୩ ବନକର୍ମୀଙ୍କୁ ଦଳିଦେଲା ଦନ୍ତା

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ରବିବାର ଏକ ହିଂସ୍ର ଦନ୍ତା ଜଣେ ବନକର୍ମୀଙ୍କ ପ୍ରାଣ ନେଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପାଦରେ ଦଳି ଦେଇଛି। ଗୁରୁତର ଅବସ୍ଥାରେ ବନକର୍ମୀ ଦୁଇଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗଜସାଥୀ ରୂପେଶ ଛତ୍ରିଆ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଞ୍ଜ ଅନ୍ତର୍ଗତ ରାଜୁ ଜଙ୍ଗଲରେ ଗତ ୧୫ ଦିନ ହେଲା ଏହି ଦନ୍ତା ଆତଙ୍କ ଖେଳାଇଛି। ଆଜି ସନ୍ଧ୍ୟା ୬ଟାରେ ସ୍ଥାନୀୟ ରାଜୁ ଜଙ୍ଗଲ ଭିତରେ ହାତୀକୁ ଘଉଡ଼ାଇବା ଲାଗି କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ରେଞ୍ଜ ଅଫିସରଙ୍କ ସମେତ ପାରାସ୍କ୍ବାଡ୍ ଚେଷ୍ଟା କରୁଥିଲେ।
ଏହି ସମୟରେ ବଡ଼ବାଙ୍କୀ ପାଖ ବନ୍ଧାନପାଲି ଗାଁ ନିକଟ ଜଙ୍ଗଲରେ ଦନ୍ତାଟି ଅତର୍କିତ ଭାବେ ଆକ୍ରମଣ କରିଥିଲା। ଝାପସା ଅନ୍ଧାର ଭିତରେ ବନକର୍ମୀଙ୍କ ଆଡ଼କୁ ଦ୍ରୁତ ବେଗରେ ଝପଟି ଆସିବା ବେଳେ କେହି ନିଜକୁ ରକ୍ଷା କରିବାକୁ ସୁଯୋଗ ମଧ୍ୟ ପାଇନଥିଲେ। ପାଖରେ ପାଇ ପାରାସ୍କ୍ବାଡ୍ର ପ୍ରଶାନ୍ତ ନାଏକ, ଗଜସାଥୀ ରୂପେଶ ଛତ୍ରିଆ ଓ ୱାଇଲ୍ଡ ଲାଇଫ୍ ସ୍କ୍ବାଡ୍ ସଦସ୍ୟ ତରେଶ୍ୱର ରଣାଙ୍କୁ ଦଳି ଦେଇଥିଲା ଦନ୍ତା। ମୁର୍ମୂଷୁ ଅବସ୍ଥାରେ ୩ ବନକର୍ମୀଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଜସାଥୀ ରୂପେଶ ଛତ୍ରିଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।