IBN ଓଡ଼ିଶା ବ୍ୟୁରୋ

ଲଦି ଦିଆଯାଉଛି କେନ୍ଦ୍ରୀୟ ଯୋଜନା: ରାଜ୍ୟଙ୍କୁ ମାତ୍ରାଧିକ ଯୋଜନା ଚାପ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯାଉଛି କେନ୍ଦ୍ରୀୟ ଯୋଜନା। ପାଣ୍ଠି ‌ଲୋଭ ଦେଖାଇ କାର୍ଯ୍ୟକାରୀ କରିବାକୁ କୁହାଯାଉଛି। କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ସବୁ କଳକୌଶଳକୁ ବ୍ୟବହାର କରିବା ପରେ ନିଜ ପ୍ରାଥମିକ ‌ଯୋଜନାଗୁଡ଼ିକ ପ୍ରତି ରାଜ୍ୟମାନେ ଧ୍ୟାନ ଦେଇପାରୁନାହାନ୍ତି। ଅଥବା ସେସବୁ ବିଷୟରେ ଚିନ୍ତା କରିବା ଲାଗି ସେମାନଙ୍କ ପାଖରେ ଆବଶ୍ୟକ ପାଣ୍ଠି ରହୁନାହିଁ। ଦେଶରେ ବର୍ତ୍ତମାନ ସମୟରେ ଚାଲିଥିବା ମାତ୍ରାଧିକ କେନ୍ଦ୍ରୀୟ ଯୋଜନା ଚାପକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି।

ରାଜ୍ୟଙ୍କୁ ମାତ୍ରାଧିକ ଯୋଜନା ଚାପ
ସଂଘୀୟ ଭାବନା କ୍ଷୁଣ୍ଣ କରୁଛି: ରିଜର୍ଭ ବ୍ୟାଙ୍କ

ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରେ ଜଣାଇଛି ଯେ ମାତ୍ରାଧିକ କେନ୍ଦ୍ରୀୟ ଯୋଜନା ଲାଗୁ ହେବା ଦ୍ବାରା ତାହା ଦେଶରେ ସମବାୟ ବିତ୍ତୀୟ ସଂଘୀୟ ବ୍ୟବସ୍ଥା ଭାବନା କ୍ଷୁଣ୍ଣ କରୁଛି। ଖର୍ଚ୍ଚ କରିବାରେ ରାଜ୍ୟଙ୍କ ପାଖରେ ରହିଥିବା ସୁଯୋଗକୁ ମଧ୍ୟ ତାହା ସଙ୍କୁଚିତ କରୁଛି। କେନ୍ଦ୍ର ପ୍ରାୟୋଜିତ ଯୋଜନା କୋହଳ ହେଲେ ରାଜ୍ୟଗୁଡ଼ିକ ନିଜର ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା କାର୍ଯ୍ୟରେ ଅଧିକ ପାଣ୍ଠି ବ୍ୟୟ କରିପାରିବେ। ଏହା ଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ରହୁଥିବା ବିତ୍ତୀୟ ବୋଝ ମଧ୍ୟ କମ୍ ହୋଇପାରିବ। କେନ୍ଦ୍ରୀୟ ଯୋଜନାଗୁଡ଼ିକ ଲାଗି ବଜେଟ୍ ଅର୍ଥ ବଣ୍ଟନ ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ୨୦୨୦-୨୧ ଓ ୨୦୨୧-୨୨ରେ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଲାଗି ବ୍ୟୟବରାଦ ୧୧,୦୦୦ କୋଟି ଟଙ୍କାରୁ ୧୫ ହଜାର କୋଟି ଟଙ୍କା ମଧ୍ୟରେ ରହୁଥିଲା। ୨୦୨୨-୨୩ରେ ‌ତାହା ୮୧,୧୯୫ କୋଟି ଟଙ୍କା ଓ ୨୦୨୩-୨୪ରେ ୧,୦୯,୫୫୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅଧିକାଂଶ ପାଣ୍ଠି ସୁଧ ମୁକ୍ତ ଋଣ ଭାବେ କେନ୍ଦ୍ର ସରକାର ଯୋଗାଉଛନ୍ତି। ୨୦୨୩-୨୪ରେ ତାହା ରାଜ୍ୟଗୁଡ଼ିକର ମୋଟ ପୁଞ୍ଜି ବ୍ୟୟର ୧୪.୪ ପ୍ରତିଶତ ଭଳି ସ୍ତରରେ ପହଞ୍ଚିଥିଲା। ୨୦୨୧-୨୨ ପରଠାରୁ ରାଜ୍ୟଗୁଡ଼ିକ ମଧ୍ୟ ନିଜର ପୁଞ୍ଜି ବ୍ୟୟରେ ବ୍ୟାପକ ବୃଦ୍ଧି କରୁଥିବା ରିପୋର୍ଟରେ କୁହାଯାଇଛି। ପୁଞ୍ଜି ବ୍ୟୟ ହେଉଛି ସେହି ବ୍ୟୟ ଯାହାକୁ ଭିତ୍ତିଭୂମି ଓ ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି ଲାଗି ଖର୍ଚ୍ଚ କରାଯାଏ। ତାହାର ଅର୍ଥନୈତିକ ଲାଭ ବେଶ୍‌ ବ୍ୟାପକ।

୨୦୨୩-୨୪ରେ ରାଜ୍ୟଗୁଡ଼ିକ ପାଇଁ ଦୀର୍ଘକାଳୀନ ସୁଧ ମୁକ୍ତ ଋଣ ପରିମାଣ ୧.୩ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ତାହାକୁ ୧.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଓଡ଼ିଶା, ବିହାର, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ନଜରରେ ରଖି ପୂର୍ବୋଦୟ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ବଜେଟ୍ ବାହାରେ ରାଜ୍ୟଗୁଡ଼ିକ କରୁଥିବା ଋଣ ସମ୍ପର୍କରେ ଠିକ୍ ଭାବେ ଅବଗତ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସେହି ତଥ୍ୟ ହସ୍ତଗତ ହେଲେ ତାହା ବିତ୍ତୀୟ ସ୍ବଚ୍ଛତା ଓ ଶୃଙ୍ଖଳାରେ ଉନ୍ନତି ଆଣିବା ସହ ଋଣ ଖର୍ଚ୍ଚ କମ୍ କରିବାରେ ସହାୟକ ହୋଇପାରିବ ବୋଲି ରିପୋର୍ଟ କୁହାଯାଇଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button