ରାଜ୍ୟ

ପରକୀୟା ପ୍ରେମରୁ ପତ୍ନୀଙ୍କୁ ଗୁଳି: ଗର୍ଭବତୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

ରାଉରକେଲା/ବଣାଇଗଡ଼: ନିଜେ ଜହ୍ଲାଦ ସାଜିଲା ସ୍ବାମୀ। ରାତି ଅନ୍ଧାରରେ ୭ ମାସର ଗର୍ଭବତୀ ପତ୍ନୀଙ୍କୁ ଗୁଳିକରି ହତ୍ୟା କଲା ଓ ଲୁଟେରାଙ୍କ ନାଁ ଦେଲା। କିନ୍ତୁ ଏହି ସରକାରୀ ଚାକିରିଆ ପତ୍ନୀହନ୍ତାର ଅଭିନୟ ବେଶି ସମୟ କାମ ଦେଲା ନାହିଁ। ହତ୍ୟାର ମାତ୍ର ୩୬ ଘଣ୍ଟା ମଧ୍ୟରେ ପୁଲିସ୍‌ ରହସ୍ୟର ପର୍ଦ୍ଦାଫାସ କରି ହତ୍ୟାକାରୀ ସ୍ବାମୀ ହାତରେ ହାତକଡ଼ି ପିନ୍ଧାଇଛି। ହତ୍ୟାରେ ସହଯୋଗ କରିଥିବା ପୁଲିସ୍ ଚାକିରିଆ ଭିଣୋଇ ମଧ୍ୟ ବନ୍ଧା ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏଠାରେ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ପରକୀୟା ପ୍ରେମର ପ୍ରତିବାଦ କରିବାରୁ ୧୦ ମାସ ତଳେ ବାହା ହୋଇଥିବା ନିରୀହ ପତ୍ନୀର ଜୀବନଦୀପ ଲିଭାଇ ଦେଇଥିବା ଜହ୍ଲାଦର ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କରିଛନ୍ତି। ଗୁରୁଣ୍ଡିଆରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଭାବେ କାମ କରୁଥିବା ଟିକାୟତପାଲି ଥାନା ଝିର୍ଡାପାଲି ଗାଁର ହତ୍ୟାକାରୀ ଦେବେନ୍ ବେହେରା (୩୫) ଏବଂ ତା’ ପାଇଁ ହତ୍ୟାର ବ୍ଲୁ’ପ୍ରିଣ୍ଟ ତିଆରି କରିଥିବା ଏଏସ୍‌ଆଇ ଭିଣୋଇ ବଣାଇ ଥାନା ଅନ୍ତର୍ଗତ ଗୋପୀନାଥପୁରର ସତ୍ୟନାରାୟଣ ବେହେରା (୪୮)ର ଗିରଫ ସଂପର୍କରେ ସୂଚନା ଦେଇଛନ୍ତି। ସତ୍ୟନାରାୟଣ ରାଉରକେଲା କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଅଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ସ୍କର୍ପିଓ (ଓଡି୧୪ଏସି ୩୫୩୧), ଏକ ଦେଶୀ ପିସ୍ତଲ ସହ ତିନିଟି ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ କରିଛି।

ବୁଧବାର ମଧ୍ୟରାତ୍ରିରେ ଝିର୍ଡାପାଲି ଗାଁର ଦେବେନ୍‌ର ଘରେ ଗର୍ଭବତୀ ବୋହୂକୁ ଗୁଳିକରି ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସ୍ବାମୀର ପରକୀୟା ପ୍ରୀତିର ପ୍ରତିବାଦ କରି ବହୁମୂଲ୍ୟ ଦେଇଥିଲେ ମୃତା ଶ୍ୟାମାମୟୀ ବେହେରା (୩୩)। ଡିଆଇଜିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ପାଇଁ ଦୁଇଟି ପୁଲିସ ଟିମ୍‌ ଗଠିତ ହୋଇଥିଲା। ଗୋଟିଏ ଟିମ୍‌ ଅଭିଯୁକ୍ତ ଦେବେନ ଓ ତା’ ଭିଣୋଇ ସତ୍ୟନାରାୟଣକୁ ଜେରା କରିଥିଲା। ଅନ୍ୟ ଟିମ୍‌ ପାରପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ପରେ ଲୁଟ୍‌ ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ଜାଣିଥିଲା। ଗତ ଫେବ୍ରୁଆରି ୭ରେ ଅନୁଗୁଳ ଛେଣ୍ଡିପଦାର ପୀତାମ୍ବର ବେହେରାଙ୍କ ଝିଅ ଶ୍ୟାମାମୟୀଙ୍କୁ ଝିର୍ଡାପାଲି ଗ୍ରାମର ଦେବେନ ବିବାହ କରିଥିଲା। ଶ୍ୟାମାମୟୀଙ୍କୁ ବିବାହ ପୂର୍ବରୁ ଦେବେନ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଶ୍ୟାମାମୟୀ ପ୍ରତିବାଦ କରିବାରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏପରିକି ଶ୍ୟାମାମୟୀ ବିବାହର ୧୦ ଦିନ ପରେ ବାପଘରକୁ ବୁଲିଯିବାକୁ ଚାହିଁଥିଲେ। ଧରାପଡିଯିବା ଭୟରେ ଦେବେନ ପତ୍ନୀଙ୍କୁ ଛାଡ଼ିନଥିଲା। ୭ ମାସର ଗର୍ଭବତୀ ହେବା ପରେ ଶ୍ୟାମାମୟୀ ସ୍ବାମୀ ଦେବେନକୁ ଉକ୍ତ ଯୁବତୀ ସହ ଆଦୌ ମିଳାମିଶା ନ କରିବା ଲାଗି ତାଗିଦ କରିଥିଲେ। ଯାହାକୁ ନେଇ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମାଡ଼ପିଟ୍‌ ମଧ୍ୟ ହୋଇଥିଲା।

