ରାଜ୍ୟ

୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ: ଠାକୁରଙ୍କ ପାଇଁ ପ୍ରସ୍ତୁତ ଚାଲିଛି ରାଖି – Ibnodisha

[ad_1]

ପୁରୀ: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ମାନବଦେହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଏହି ଲୀଳାଖେଳରେ ବାନ୍ଧି ହୋଇ ରହିଛନ୍ତି। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାଖୀ ବାନ୍ଧିବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସ୍ବତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କ ପାଇଁ ରାଖୀ ପ୍ରସ୍ତୁତ ଚାଲିଛି। ପାଟରା ବିଶୋଇ ସେବକମାନେ ଏହି କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାଖୀ ପ୍ରସ୍ତୁତ ଚାଲିଛି। ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି। ସେହିଭଳି ଦୁଇ ଠାକୁରଙ୍କ ପାଇଁ ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ଚାଲିଛି। ପ୍ରତି ଗୁଆ ମାଳରେ ୫୪ଟି ଲେଖାଏଁ ଚୋପା ଛଡ଼ା ଗୁଆ ଗୁନ୍ଥା ଯାଇଛି। ନାଲି ଓ ହଳଦିଆ ରଙ୍ଗର ଗୁଆମାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗର ଗୁଆମାଳ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପାଇଁ ପ୍ରସ୍ତୁତ କରାଯାଉଛି।

ଗହ୍ମାପୂର୍ଣ୍ଣିମା ଦିନ ସକାଳେ ଶ୍ରୀମନ୍ଦିରରେ ରାଖୀ ଓ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ପରେ ମା’ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ଏହାକୁ ବାନ୍ଧିବେ। ଦୁଇ ଭାଇ ଦୁଇ ହାତରେ ଗୋଟିଏ ଲେଖାଏଁ ରାଖୀ ବାନ୍ଧିବେ। ଏଥିପାଇଁ ପାଟର ବିଶୋଇ ଜଗନ୍ନାଥ ପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ପ୍ରଦାନ କରିଛି। ଚିତା ଲାଗି ଅମାବାସ୍ୟାର ୧୦ ଦିନ ପରେ ରାଖୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ରାଖୀ ତିଆରି ପାଇଁ ୧୦ରୁ ୧୨ ଦିନ ଆଗରୁ ପାଟରା ବିଶୋଇ ଓ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ବାସୁଙ୍ଗା ପାଟରେ ଦୁଇ ଠାକୁରଙ୍କ ରାଖୀ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଆବଶ୍ୟକ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ। ପରେ ଏହି ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇଥାଏ। କିନ୍ତୁ ରାଖୀର କୌଣସି ମାପ ନଥାଏ। ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାଖୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ। କେବଳ ଦୁଇ ଠାକୁରଙ୍କ ପାଇଁ ନୁହେଁ, ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ। ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ। ପାରମ୍ପରିକ ସେବା ହୋଇଥିବାରୁ ପାଟରା ବିଶୋଇ ଶ୍ରୀ ପାତ୍ର ସେବା ମନୋବୃତ୍ତି ରଖି ନିଷ୍ଠାର ସହ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ସେବା ସମ୍ପନ୍ନ କରି ଆସୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button