IBN ଓଡ଼ିଶା ବ୍ୟୁରୋ

ଆହୁରି ଦୁର୍ବଳ ହେଲା ଟଙ୍କା: ଡଲାର ଦାମ୍ ୮୫ ଟଙ୍କା ଟପିଲା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ନିୟମିତ ଭାବେ ଦୁର୍ବଳ ହେଉଥିବା ଟଙ୍କା ଗୁରୁବାର ଆହୁରି ଦୁର୍ବଳ ହୋଇ ରେକର୍ଡ ତଳ ସ୍ତରକୁ ଖସିଯାଇଛି। ଭାରତରେ ଗୋଟିଏ ଡଲାର କିଣିବା ଲାଗି ୮୫ ଟଙ୍କା ଗଣିବାକୁ ପଡ଼ୁଛି। ଟଙ୍କାର ଏଭଳି ସ୍ଥିତି ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ଟାଣିଆଣୁଥିବା ଆଶଙ୍କା କରାଯାଉଛି। ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ଲାଗି ୮୫ ଟଙ୍କା ସ୍ତରକୁ ଖସିଯାଇଛି। ଡଲାର ମହଙ୍ଗା ହୋଇଥିବାରୁ ଆମଦାନି ହେଉଥିବା ସମସ୍ତ ଜିନିଷ, ବିଦେଶରେ ପାଠପଢ଼ା ଓ ବିଦେଶ ଭ୍ରମଣ ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି।

ସମଗ୍ର ବିଶ୍ବରେ ଆମେରିକୀୟ ଡଲାର ଶକ୍ତିଶାଳୀ ହେଉଛି। ତାହାର ପ୍ରଭାବରେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହେଉଛି। କେବଳ ଏହି କାରଣ ନୁହେଁ, ଦେଶର ଅର୍ଥନୀତି ଆଶାନୁରୂପ ପ୍ରଦର୍ଶନ କରି ନ ପାରିବା, ଷ୍ଟକ୍ ବଜାରରେ ଅସ୍ଥିରତା, ବିଦେଶୀ ନିବେଶକମା‌ନେ ପାଣ୍ଠି ପ୍ରତ୍ୟାହାର କରିବା, ରପ୍ତାନି ତୁଳନାରେ ଆମଦାନି ଅଧିକ ରହୁଥିବାରୁ ବାଣିଜ୍ୟ ନିଅଣ୍ଟ ସୃଷ୍ଟି ହେବା ଭଳି କାରଣ ଲାଗି ଟଙ୍କା ଉପରେ ଚାପ ରହିଛି। ତେଲ ଓ ସୁନା କିଣିବାରେ ବିପୁଳ ବିଦେଶୀ ମୁଦ୍ରା ବ୍ୟୟ ହୋଇଛି। ସେଥିଲାଗି ଭଣ୍ଡାରରୁ ବିପୁଳ ଡଲାର ବାହାର କରାଯାଇଛି। ରପ୍ତାନି କମ୍ ରହିବା କାରଣରୁ ଅଧିକ ବିଦେଶୀ ମୁଦ୍ରା ଦେଶକୁ ଆସିପାରୁନାହିଁ। ତେଣୁ ଯେଉଁ ସୀମିତ ପରିମାଣର ଡଲାର ବଜାରରେ ରହିଛି ତାହାକୁ ଅଧିକ ଦାମ୍‌ରେ କିଣିବା ଲାଗି ଆମଦାନିକାରୀ ଓ ବ୍ୟବସାୟୀମାନେ ବାଧ୍ୟ ହେଉଛନ୍ତି।

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହାକୁ ସାରା ବିଶ୍ବ ଚାହିରହିଛି। ଡଲାରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ମୁଦ୍ରା କରିରଖିବାକୁ ଟ୍ରମ୍ପ୍ ସଂକଳ୍ପ ନେଇଛନ୍ତି। ସେଥିପାଇଁ ସେ ବିଭିନ୍ନ ଦେଶ ଉପରେ ଅଧିକ ଟିକସ ଲଗାଇବାକୁ ଧମକ ଦେଉଛନ୍ତି। ତେବେ ଟଙ୍କାକୁ ଯେକୌଣସି ପ୍ରକାରରେ ଡଲାର ଆଗରେ ସବଳ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରୁଛନ୍ତି। ନିଜ ଭଣ୍ଡାରରେ ଥିବା ଡଲାର ବାହାର କରି ତାହା ଅଳ୍ପ ଦାମ୍‌ରେ ବଜାରରେ ଉପଲବ୍ଧ କରାଇ ଚାହିଦା ଓ ଯୋଗାଣ ଭିତରେ ରହିଥିବା ତାରତମ୍ୟ ଦୂର କରିବାକୁ ପ୍ରୟାସ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button