ହଲ୍ରେ ରାଜ୍ କରୁଛି ‘ପୁଷ୍ପା ଦ ରାଇଜ୍’: ‘ପୁଷ୍ପା ସିର୍ଫ ଏକ୍ ନାମ୍ ନେହିଁ, ପୁଷ୍ପା ଏକ ବ୍ରାଣ୍ଡ୍
ଭୁବନେଶ୍ବର: ଅଲ୍ଲୁ ଅର୍ଜୁନ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ ଆଜି ରିଲିଜ୍ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ଶୀତକୁ ଖାତିର ନକରି ଭୋର୍ରୁ ଓଡ଼ିଶାର ବିଭିନ୍ନ ସିନେମା ହଲ୍ ଆଗରେ ଭିଡ଼ ଜମାଇଥିଲେ ସିନେପ୍ରେମୀ। ପୁଷ୍ପା-୨ ରିଲିଜ୍ ଖୁସିରେ ନାଚି ନାଚି ଧୂଳି ଉଡ଼ାଇ ଥିଲେ। ବାଜା ବଜେଇ ବାଣ ଫୁଟାଇ ଉତ୍ସବ ମନାଇଥିଲେ। ଓଡ଼ିଶାର ୮୦ଟି ସିନେମା ହଲ୍ରେ ପୁଷ୍ପା-୨ର ୨୫୦ରୁ ଅଧିକ ସୋ ଲାଗିଛି। ବାଲେଶ୍ବରରେ ପ୍ରଶଂସକ ଅଲ୍ଲୁଙ୍କ ପୋଷ୍ଟରକୁ କ୍ଷୀରରେ ସ୍ନାନ କରିଥିବା ଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସେହିପରି ମାଲକାନଗିରରେ ଫିଲ୍ମ ସୁଟିଂ ହୋଇଥିବାରୁ ସେଠାରେ ମଧ୍ୟ ସ୍ଥାନୀୟବାସିନ୍ଦାଙ୍କ ଉତ୍ସାହ ହଲ୍ରେ ସ୍ପଷ୍ଟ ବାରି ହୋଇ ପଡ଼ିଛି।
-୨ ପ୍ରିମିୟର୍ ସୋ’ରେ ଅଲ୍ଳୁ ଅର୍ଜୁନ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ। ଏପଟେ ଭୋର୍ ନହେଉଣୁ ଭୁବନେଶ୍ବରର ଶ୍ରୀୟା ସ୍ବାତୀ ସ୍ତୁତି ସିନେ କମ୍ପ୍ଲେକ୍ସ, ମହାରାଜା, କେଶରୀ ଟକିଜ୍ ଆଗରେ ଶହ ଶହ ଦର୍ଶକ ଫିଲ୍ମ ଦେଖିବାକୁ ଭିଡ଼ ଜମାଇଥିଲେ। ସକାଳ ୫ଟାରେ ତେଲୁଗୁ ସୋ’ପରେ ୬ଟାରେ ହିନ୍ଦୀ ସୋ ଲାଗିଥିଲା। ନବୁଝି ପାରୁଥିଲେ ବି ତେଲୁଗୁ ସୋ’ ଦେଖିବାକୁ ଭିଡ଼ ଲାଗିଥିଲା। ସବୁ ସୋ’ଗୁଡ଼ିକ ଆଗରୁ ବୁକିଂ ହୋଇଥିବାରୁ ଅନେକ ଆଶାୟୀ ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇଥିଲେ। ବଡ଼ କଥା ହେଲା ଦିନ ୧୨ଟା ପୂର୍ବରୁ ହାତ ଗଣତି କିଛି ସୋ’ରେ ୨୪୯, ୨୫୦, ୨୭୦ ଟଙ୍କା ସର୍ବନିମ୍ନ ଟିକେଟ୍ ଦର ଥିବା ବେଳେ ଅପରାହ୍ନରେ ହଠାତ୍ ଟିକେଟ୍ ଦର ହୁ ହୁ ହୋଇ ବଢ଼ି ଯାଇଥିଲା। ଅପରାହ୍ନରେ ୩୯୦ ଓ ୪୦୦ ଟଙ୍କାରୁ ଟିକେଟ୍ ଆରମ୍ଭ ହୋଇଥିଲା। ଏସ୍ପ୍ଲାନେଡ୍ରେ ସର୍ବାଧିକ ଟିକେଟ୍ ଦର ଦେଢ଼ ହଜାର ଟଙ୍କା ରହିଥିଲା। ପୂର୍ବରୁ ଆଜି ପାଇଁ କେବଳ ଭୁବନେଶ୍ବରରେ ୧୦୦ଟି ସୋ’ ଲାଗିଥିଲା। କିନ୍ତୁ ଆଜି ଦର୍ଶକଙ୍କ ଉତ୍ସାହ ଦେଖି କେବଳ ହିନ୍ଦୀ ସୋ ୧୦୧ ଏବଂ ତେଲୁଗୁ ସୋ ୧୬, ମୋଟ ୧୧୭ଟି ସୋ ଭୁବନେଶ୍ବରରେ ଲାଗିଥିଲା। ଆସନ୍ତାକାଲି ପାଇଁ ମଧ୍ୟ ୧୨୦ରୁ ଅଧିକ ସୋ ରାଜଧାନୀରେ ଲାଗିଛି।
୨୦୨୧ର ବ୍ଲକ୍ବଷ୍ଟର ‘ପୁଷ୍ପା’ କାହାଣୀ ଯେଉଁଠୁ ସରିଥିଲା ସେଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ। ଫିଲ୍ମର ପ୍ରତିଟି ସଂଳାପର ଦିୱାନା ହୋଇଥିଲେ ପ୍ରଶଂସକ। ଫିଲ୍ମ ଦେଖି ସାରିବା ପରେ ‘ପୁଷ୍ପା ସିର୍ଫ ଏକ୍ ନାମ୍ ନେହିଁ, ପୁଷ୍ପା ଏକ ବ୍ରାଣ୍ଡ୍’, ‘ପୁଷ୍ପା, ଢାଇ ଅକ୍ଷର, ନାମ୍ ଛୋଟା ହେ… ଲେକିନ୍ ସାଉଣ୍ଡ୍ ବହୁତ୍ ବଡ଼ା’, ‘ପୁଷ୍ପା କୋ ନ୍ୟାସ୍ନାଲ୍ ଖିଲାଡ଼ି ସମ୍ଝେ କ୍ୟା, ଇଣ୍ଟର୍ନ୍ୟାସ୍ନାଲ୍ ଖିଲାଡ଼ି ହେ’, ‘ପୁଷ୍ପା ନାମ୍ ସୁନ୍କର୍, ଫ୍ଲାୱାର୍ ସମ୍ଝେ କ୍ୟା.., ? ଭଳି ସଂଳାପକୁ ବାଉଳି ହେଉଛନ୍ତି ପ୍ରଶଂସକ।