ରାଜ୍ୟ

ଜାନୁଆରି ୨ରୁ ଜ୍ଞାନ ଓ ବିଜ୍ଞାନ ସମ୍ବଳିତ ଗୀତା କଥା: ମାର୍ଗଦର୍ଶନ ଦେବେ ପୂଜ୍ୟପୂଜକ ବାବା ବଳିଆ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୨ରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜ୍ଞାନବିଜ୍ଞାନ ସମ୍ବଳିତ ଗୀତାକଥା କହିବେ ସମାଜ ସଂସ୍କାରକ ପଦ୍ମଶ୍ରୀ ଶ୍ରୀମଦ୍‌ ବାବା ବଳିଆ। ଅନନ୍ତ ବଳିଆ ଟ୍ରଷ୍ଟ ଭୁବନେଶ୍ବର ଶାଖା ସଂଘ, ବିଶ୍ବ ସନାତନ ସେବା ସଂଘ ଓ ଗୀତା ସାବିତ୍ରୀ ସଂଘର ମିଳିତ ସହଯୋଗରେ ହେବାକୁ ଥିବା ଏହି ୫ଦିନିଆ କାର୍ଯ୍ୟକ୍ରମର ସଫଳତା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ବାଗତ କମିଟିର ଅଧ୍ୟକ୍ଷ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ପରିବେଶ ଓ ନଦୀ ସୁରକ୍ଷା ପାଇଁ ଦୀର୍ଘ କାଳ ଧରି ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଯୋଗାଯୋଗ କରାଯିବ। ଗଣତନ୍ତ୍ର ପାଇଁ ହେବାକୁ ଥିବା ଆଲୋଚନାଚକ୍ରକୁ ପ୍ରଭାବଶାଳୀ କରିବାକୁ ହେଲେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ‌ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଅଭିଜ୍ଞତାସମ୍ପନ୍ନ ପୂର୍ବ ପ୍ରଶାସକ, ପ୍ରାଧ୍ୟାପକ, ନିର୍ବିବାଦୀୟ ଗଣମାଧ୍ୟମ ପ୍ରତିନିଧି, ସାମାଜିକ ଆନ୍ଦୋଳନର କର୍ମକର୍ତ୍ତା ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କୁ ସାମିଲ୍ କଲେ ଶ୍ରୀମଦ୍ ବାବାଙ୍କ ପୂର୍ବ କାର୍ଯ୍ୟକ୍ରମମାନଙ୍କ ଭଳି ଏହି କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବଶାଳୀ ହେବ।
କମିଟିର ସାଧାରଣ ସମ୍ପାଦକ ବାବା ପ୍ରଣବାନନ୍ଦ ଦାସ ଓ ସ୍ୱାଗତ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଆସନ୍ତା ଜାନୁଆରି ୨ ତାରିଖ ଦିନ ୧୦ଟାରେ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରାଯିବ। ସନ୍ଧ୍ୟା ସାଢ଼େ ୫ଟାରେ ଉଦ୍‌ଘାଟନୀ ସମାରୋହ ଏବଂ ୬ଟାରେ ଗୀତା ମାର୍ଗଦର୍ଶନରେ ‘କାହିଁକି ପଢ଼ିବା ଗୀତା?’ ଉପରେ ବାବା ବଳିଆ ମାର୍ଗଦଶନ ଦେବେ। ୩ରୁ ୫ ତାରିଖ ପ୍ରତ୍ୟେକ ଦିନ ୧୦ଟାରୁ ଦିନ ୧ଟା ଯାଏ ଯଥାକ୍ରମେ ‘ପରିବେଶ ଓ ପରିବାର ସ୍ବଚ୍ଛତା ପାଇଁ ଆମର କର୍ତ୍ତବ୍ୟ କଣ?, ମୁଁ, ମୋ ରାଷ୍ଟ୍ର ଓ ମୋ ରାଷ୍ଟ୍ର ଧର୍ମ ଏବଂ ଦୁର୍ନୀତିମୁକ୍ତ ଗଣତନ୍ତ୍ର ପାଇଁ ଆମ କର୍ତ୍ତବ୍ୟ ଓ ଅଧିକାର’ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ୩ ତାରିଖ ସନ୍ଧ୍ୟାରେ ‘ଜୀବନ ଏକ ଗୀତା’, ୪ରେ ‘ନିଜ ଭିତରେ ଶାନ୍ତି ପାଇବାର ଉପାୟ’, ୫ରେ ‘ମୁଁ କିଏ, କେଉଁଠୁ ଆସିଛି ଓ ମୋର କର୍ତ୍ତବ୍ୟ କ’ଣ’ ଏବଂ ୬ ତାରିଖ ସନ୍ଧ୍ୟାରେ ‘ନିଜକୁ ଜାଣିବାର କୌଶଳ’ ବିଷୟରେ ବାବା ବଳିଆ ମାର୍ଗଦର୍ଶନ ଦେବେ। ୬ ତାରିଖ ଦିନ ୧୦ରେ ଗୁରୁ ପ୍ରଣାମ ମହୋତ୍ସବ ଅନୁଷ୍ଠିତ ହେବ।

ଏହି ଆଲୋଚନାରେ ବାବା ରାଧେଶ୍ୟାମ ଦାସ, ଇଂ ପ୍ରକାଶ ଦାଶ, ବିକ୍ରମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ। ଏହି ମହାନ୍ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯେଉଁମାନେ ଆନ୍ତରିକ ସହଯୋଗ କରିବାକୁ ଚାହିଁବେ ସେମାନେ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ତଥା ‘ଅନନ୍ତ ପ୍ରଭା’ର ସମ୍ପାଦକ ବାବା ପ୍ରଣବାନନ୍ଦ ଦାସଙ୍କ ସହ ୯୩୩୭୩୩୧୨୩୧ରେ ଯୋଗାଯୋଗ କରିବାକୁ ସଚ୍ଚିଦାନନ୍ଦ ନିବେଦନ କରିଛନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button