ଖେଳ

ବେଦାନ୍ତ କଳିଙ୍ଗ ଲାନ୍‌ସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୁବନେଶ୍ବର: ହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ବର ଭିତ୍ତିକ ଦଳ ’ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ‌ରେ ଉନ୍ମୋଚିତ ହୋଇଯାଇଛି। ନୀଳ ଓ ସବୁଜ ରଙ୍ଗର ମିଶ୍ରଣ ଥିବା ଜର୍ସିରେ କମଳା ଓ ଧଳା ରଙ୍ଗକୁ ମଧ୍ୟ ସାମିଲ କରାଯାଇଛି। ଯାହା ଓଡ଼ିଶାର ମହନୀୟ ଇତିହାସ, ସମୃଦ୍ଧ କଳା ସଂସ୍କୃତି, ଐତିହ୍ୟ, ଭୂଗୋଳ ସହ ଭବିଷ୍ୟତର ଆଶା ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ର ଜର୍ସିର ଛାତିରେ ଗର୍ବର ସହ ସ୍ଥାନିତ ହୋଇଛି। ଉତ୍ତର ଓଡ଼ିଶାର ଛଉ ଓ ଦକ୍ଷିଣର ଘୁମୁରା ନୃତ୍ୟର ଝଲକ ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ଡିଜାଇନ୍‌ ମଧ୍ୟ ଅତି ସୁନ୍ଦର ଭବେ ଚିତ୍ରିତ ହୋଇଛି। ସେହିଭଳି ଦଳର ମାସ୍କଟ୍‌ ‘ଜିତ୍’ ଆଜି ଆନୁଷ୍ଠାନିକ ଭାବେ ସମସ୍ତଙ୍କ ସାମ୍ନାକୁ ଆ‌ସିଛି। ଆନ୍ଥେମ୍ ‘ଜଜବା କି ଜିତ୍’ ‌କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ପ୍ରତିପାଦିତ କରୁଛି।

ଗୁରୁବାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜର୍ସି ଓ ମାସ୍କଟର ଉନ୍ମୋଚନ କରିଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା, ବେଦାନ୍ତର ସିଓଓ ସୁନୀଲ ଗୁପ୍ତା, କଂପାନିର ବରିଷ୍ଠ ଅଧିକାରୀ, କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ, ଦଳୀୟ ଖେଳାଳି ଏବଂ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନଙ୍କୁ ବେଦାନ୍ତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥିମଧ୍ୟରେ ରହିଥିଲେ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ, କେ ପପ୍ ଷ୍ଟାର୍ ଶ୍ରୀୟା ଲେଙ୍କା, ମଡେଲ ତଥା ଅଭିନେତ୍ରୀ ସ୍ବପ୍ନା ପତି, ଓଡ଼ିଶୀ ନୃତ୍ୟାଙ୍ଗନା ଇଲିଆନା ସିତାରିଷ୍ଟ ପ୍ରମୁଖ।

ପ୍ରକାଶଯୋଗ୍ୟ ଯେ ୨୦୧୩ରେ ସ୍ଥାପିତ ହୋଇ ୨୦୧୪ରେ ହକି ଇଣ୍ଡିଆ ଲିଗ୍‌ରେ ପଦାର୍ପଣ କରିଥିବା କଳିଙ୍ଗ ଲାନ୍‌ସର୍ସ ପୂର୍ବରୁ ଓଡ଼ିଶା ସରକାରଙ୍କ ମାଲିକାନାରେ ଥିଲା। ଚଳିତ ବର୍ଷର ନିଲାମରେ ଏହି ଦଳକୁ ବେଦାନ୍ତ କଂପାନି କିଣି ନେଇଥିଲା। ଲିଗ୍‌ର ଅନ୍ୟତମ ଲୋକପ୍ରିୟ ଦଳ ଲାନ୍‌ସର୍ସ ୨୦୧୬ରେ ଉପବିଜେତା ହୋଇଥିଲା। ୨୦୧୭ରେ ଆହୁରି ଭଲ କରି ବିଜେତା ହେବାର ଗୌରବ ଅର୍ଜନ କରିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button