ରାଜନୀତି

କେଉଁଠି ଅଟକିଛି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌? ଦ୍ବନ୍ଦ୍ବରେ ସରକାରୀ, ବିରୋଧୀ ଦଳର ବିଧାୟକ

ଭୁବନେଶ୍ବର: ନଭେମ୍ବର ୨୩, ୨୦୨୪ରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ-୨୦୨୪କୁ ଅନୁମୋଦନ କଲେ। ଏହାପରେ ମୁଖ୍ୟ ସଚିବ ଗଣମାଧ୍ୟମକୁ ବିବୃତି ଦେଇ କହିଲେ, ଆସନ୍ତା ବିଧାନସଭାରେ ଏହି ଅଧିନିୟମଟି ଆସିବ। ଯୋଜନା ମୁତାବକ ଡିସେମ୍ବର ୨ରେ ବିଧାନସଭାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ (ବିଲ୍‌),୨୦୨୪ ଉପସ୍ଥାପିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହେଲା। ହେଲେ ଏହା ଗୃହକୁ ଆସିବା ବାଟରେ କେଉଁଠି ଅଟକିଯାଇଛି। ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କଲେଣି। ଶନିବାର, ସୋମବାର ଓ ମଙ୍ଗଳବାର କୌଣସି ସରକାରୀ କାର୍ଯ୍ୟ ନଥାଇ କାହିଁକି ବିଧାନସଭା ଚାଲୁଛି ସେ ନେଇ ପ୍ରଶ୍ନ କଲେଣି।

ଆଜି ଗୃହରେ ବିଜେଡିର ବରିଷ୍ଠ ନେତା ନିରଞ୍ଜନ ପୂଜାରୀ ବୈଧାନିକ ପ୍ରଶ୍ନ ଉତ୍‌ଥାପନ ପାଇଁ ଅନୁମତି ମାଗିଥିଲେ ହେଁ ଉପବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାପରେ ‌ଶ୍ରୀ ପୂଜାରୀ କହିଥିଲେ ସବୁ ଆଇନକୁ ଆମ ଆଖି ଆଗରେ ଭଙ୍ଗା ଯାଉଛି, ଅଥଚ ଆମକୁ କହିବାକୁ ସୁଯୋଗ ଦିଆଯାଉନି। ଶ୍ରୀ ପୂଜାରୀ ଗୃହ ମଧ୍ୟଭାଗକୁ ଚାଲି ଆସି କହିଥିଲେ, କୌଣସି ସରକାରୀ କାର୍ଯ୍ୟ ନଥାଇ ବିଧାନସଭା ଚାଲିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ କାହିଁକି ଆଣୁନ? ଏହା କ୍ୟାବିନେଟ୍‌ରେ ପାସ୍‌ ହୋଇଛି। ଏବେ ଏହା ବିଧାନସଭାର ସମ୍ପତ୍ତି। କାହିଁକି ଏହାକୁ ବିଧାନସଭାରେ ଉପସ୍ଥାପନ କରାଯାଉନି? ଶ୍ରୀ ପୂଜାରୀ ଆଜି କେବଳ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ଶନିବାର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହ ବାହାରେ କହିଥିଲେ, ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଆଜି ଆଲୋଚନା ହେବାର ଥିଲା। ଏନେଇ ବିଲ୍‌ ଅର୍ଡର ପେପର ଆସିଥିଲା। ହେଲେ ଏହାକୁ ଶେଷ ମୁହୂର୍ତ୍ତରେ ଅର୍ଡର ପେପରରେ ରଖାଗଲାନି। ଶୁଣିବାକୁ ମିଳୁଛି ଯେ ଏହି ବିଲ୍‌ରେ ରାଜ୍ୟପାଳ ତଥା କୁଳାଧିପତିଙ୍କର ଯାହା ଗୁରୁତ୍ବ ରହିବା କଥା ତାହା ରଖାଯାଇନି। ତେଣୁ ରାଜ୍ୟପାଳ ଏହି ବିଲ୍‌ରେ ତ୍ରୁଟି ଥିବା ନେଇ ସରକାରଙ୍କୁ ଚିଠି ଲେଖିଛନ୍ତି। ବିଧାନସଭା ଚାଲୁଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛୁ ଯେ ଏହି ଚିଠିକୁ ଗୃହରେ ଊପସ୍ଥାପନ କରାଯାଉ। ଏହାଦ୍ବାରା ରାଜ୍ୟବାସୀ ଜାଣିପାରିବେ ଏହି ବିଲ୍‌ରେ କ’ଣ ଅସଙ୍ଗତି ଅଛି।

