ଦେଶ

ମହିଳା ସମାନତା ପାଇଁ ଟାଟା ନିୟମକୁ ବଦଳାଇ ଦେଇଥିଲେ ସୁଧା ମୂର୍ତ୍ତି – Ibnodisha

[ad_1]

ବ୍ୟୁରୋ : ତ୍ରେତୟାରୁ ଦ୍ୱାପର, ଦ୍ୱାପରରୁ କଳି… ଯୁଗ ଯୁଗ ଧରି ନାରୀକୁ ତା’ ଅଧିକାର ପାଇଁ ନିଜେ ଲଢ଼ିବାକୁ ପଡ଼ିଛି। ଆମ ପୁରାଣ, କାହାଣୀ,କିମ୍ୱଦନ୍ତୀ ଏହାର ମୂକସାକ୍ଷୀ। ସମାଜରେ ମହିଳାଙ୍କ ଅଧିକାରକୁ ସମାନ କରିବା ପାଇଁ ଅନେକ ମହୀୟସୀ ମହିଳା ସ୍ୱର ଉତ୍ତୋଳନ କରିଛନ୍ତି, ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିଛନ୍ତି ଆଉ ଶେଷରେ ମଧ୍ୟ ବିଜୟିନୀ ହୋଇଛନ୍ତି। ଯେଉଁମାନେ କି ବର୍ତ୍ତମାନର ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ବିଶ୍ୱବ୍ୟାପୀ ମହିଳା ସମାନତା ଦିବସ ପାଳନ ଅନବସରରେ ଜାଣିବା ଏପରି ଜଣେ ପ୍ରେରଣାଦାୟୀଙ୍କ ବିଷୟରେ… ତ୍ରେତୟା-ଦ୍ୱାପର କଥା ଛାଡ଼ି ଦିଅନ୍ତୁ, ସ୍ୱାଧୀନତା ପ୍ରାପ୍ତ ପରେ, ଏହି ବହ୍ନିରେ ଅନେକ ମହିଳା ଝାସ ଦେବା ସତ୍ତ୍ୱେ ବି ଆମ ଦେଶରେ ମହିଳାଙ୍କ ଭୂମିକାକୁ ନେଇ ଅନେକ ପ୍ରତିବନ୍ଧକ ରହିଥିଲା। ଏକ ପୁରୁଷକୈନ୍ଦ୍ରିକ ରାଷ୍ଟ୍ର ଥିଲା କହିଲେ କିଛି ଭୁଲ୍ ହେବନି। ବର୍ତ୍ତମାନର ନାରୀ ଯଦି ନିଜ ଇଚ୍ଛାରେ କିଛି କରିପାରୁଛି, କର୍ମ ସଂସ୍ଥାନ ଚୟନ କରିପାରୁଛି, ବସି ପାରୁଛି, ହସି ପାରୁଛି ତେବେ ଏହା ପଛରେ ବିଦ୍ୱାନୀ ମହିଳାଙ୍କ ହାତ ରହିଛି। ତନ୍ମଧ୍ୟରୁ ସୁଧା ମୂର୍ତ୍ତି ଅନ୍ୟତମ… ବର୍ତ୍ତମାନର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଭାବେ ଜଣାଶୁଣା ସୁଧା ମୂର୍ତ୍ତି ଏକଦା ମହିଳାଙ୍କ ସମାନତା ପାଇଁ ସମାଜ ସହ ଲଢ଼ିଥିଲେ। ସେ ୧୯୭୪ରେ ବେଙ୍ଗାଲୁରୁ ଟାଟା ଇନଷ୍ଟିଚ୍ୟୁଟରେ ଏମ୍-ଟେକ୍ କରିବା ସମୟରେ ଶ୍ରେଣୀରେ ୧୪୫ ଜଣ ଛାତ୍ରଙ୍କ ମଧ୍ୟରେ ଜଣେ ମାତ୍ର ଛାତ୍ରୀ ଥିଲେ। ଏପରିକି ଇଞ୍ଜିନିୟରିଂ ବ୍ୟାଚଲର୍ ସମୟରେ ମଧ୍ୟ ଜଣେ ମହିଳା ଭାବେ ପୁରୁଷଙ୍କ ଗହଣରେ ପାଠ ପଢ଼ିଥିଲେ। ସେ ଏମ୍-ଟେକ୍ କରିବା ସମୟରେ ଇନଷ୍ଟିଚ୍ୟୁଟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନଥିଲା, ନାମଲେଖା ସମୟରେ ମଧ୍ୟ ବହୁ କଟକଣା ଥିଲା। ଯେପରିକି ପୁରୁଷମାନଙ୍କ ସହ କଥା ହେବେ ନାହିଁ, ଏକାଠି ସେମାନଙ୍କ ସହ କ୍ୟାଣ୍ଟିନରେ ଭୋଜନ କରିପାରିବେ ନାହିଁ, ଇତ୍ୟାଦି…। ସେ ଏସବୁ ଆହ୍ୱାନକୁ ସାମ୍ନା କରି ଟାଟା ଇନଷ୍ଟିଚ୍ୟୁଟରେ ଏମ୍-ଟେକ୍ କରିଥିଲେ। ପଢ଼ା ଶେଷ ବେଳକୁ ପିଏଚଡି ପାଇଁ ତାଙ୍କୁ ଆମେରିକା ଯିବାର ଥିଲା। ଏହି ସମୟରେ ସେ ହଷ୍ଟେଲ ନୋଟିସ୍ ବୋର୍ଡରେ ଏକ ନୋଟିସ୍ ଦେଖିବାକୁ ପାଇଥିଲେ। ଯେଉଁଠାରେ ଜାମସେଦପୁର ଓ ପୁନେରେ ଯୁବ ଇଞ୍ଜିନିୟରଙ୍କ ନିଯୁକ୍ତି ପାଇଁ ଟେଲକୋ ନୋଟିସ୍ ପ୍ରକାଶ କରିଥିଲା। କିନ୍ତୁ ବିଜ୍ଞାପନର ଶେଷ ଧାଡ଼ିରେ ଝିଅମାନଙ୍କ ପାଇଁ ଏହି ନିଯୁକ୍ତି ଉଦ୍ଦିଷ୍ଟ ନୁହେଁ ବୋଲି ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ଯାହାକୁ ଦେଖି କ୍ଷୁବ୍ଧ ହୋଇଯାଇଥିଲେ ସୁଧା। ମହିଳାମାନେ କାହିଁକି ନିଯୁକ୍ତି ପାଇପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସେ ଏହି ପ୍ରଶ୍ନ କେବଳ ନିଜକୁ କରିନଥିଲେ, ବରଂ ସମାଜକୁ ମଧ୍ୟ ଏହାର ଉତ୍ତର ମାଗିଥିଲେ। ସେହି ଦିନ ହିଁ ସେ ଭାବିଥିଲେ, ନା… ମୁଁ ଏହି ପରୀକ୍ଷା ଦେବି ଏବଂ ସେମାନଙ୍କ ଭାବଧାରାକୁ ପରିବର୍ତ୍ତନ କରିବି। ଆଉ ସେ ମଧ୍ୟ ଏପରି କରିଥିଲେ। କାହିଁକି ଏପରି ନିୟମ ରଖିଛନ୍ତି, ଏହା ମହିଳାଙ୍କ ପାଇଁ ଅନ୍ୟାୟ, ଇତ୍ୟାଦି ଦର୍ଶାଇ ସେ ଜେଆରଡି ଟାଟାଙ୍କୁ ଚିଠି ଲେଖିଥିଲେ। ଚିଠି ପଢ଼ି ଜେଆରଡି ଟାଟା ମଧ୍ୟ ହୃଦୟଙ୍ଗମ କରିଥିଲେ ଏବଂ ସୁଧା ମୂର୍ତ୍ତିଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଇଣ୍ଟର୍ଭ୍ୟୁ ପାଇଁ ଡାକିଥିଲେ। ରାତିରେ ସିଫ୍ଟ୍ ଥିବାରୁ ଏଠାକୁ ଝିଅମାନଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଉ ନାହିଁ ବୋଲି କହିଥିଲେ ଜେଆରଡି ଟାଟା। ଏସବୁ ପରେ ବି ସୁଧା ମୂର୍ତ୍ତି ଇଣ୍ଟର୍ଭ୍ୟୁରେ କୃତକାର୍ଯ୍ୟ ହୋଇଥିଲେ, ଆଉ ତାଙ୍କୁ ମଧ୍ୟ ନିଯୁକ୍ତି ପତ୍ର ମିଳିଥିଲା। ସେ ପୂରା ଘଟଣା ବାବଦରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ସୁଧାଙ୍କ ବାପା ସବୁ ଶୁଣି ସାରିବା ପରେ ସେ ଏହି କାର୍ଯ୍ୟରେ ଯୋଗ ଦେବେ କି ନାହିଁ ବୋଲି ପଚାରିଥିଲେ। କିନ୍ତୁ ସେ ଆମେରିକାରେ ପିଏଚଡି କରିବାକୁ ଯିବେ, ଏଠାରେ ଯୋଗଦାନ କରିବେ ନାହିଁ ବୋଲି ମନା କରି ଦେଇଥିଲେ ସୁଧା। କିନ୍ତୁ ତାଙ୍କ ବାପା ତାଙ୍କୁ ଏଥିରେ ବିରୋଧ କରିଥିଲେ। ଯଦି ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛୁ, ତେବେ ପ୍ରଥମେ ନିଜେ ଏ ଦିଗରେ ପାଦ ବଢ଼ା, ନଚେତ୍ ତୋର ସେଠାକୁ ଯିବାକୁ ଉଚିତ୍ ନଥିଲା ବୋଲି ସୁଧାଙ୍କ ବାପା କହିଥିଲେ। ଏହା ଶୁଣିବା ପରେ ସୁଧା ମୂର୍ତ୍ତି ଆମେରିକାରେ ପିଏଚଡି ନାମଲେଖା କାଗଜକୁ ଚିରି ଦେଇ ଟେଲକୋ ଜାମସେଦପୁର, ପୁନେରେ ଯୋଗଦାନ କରିଥିଲେ। ସେ ଆଠ ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଟାଟାରେ ହଜାର ହଜାର ମହିଳା ଇଞ୍ଜିନିୟର୍ କାର୍ଯ୍ୟରତ ଅଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଧା ମୂର୍ତ୍ତି ହେଉଛନ୍ତି ପ୍ରଖ୍ୟାତ ବ୍ୟବସାୟୀ ତଥା ଇନଫୋସିସ୍ ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ। ତାଙ୍କ ଝିଅ ଅକ୍ଷତା ମୂର୍ତ୍ତି ଯିଏକି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବିବାହ କରିଛନ୍ତି। ସୁଧା ମୂର୍ତ୍ତିଙ୍କ ପୁଅ ରୋହନ ମୂର୍ତ୍ତି ମଧ୍ୟ ହାଭର୍ଡ ସୋସାଇଟିରେ କାର୍ଯ୍ୟରତ ଅଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button