ପୀଡ଼ିତାର ଦୁଃଖ କିଏ ବୁଝିବ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ଘଂଟ ଘୋଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି । ମାତ୍ର କଂଗ୍ରେସ ପୀଡ଼ିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବ । ଏହି ପ୍ରତିନିଧି ଦଳରେ ଅଖିଳ ଭାରତ ମହିଳା କଂଗ୍ରେସର ସାଧାରଣ ସଂପାଦିକା ସସ୍ମିତା ବେହେରା, ପିସିସି ସାଧାରଣ ସଂପାଦକ ରଶ୍ମି ମହାପାତ୍ର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉଧବ କର, ବିଶ୍ୱନାଥ ଆଚାର୍ଯ୍ୟ, ପିସିସି ସାଧାରଣ ସଂପାଦକ, ପ୍ରକାଶ ମିଶ୍ର, ପିସିସି ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା, ବରିଷ୍ଠ ଆଇନଜୀବି ହଳଧର ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିନିଧିମାନଙ୍କ ସହ କୁସୁମ ପ୍ରଧାନ, ଜାନକୀ ମଲ୍ଲିକ, ନିରୁପମା ପାତ୍ର, ନିରୁପମା ଦାସ, କଳ୍ପନା ଦାସ ପ୍ରମୁଖ ରହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button