ଦ୍ବନ୍ଦ୍ବରେ ସରକାରୀ, ବିରୋଧୀ ଦଳର ବିଧାୟକ
ବିନା ପ୍ରସଙ୍ଗରେ ଅପରାହ୍ଣରେ କାହିଁକି ବିଧାନସଭା ଚାଲୁଛି: ନିରଞ୍ଜନ

ରାଜ୍ୟ ସରକାର ଏହି ବିଲ୍‌ ଉପସ୍ଥାପନ କରିବାକୁ ଦିନ ଗଡ଼ାଇ ଚାଲୁଥିବାବେଳେ ବିରୋଧୀ ବିଜେଡି ବିଧାୟକମାନେ ଏହା ଉପରେ ଆଲୋଚନା କରିବାକୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ହେଲେ ଏବେ ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟଦିବସ ନଥିବାରୁ ଆଉ କେତେ ଦିନ ଏହି ବିଲ୍‌କୁ ଅପେକ୍ଷା କରି ଗୃହ ଚାଲିବ ସେନେଇ ବି ପ୍ରଶ୍ନ ଉଠିଲାଣି। ପୂର୍ବର ବିଜେଡି ସରକାର ୨୦୨୦ ମସିହାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ଆଣିଥିଲେ। ଏଥିରେ ବିଶ୍ବବିଦ୍ୟାଳୟରେ ପ୍ରଫେସର ନିଯୁକ୍ତିକୁ କୁଳପତିଙ୍କ ହାତରୁ ଛଡ଼ାଇ ନେଇ ଓପିଏସ୍‌ସି ଦ୍ବାରା କରାଇଥିଲେ। କୁଳପତି ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥିଲେ। କିନ୍ତୁ କିଛି ଶିକ୍ଷାବିତ୍ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ, ୨୦୨୦କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିବା ପରେ ଗତ କିଛି ବର୍ଷ ହେଲା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଠପ୍ ହୋଇଯାଇଛି। କୁଳପତି ଚୟନ ହେଉନଥିବାରୁ ତିନି ଜଣ କୁଳପତିଙ୍କ କାର୍ଯ୍ୟକାଳକୁ ୬ମାସ ପର୍ଯ୍ୟନ୍ତ କିମ୍ବା ନୂଆ କୁଳପତି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ବଢ଼ାଯାଇଛି।

ନିକଟରେ ବିଜେପି ସରକାର ପୁଣି ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍‌କୁ ଆଣିଥିଲେ। ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଥିବାରୁ ଏହି ଆଧାରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ପୁଣି ସଂଶୋଧନ କରାଯାଇଛି ବୋଲି କୁହାଗଲା। ହେଲେ ଏଥି‌େର କ’ଣ ଏମିତି ତ୍ରୁଟି ଅଛି ଯେ ସରକାର ବିଧାନସଭାରେ ଏହି ବିଲ୍‌ ଉପସ୍ଥାପନ କରିବାକୁ ଦିନ ଗଡ଼ାଉଛନ୍ତି ସେନେଇ ଏବେ ସବୁଠି ଚର୍ଚ୍ଚା। ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ସଂଶୋଧନ ଦ୍ବାରା ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ନିଯୁକ୍ତି ପାଇଁ ଅଧିକ ସ୍ବଚ୍ଛ ଏବଂ ସମୟ ସୀମାବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନ ଅଣାଯାଇଛି। ଏହାବ୍ୟତୀତ ସଂଶୋଧିତ ଅଧିନିୟମରେ ସିନେଟ୍‌, ଅର୍ଥ କମିଟି ଏବଂ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସ୍ବାୟତ୍ତତା ଦିଆଯାଇଛି। ବିଭିନ୍ନ କମିଟି ଗଠନ ନେଇ ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅଧିକାର ପ୍ରଦାନ କରାଯାଇଛି। ଚଳିତ ଅଧିବେଶନରେ ଏହି ବିଲ୍‌ ଉପସ୍ଥାପିତ ହେବ। ନଚେତ୍ ‌ବିଲ୍ ପାରିତ କରିବାକୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହାଦ୍ବାରା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଆହୁରି ବିଳମ୍ବିତ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button