ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ

ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମହାମହିମ ଶ୍ରୀମତୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ତାଙ୍କର ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ପୁରୀରେ ଆୟୋଜିତ ହେଉଥିବା ନୌସନା ଦିବସ ଅନ୍ୟତମ। ଏହି ଐତିହାସିକ ଦିବସକୁ ସ୍ମରଣୀୟ ରଖିବା ପାଇଁ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ୪୦ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି।
ବିମାନବନ୍ଦରରୁ ସେ ସିଧାସଳଖ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁର ଠାରେ ପହଞ୍ଚିବେ ଏବଂ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମରେ ଯୋଗଦେଲା ପରେ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱରସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ।
ପୁରୀରେ ମହାପ୍ରଭୁଙ୍କ ଦର୍ଶନ, ନୌସେନା ଦିବସରେ ଯୋଗଦାନ
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୁଧବାର ସକାଳ ୯ଟାରେ ରାଜଭବନରୁ ବାହାରିବେ। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୂର୍ବାହ୍ନ ୯ଟା ୪୫ମିନଟରେ ପୁରୀସ୍ଥିତ ତାଳବଣୀଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରେ ପୂର୍ବାହ୍ଣ ୧୦ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ୧୦.୫୦ରେ ପୁରୀସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୩୦ମିନିଟ ସମୟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ। ବୁଧବରୀ ରାତି ପୁରୀ ରାଜଭବନ ଠାରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଖବର ପଢ଼ନ୍ତୁ: ନୌସେନା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ତୃତୀୟ ଦିନରେ ଜଡିସିଆଲ କୋର୍ଟର ଉଦ୍ଘାଟନ
ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଗୁରୁବାର ସକାଳ ୯ଟା ୩୫ମିନିଟ ସମୟରେ ପୁରୀରୁ ବାହାରି ପୁର୍ବାହ୍ନ ୧୦ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦର ପହଞ୍ଚିବେ। ୧୦ଟା ୫୦ମିନିଟରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବାପରେ ସନ୍ଧ୍ୟା ୫ଟା ୧୦ମିନିଟରେ ଭୂବନେଶ୍ୱର ‘ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ’ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସନ୍ଧ୍ୟା ୬ଟା ୩୦ମିନିଟରେ ସେଠାରୁ ବାହାରି ରାଜଭବନ ଠାରେ ରାତ୍ରୀଯାପନ କରିବେ।