ଅଭିଯୁକ୍ତ ସ୍ବାମୀ, ପୁଲିସ୍ ଭିଣୋଇ ଗିରଫ

ଶେଷରେ ଦେବେନ ପତ୍ନୀ ଶ୍ୟାମାମୟୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା। ଏଥି ପାଇଁ ସେ ପୁଲିସ୍‌ ଭିଣୋଇ ସତ୍ୟନାରାୟଣର ସହଯୋଗ ଲୋଡ଼ିଥିଲା। ଭିଣୋଇ ତାକୁ ଦେଶୀ ପିସ୍ତଲ ଯୋଗାଇ ଦେଇଥିଲା। ହତ୍ୟାକାଣ୍ଡକୁ ଲୁଟ୍‌ ବୋଲି କହି ଅଭିନୟ କରିବାକୁ ବୁଦ୍ଧି ବତାଇଥିଲା। ଘଟଣାଦିନ ସକାଳେ ଅଭିଯୁକ୍ତ ଦେବେନ ପତ୍ନୀଙ୍କୁ ବଣାଇ ନେଇ ବିଭିନ୍ନ ଦୋକାନରୁ ମାର୍କେଟିଂ କରାଇଥିଲା। ଉଭୟ ବାହାରେ ଖାଇ ବୁଲାବୁଲି କରି ଫେରିଥିଲେ। ରାତିରେ ଖାଇସାରିବା ପରେ ପରେ ବିଳମ୍ୱିତ ରାତି ଯାଏଁ ଟିଭିରେ ସିନେମା ଦେଖିଲା ଦେବେନ। ରାତି ପ୍ରାୟ ସାଢ଼େ ୧୨ଟାରେ ଶ୍ୟାମାମୟୀ ଶୌଚ ହେବାକୁ ବାଥରୁମ ଯାଇଥିବାବେଳେ ପଛପଟ କବାଟ ଖୋଲି ସମସ୍ତ ଲାଇଟ୍‌କୁ ଦେବେନ ବନ୍ଦ କରିଦେଇଥିଲା। ପତ୍ନୀ ବାଥ୍‌ରୁମରୁ ବାହାରିବା ମାତ୍ରେ ଅନ୍ଧାରର ସୁଯୋଗରେ ନିଜେ ଗୁଳି ଫୁଟାଇ ଦେଇଥିଲା। ପରେ ମିଛ କାହାଣୀ ତିଆରି କରି ଅଭିନୟ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ୟାମାମୟୀଙ୍କୁ ବଣାଇ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ୍ ଦେବେନ୍‌ର ଘରୁ ଏକ ହାଣ୍ଡି ଭିତରୁ ବ୍ୟବହୃତ ଦେଶୀ ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ଜବତ କରିଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ, ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ର ଓ ପ୍ରିୟଶଙ୍କର ନାୟକ, ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ ଉପସ୍ଥିତ ଥିଲେ।

କଠୋର କାର୍ଯ୍ୟାନୁଷ୍ଠାନ ଦାବିକଲେ ଅଗସ୍ତି ହତ୍ୟାର ଶିକାର ହୋଇଥିବା ଶ୍ୟାମାମୟୀ ବେହେରା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ କକାଝିଅ ଭଉଣୀ। ହତ୍ୟାର ଖବର ପାଇବା ପରେ ଶ୍ୟାମାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଅଗସ୍ତି ବି ହତ୍ୟାକାଣ୍ଡ ଘଟିଥିବା ଗାଁକୁ ଆସିଥିଲେ। ପୁଲିସ୍‌ ହତ୍ୟା ରହସ୍ୟର ପର୍ଦ୍ଦାଫାସ କରିବା ପୂର୍ବରୁ ଅଗସ୍ତି ଏବଂ ମୃତକଙ୍କ ଭାଇ ଗଣମାଧ୍ୟମକୁ ଦେଇଥିବା ପ୍ରାଥମିକ ପ୍ରତିକ୍ରିୟାରେ ସ୍ବାମୀ ଓ ଶାଶୂଘର ଲୋକଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ବିଧାୟକ ଶ୍ରୀ ବେହେରା ‘ସମ୍ବାଦ’କୁ କହିଥିଲେ ଯେ ଝିଅ ଖୁବ ଶାନ୍ତଶିଷ୍ଟ ଓ ସରଳ ଥିଲା। ବିବାହ ପରଠାରୁ ତାଙ୍କ ଶାଶୂଘର ଲୋକଙ୍କ ଆଚରଣ ସନ୍ଦେହଜନକ ଥିଲା। ସେମାନେ ଝିଅକୁ ବାପଘରକୁ ଛାଡ଼ିବାକୁ ନାରାଜ ଥିଲେ। ଏପରିକି ମୁଁ ଫୋନ୍ କରି ପିଠାଖିଆ ପାଇଁ ଝିଅକୁ ଆଣିବାକୁ କହିଥିଲି, କିନ୍ତୁ ସେମାନେ ମନା କରିଥିଲେ। ଜଣେ ୭ ମାସର ଗର୍ଭବତୀଙ୍କ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଧାୟକ ଦାବି କରିଛନ୍ତି। ମୃତକଙ୍କ ଭାଇ ମଧ୍ୟ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button