ରାଜ୍ୟ

ଏଥର ଭୁବନେଶ୍ୱର ହେବେ କଂସ

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଏଥର କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବେ। ବରଗଡ଼ ବ୍ଲକ୍‌ ସର୍ଲା ଗ୍ରାମର ଭୁବନେଶ୍ବର ଚୟନ ପ୍ରକ୍ରିୟାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲ୍‌ଠାରେ କଂସ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତିକ୍ରମେ କଂସ ଭୂମିକା ପାଇଁ ୪ଜଣ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁଶୀଲ ମେହେର ଭାଗ ନେଇଥିଲେ। ଏମାନେ ୨୦୨୨ ଚୟନ ପ୍ରକ୍ରିୟାରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ଥିବାବେଳେ ଆଜି ଅଡିସନ ହୋଇଥିଲା। ଏଥିରେ ଶ୍ରୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି କଂସ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି।

ଶ୍ରୀ ପ୍ରଧାନ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ ପାଞ୍ଚଥର କଂସ ଭୂମିକାରେ ଅଭିନୟ କରିଥିଲେ। ୧୯୯୮-୯୯, ୧୯୯୯-୨୦୦୦, ୨୦୧୭ରୁ ୨୦୧୯ରେ ସେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏପରିକି କଂସ ଅଭିନୟ ପୂର୍ବରୁ ସେ ବରଗଡ଼ ଧନୁଯାତ୍ରାରେ ମହାମନ୍ତ୍ରୀ ଭାବେ ମଧ୍ୟ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ଏହାସହ ସେ ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାରେ ମଧ୍ୟ କଂସ ଭୂମିକାରେ ଅଭିନୟ କରିଛନ୍ତି। ଶ୍ରୀ ପ୍ରଧାନ ଯାତ୍ରା, ନାଟକରୁ କ୍ୟାରିୟର ଆରମ୍ଭ କରି ପୌରାଣିକ ନାଟକ ଓ ପରେ କଂସ ଚରିତ୍ରରେ ଅଭିନୟ କରିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ସୁଯୋଗ ମିଳିଥିବାରୁ ଆନନ୍ଦିତ ଓ ଗର୍ବିତ। ଆଜିଠୁ ଆଉ ଏକ ମାସ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିବି। ଭଲ ଅଭିନୟ କରିବାକୁ ଉଦ୍ୟମ କରିବି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଦୁଇବର୍ଷ ହେଲା କଂସ ଭୂମିକାରେ ଅଭିନୟ କରିଥିବା ହୃଷୀକେଶ ଭୋଇ ମହାପ୍ରୟାଣ ଗାଡ଼ିରେ ଶବ ନେବା ଲାଗି ମୃତକଙ୍କ ପରିବାରଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବିବାଦୀୟ ହୋଇଥିଲେ। ଏହି କାରଣରୁ ଧନୁଯାତ୍ରା ମହୋତ୍ସବ ସମିତି କଂସ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା। ତିନି ବର୍ଷରେ ଥରୁଟିଏ କଳାକାର ଚୟନ ହେଉଥିବାରୁ ଏଥର ବର୍ଷକ ପାଇଁ କଂସ ଚୟନ କରାଯାଇଛି। ଆଉ ଏ ବର୍ଷ ଭୁବନେଶ୍ୱରଙ୍କୁ ସୁଯୋଗ ମିଳିବା ପରେ ତାଙ୍କ ଗ୍ରାମରେ ଖୁସିର ଲହରି ଖେଳିଛି। ତାଙ୍କର ପୂର୍ବ ଅଭିଜ୍ଞତା ଥିବାରୁ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button