ଦେହାନ୍ତ ପରେ ଏତେ କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଉସ୍ତାଦ୍ ଜାକିର୍ ହୁସେନ୍

ନୂଆଦିଲ୍ଲୀ: ବିଶ୍ବରେ ଭାରତୀୟ ସଙ୍ଗୀତ ଜଗତର ଉଜ୍ଜ୍ବଳ ଦୀପଶିଖା ଜାକିର ହୁସେନଙ୍କ ଜୀବନ ଦୀପ ଲିଭିଯାଇଛି। ୭୩ ବର୍ଷ ବୟସରେ ଆମେରିକାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତବଲାରେ ତାଙ୍କ ଆଙ୍ଗୁଠି ଚାଲିବା ସମୟରେ ଯେଉଁ ନାଦ ଏବଂ ତାଳ ସୃଷ୍ଟି ହେଉଥିଲା ତାହା ସମସ୍ତଙ୍କୁ ବାନ୍ଧି ରଖୁଥିଲା।
ମୁକୁଳା କେଶଗୁଚ୍ଛା ସହ ସୌମ୍ୟକାନ୍ତି ଚେହେରାର ଜାକିର ଯେ କେବଳ ଜଣେ ବିଖ୍ୟାତ ତବଲା ବାଦକ ବା ସଙ୍ଗୀତଜ୍ଞ ଥିଲେ ତାହା ନୁହେଁ ଜଣେ ନମ୍ର ଓ ଭଦ୍ର ବ୍ୟକ୍ତିଭାବେ ମଧ୍ୟ ପରିଚିତ ଥିଲେ। ଭାରତର ମୁମ୍ବାଇରେ ୧୯୫୧ ମସିହାରେ ଜନ୍ମିତ ଜାକିର ୨୦୨୪ ମସିହାରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଆରପାରିକୁ ଚାଲିଯାଇଛନ୍ତି। ତାଙ୍କ ପରଲୋକରେ ଭାରତ ଏବଂ ବିଶ୍ବ ସଙ୍ଗୀତଜଗତ ଜଣେ ଖ୍ୟାତନାମା ସଙ୍ଗୀତଜ୍ଞଙ୍କୁ ହରାଇଛି।
ଦେହାନ୍ତ ପରେ ସେ କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି, ତାହା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ମୁତାବକ, ଉସ୍ତାଦ୍ ଜାକିର୍ ମୋଟ ୮.୪୮କୋଟିର ମାଲିକ ଥିଲେ। ସେ ପ୍ରତି କନସର୍ଟ ପାଇଁ ୫ରୁ ୧୦ଲକ୍ଷ ପାରିଶ୍ରମିକ ନେଉଥିଲେ।




