ଜଙ୍ଗଲ ଛାଡ଼ି ଜନବସତିରେ ବୁଲୁଛି ହାତୀ, ଭୟରେ ଅଛନ୍ତି ଜନ ସାଧାରଣ
ବିରାଟକାୟ ଦନ୍ତା ହାତୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମାଡ଼ି ଆସିଛି । ହାତୀ ଚାରି ପାଖରେ ଲୋକେ ବି ଜମା ହୋଇଛନ୍ତି । ରାସ୍ତା ଉପରେ ବୁଲି ବୁଲି ଦୋକାନ ବଜାର ଆଡ଼କୁ ମାଡ଼ି ଆସିବା ସହ ବେଳେ ବେଳେ ଲୋକଙ୍କ ପାଖକୁ ବି ମାଡ଼ି ଆସୁଛି ହାତୀ । ଏତେ ବଡ଼ ଦନ୍ତାକୁ ଦେଖିଲେ ଯେ କେହି ବି ଭୟ କରିବ । କାହା ଘର ଭାଙ୍ଗି ଦେବ ତ କାହା ଦୋକାନ ଭାଙ୍ଗି ଦେବ ବୋଲି ଭୟ କରୁଛନ୍ତି ଲୋକେ । ତେବେ କଟକ ଜିଲ୍ଲା ବଡମ୍ବା ବ୍ଲକ କଚେରୀ ଛକ ଜନ ମୋହଳ ଅଞ୍ଚଳକୁ ଅଚାନକ ହାତୀ ପଶି ଆସିବାରୁ ଭୟରେ ଅଛନ୍ତି ଜନ ସାଧାରଣ ।
ଉଜୁଡ଼ୁଛି ବନ୍ୟଜନ୍ତୁଙ୍କ ଆବାସ । ତେଣୁ ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ରାଜରାସ୍ତାରେ ତ କେଉଁଠି ବଜାର ଭିତରେ ବୁଲୁଛି ହାତୀ । ତେବେ ବଜାରରେ ହାତୀକୁ ଦେଖିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବହୁ ସମୟ ଧରି ହାତୀଟି ବଜାରରେ ବୁଲିବା ଖବର ପାଇ ବଡମ୍ବା ବନ ବିଭାଗ ଅଧିକାରୀମାନେ ପହଞ୍ଚିଥିଲେ ଏବଂ ତାକୁ ଜଙ୍ଗଲକୁ ଘଉଡ଼େଇବାରେ ସକ୍ଷମ ହୋଇଛନ୍ତି । ତେବେ କାହାର କିଛି କ୍ଷତି କରୁନଥିବା ହାତୀ ପାଖରେ ଥିବା ଜଙ୍ଗଲରୁ ପଳେଇ ଆସିଥିବା ସୂଚନା ମିଳିଛି ।
ତେବେ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ ।
ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି । ବେଳେବେଳେ ଏହି ଜୀବଜନ୍ତୁମାନେ ମଣିଷକୁ ଆକ୍ରମଣ କରନ୍ତି । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ଆମେ ଜଙ୍ଗଲ କାଟି ସଫା ନକରିବା ହୁଏତ ଏ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଆସିବେ ନାହିଁ କି ଏଭଳି କୌଣସି ପ୍ରକାରର କ୍ଷତି ହେବ ନାହିଁ ।