ରାଜ୍ୟ

ରେଳ ବିକାଶ ପାଇଁ ୭୩,୭୨୩ କୋଟି: କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ସରକାର ୭୩ ହଜାର ୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ହୋଇଛି। ଏହାଦ୍ବାରା ପୂର୍ବତଟ ରେଳପଥ ମଧ୍ୟରେ ଆଗଭଳି ତିନିଟି ରେଳ ମଣ୍ଡଳ ରହିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ
ରେଳ ଜୋନ୍‌ ପୁନର୍ଗଠନ ପ୍ରସଙ୍ଗରେ ଆଲୋଚନା
ପୂର୍ବତଟ ରେଳପଥ ଅଧୀନରେ ରହିବ ୩ଟି ରେଳମଣ୍ଡଳ

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି ଉଲ୍ଲେଖ କରିଛନ୍ତି ଯେ ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନର ପୁନର୍ବିକାଶ କରାଯାଉଛି। ମୋଦୀ-୩.୦ ସମୟରେ ୧୯ ହଜାର ୨୮୯ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶାର ୮ଟି ନୂତନ ରେଳ ପ୍ରକଳ୍ପ କ୍ୟାବିନେଟ୍‌ ଅନୁମୋଦନ ପାଇଛି। ସେଗୁଡ଼ିକ ହେଲା ଗୁଣୁପୁର-ଥେରୁବାଲି, ଜୁନାଗଡ଼ ରୋଡ୍‌-ନବରଙ୍ଗପୁର, ମାଲକାନଗିରି-ପଣ୍ଡୁରଙ୍ଗାପୁରମ୍‌ ଭାୟା ଭଦ୍ରାଚଲମ୍‌, ବାଦାମପାହାଡ-କେନ୍ଦୁଝରଗଡ଼, ବାଙ୍ଗରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଳିଆ ନୂତନ ରେଳ ଲାଇନ, ସରଡ଼େଗା-ଭାଲୁମୁଡା ନୂତନ ଦୋହାରୀକରଣ ଓ ବରଗଡ଼ ରୋଡ୍‌-ନୂଆପଡା ରୋଡ୍‌ ନୂତନ ରେଳ ଲାଇନ। ଓଡ଼ିଶାରେ ରେଳ ବିକାଶ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ସାଂସଦମାନେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟିବା ସମୟରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଇତିହାସରେ ‌ଯାହା କେବେ ହୋଇ ନ ଥିଲା ତାହା ଗତ ୧୦ ବର୍ଷ ମଧ୍ୟରେ ହୋଇଛି। ଏକ ଦଶନ୍ଧିରେ ପାଖାପାଖି ୭୫ ହଜାର କୋଟି ଟଙ୍କାର ରେଳ ବଜେଟ୍‌ ବ୍ୟବସ୍ଥା ହୋଇଛି। ଏବେ ରାୟଗଡ଼ାରେ ନୂଆ ଡିଭିଜନ୍‌ ହେବ, ଯାହାକି ଓଡ଼ିଶାର ରେଳ ଭିତ୍ତିଭୂମି କ୍ଷେତ୍ରରେ ବଡ଼ ଉପଲବ୍ଧି। ଏଭଳି ନିଷ୍ପତ୍ତି ଦ୍ବାରା ସମସ୍ତଙ୍କ ମନରେ ଥିବା ଆଶଙ୍କା ଦୂର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧ ‌ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ‌କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୪ରୁ ୨୦୨୪ ମଧ୍ୟରେ ୧,୮୨୭ କିମି ନୂଆ ଟ୍ରାକ୍‌ ସହ ୪୨୭ଟି ରେଲୱେ ଫ୍ଲାଏଓଭର ନିର୍ମାଣ ହୋଇଛି। ୭୩ ହଜାର ୭୨୩ କୋଟି ଟଙ୍କାରେ ୪୮ଟି ପ୍ରକଳ୍ପରେ ୪,୭୮୪ କିମି ନୂତନ ଟ୍ରାକ୍‌ ନିର୍ମାଣ ଚାଲିଛି। ଏବେ ସୁଦ୍ଧା ୬ଟି ବନ୍ଦେ ଭାରତ‌ ଟ୍ରେନ୍‌ ଓଡ଼ିଶା ମଧ୍ୟ ଦେଇ ଚାଲୁଛି। ୫୪ଟି ଷ୍ଟେସନରେ ୫୬ଟି ୱାନ୍‌ ଷ୍ଟେସନ ୱାନ୍‌ ପ୍ରଡକ୍ଟ(ଓଏସ୍‌ଓପି) ଷ୍ଟଲ ଓ ୫ଟି ଟ୍ରଲି ସ୍ଥାପନା ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button