ରାଜନୀତି

ମହାରାଷ୍ଟ୍ର ରାଜନୀତିରେ ସିନ୍ଦେଙ୍କ ଆବଶ୍ୟକତା ଶେଷ: ସଞ୍ଜୟ ରାଉତ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି।

କିନ୍ତୁ ଏହି କାର୍ଯ୍ୟ ପୂର୍ବରୁ ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକନାଥ ସିନ୍ଦେଙ୍କ ସମ୍ପର୍କରେ ଏକ ବଡ଼ ବିବୃତି ଦେଇଛନ୍ତି। ଏହାକୁ ନେଇ ମହାରାଷ୍ଟ୍ରର ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ପାଇଛି।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ବର୍ତ୍ତମାନ ବିଜେପିକୁ ଏକନାଥ ସିନ୍ଦେଙ୍କର ଆଉ ଦରକାର ନାହିଁ। ଏବେ ଏକନାଥ ସିନ୍ଦେଙ୍କ ସମୟ ସମାପ୍ତ ହୋଇଛି। ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଆବଶ୍ୟକତା ଶେଷ ହୋଇଛି।
ସିନ୍ଦେ ଏବେ ଆଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ବିଜେପି ମଧ୍ୟ ସିନ୍ଦେଙ୍କ ଦଳକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ରଚିବାର ଆଶଙ୍କା ରହିଛି। ଗୁରୁବାରଠାରୁ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।
ସେ କହିଛନ୍ତି, ସଂଖ୍ୟାଗରିଷ୍ଠତା ସତ୍ତ୍ବେ ସେମାନେ ୧୫ଦିନ ପର୍ଯ୍ୟନ୍ତ ସରକାର ଗଠନ କରିପାରି ନ ଥିଲେ। ଯାହାର ସ୍ପଷ୍ଟ ଅର୍ଥ ହେଉଛି ପାର୍ଟି ଭିତରେ କିଛି ଗୋଷ୍ଠୀ କନ୍ଦଳ ଚାଲିଛି। ଶପଥ ଗ୍ରହଣ ପରେ ଏହି ବିଶୃଙ୍ଖଳା ଦେଖିବାକୁ ମିଳିବ। ସେମାନେ ଦେଶର ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି, ସେମାନେ ନିଜ ନିଜର ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି। କିନ୍ତୁ ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ଆଗାମୀ ସମୟରେ ଆପଣ ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ସଞ୍ଜୟ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଶପଥ ଗ୍ରହଣ ସମାରୋହ ମୁମ୍ବାଇର ଆଜାଦ ମଇଦାନରେ ଅପରାହ୍ନ ସାଢ଼େ ୫ଟା ରେ ଆରମ୍ଭ ହେବ। କାର୍ଯ୍ୟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହି ଶପଥ ଗ୍ରହଣ ସମାରୋହରେ ଲାଡଲି ବହେନ ଯୋଜନାର ୧,୦୦୦ ପ୍ରମୁଖ ହିତାଧିକାରୀ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button