ଓୟୋ ହୋଟେଲ ପଛ ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଜବତ: ଆତ୍ମହତ୍ୟା ନା ହତ୍ୟା?
ଭୁବନେଶ୍ବର: ଭରତପୁରସ୍ଥିତ ଏକ ଓୟୋ ହୋଟେଲ ନିକଟ ଡ୍ରେନ୍ରୁ ଆଜି ସକାଳୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତ ଯୁବକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଦୀପକ ନାୟକ(୨୮)। ଆଜି ସକାଳୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ଭରତପୁର ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଡ୍ରେନ୍ରୁ ଯୁବକଙ୍କ ମୃତଦେହ ଜବତ କରି ଛାନଭିନ ଆରମ୍ଭ କରିଥିଲା। ପୁଲିସ ଓୟୋ ହୋଟେଲ ସିସିଟିଭି ଯାଞ୍ଚ କରିବା ସହିତ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ଯୁବକଙ୍କ ପରିଚୟ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ଗତ ୧୦ ତାରିଖ ରାତିରେ ଦୀପକଙ୍କ ସହ ଜଣେ ବିଧବା ମହିଳା, ଦୁଇଜଣ ଯୁବତୀ, ଜଣେ ୯ ମାସର ଶିଶୁ ଉକ୍ତ ହୋଟେଲକୁ ରାତିରେ ରହିବାକୁ ଆସିଥିଲେ। ଗୋଟିଏ ରୁମରେ ୪ ଜଣ ରହିବାକୁ ହୋଟେଲ କର୍ମଚାରୀ ମନା କରିଥିଲେ। ପରେ ମହିଳାମାନେ ଅନୁରୋଧ କରିବାରୁ ରାଜି ହୋଇଥିଲେ। ଦୀପକ ରାତି ଖାଇବା ପରେ ତଳେ ଆସି ରିସେପସନ୍ରେ ଶୋଇବେ ବୋଲି କହିଥିଲେ। ହେଲେ ସେ ରାତିରେ ଖାଇବାକୁ ଆସି ନଥିଲେ। ମହିଳା ଓ ଯୁବତୀମାନେ ମଧ୍ୟ ତା’ ପର ଦିନ ଚାଲି ଯାଇଥିଲେ। ହେଲେ ଦୀପକ କୁଆଡ଼େ ଗଲେ କେହି ଜାଣି ନଥିଲେ। କିନ୍ତୁ ତିନି ଦିନ ପରେ ଅର୍ଥାତ ଆଜି ତାଙ୍କ ମୃତଦେହ ହେଟେଲ ନିକଟ ଡ୍ରେନରୁ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି। ଅପରପକ୍ଷରେ ତାଙ୍କ ପୁଅକୁ ଜଣେ ମହିଳା ମାରି ଦେଇଥିବା କହି ଦୀପକଙ୍କ ମା’ ହସ୍ପିଟାଲରେ ବାହୁନି କାନ୍ଦୁଥିଲେ।
ଦୀପକ ବେଙ୍ଗାଲୁରୁରେ ରହି କାମ କରୁଥିଲେ। କିଛି ଦିନ ତଳେ କାମ ଛାଡ଼ି ଭୁବନେଶ୍ବର ଆସି ଭରତପୁର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ। କିଛି ଦିନ ପରେ ସେ ଜଣେ ମହିଳାଙ୍କ ସମ୍ପର୍କରେ ଆସିଥିଲେ। ଦୁହେଁ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମ କରୁଥିଲେ। ମହିଳାଜଣକ ବିଭିନ୍ନ ସମୟରେ ଦୀପକ ରହୁଥିବା ଘରକୁ ଆସୁଥିବା ପଡ଼ୋଶୀମାନେ ଦେଖିଥିଲେ। ଗତ ରବିବାର ସେମାନେ ବିହାରରେ ଏକ ଷ୍ଟେଜ୍ ପ୍ରୋଗ୍ରମ ସାରି ଫେରିଥିଲେ। ୧୦ ତାରିଖ ଦିନ ଭରତପୁର ଅଞ୍ଚଳର ଉକ୍ତ ହୋଟେଲରେ ରହିଥିଲେ। ମହିଳାଙ୍କ ସୂଚନାନୁସାରେ ରୁମରେ ରହିବାକୁ ନେଇ ଦୀପକ ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୀପକ ରୁମରୁ ବାହାରି ଯାଇଥିଲେ। ଆଉ ଫେରି ନଥିଲେ। ସେ ପଳାଇ ଯାଇଥିବା ଭାବି ସେମାନେ ଦୀପକଙ୍କ ବ୍ୟାଗକୁ ରିସେପସନ୍ରେ ଦେଇ ତା’ ପରଦିନ ଚାଲିଯାଇଥିଲେ। ଅପରପକ୍ଷରେ ସିସିଟିଭି ଫୁଟେଜ୍ରୁ ଦୀପକ ଛାତ ଉପରକୁ ଏକା ଯାଉଥିବା ଜଣାପଡ଼ିଛି। ତିନି ଦିନ ଧରି ବ୍ୟାଗ ହୋଟେଲରେ ରହିଥିଲେ ମଧ୍ୟ କାହିଁକି ପୁଲିସକୁ ଖବର ଦେଇ ନଥିଲେ କିମ୍ବା ପରିବାର ଲୋକଙ୍କୁ ଯୋଗାଯୋଗ କରି ନଥିଲେ? ମହିଳାମାନେ କାହିଁକି ନିଖୋଜ ଖବର ଦେଇ ନଥିଲେ? ମହିଳାଙ୍କ ସହ ଦୀପକଙ୍କ ସମ୍ପର୍କ କ’ଣ? ପୁଲିସ ଏ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ସହିତ ଆସିଥିବା ମହିଳା ଓ ଯୁବତୀମାନଙ୍କୁ ଡାକି ପୁଲିସ ପଚରାଉଚରା ଆରମ୍ଭ କରିଛି।