IBN ଓଡ଼ିଶା ବ୍ୟୁରୋ

ସେନ୍‌ସେକ୍ସ ୧୦୬୪ ପଏଣ୍ଟ ଖସିଲା: ନିବେଶକ ହରାଇଲେ ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାରରେ କାରବାର ଆଜି ଘୋର ଅସ୍ଥିର ଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇନ୍‌ଫୋସିସ୍‌ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭଳି ବଡ଼ ବଡ଼ ସଂସ୍ଥାର ସେୟାର ବିପୁଳ ମାତ୍ରାରେ ବିକ୍ରି ହେବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ମଙ୍ଗଳବାର ୧୦୬୪ ପଏଣ୍ଟ ହ୍ରାସ ପାଇ ୮୦,୬୮୪ ପଏଣ୍ଟରେ ବନ୍ଦ ହୋଇଛି। ‌ଅନ୍ୟତମ ଷ୍ଟକ୍ ବଜାର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୩୨ ପଏଣ୍ଟ ହ୍ରାସ ପାଇ ୨୪,୩୬୬ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ନିବେଶକମାନେ ୨.୩୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୨୫୭.୭୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ମଙ୍ଗଳବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ଭାରତୀ ଏୟାରଟେଲ୍‌ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ଟାଟା ମୋଟର୍ସ, ଆଦାନୀ ପୋର୍ଟସ୍‌, ଟେକ୍ ମହିନ୍ଦ୍ରା, ଏଚ୍‌ୟୁଏଲ୍‌, ଏଚ୍‌ସିଏଲ୍‌ ଟେକ୍ ଓ ପାୱାର ଗ୍ରିଡ୍‌ର ସେୟାର ମୂଲ୍ୟ ବଢ଼ିଛି।

ମଙ୍ଗଳବାର ଷ୍ଟକ୍ କାରବାର ଅସ୍ଥିର ରହିବାର ବିଭିନ୍ନ କାରଣ ମଧ୍ୟରୁ ଆମେରିକାର ଫେଡେରାଲ୍‌ ରିଜର୍ଭ ଆସନ୍ତାକାଲି ସୁଧ ହାରକୁ ନେଇ କ’ଣ ନିଷ୍ପତ୍ତି ନେବ ତାହାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ହେଉଛି ଅନ୍ୟତମ ପ୍ରମୁଖ କାରଣ। ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର‌ ସେୟାର ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ବିଯୁକ୍ତ ରିଟର୍ଣ୍ଣ ପ୍ରଦାନ କରିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ‌ଚେତା‌ବନୀ ଦେଇଛନ୍ତି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇ ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଚୀନ୍ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଆମଦାନି ତୁଳନାରେ ରପ୍ତାନି ଯଥେଷ୍ଟ କମ୍ ରହିବାରୁ ବାଣିଜ୍ୟ ନିଅଣ୍ଟ ବେଲଗାମ ହୋଇପଡ଼ିଛି। ଏହି ସମସ୍ତ କାରଣ ଲାଗି ଷ୍ଟକ୍ ବଜାରରେ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button