ରାଜ୍ୟ

ବର୍ଷାରେ ଦବିଗଲା ୭ଦିନର ରାସ୍ତା

ଖଣ୍ଡଗିରି: ସପ୍ତାହେ ତଳେ ସରିଥିଲା ରାସ୍ତା କାମ। ନୂଆ ପିଚୁ ପଡ଼ି ଚକାଚକ୍‌ ହୋଇଥିଲା ରାସ୍ତା। ମାତ୍ର ଅସରାଏ ବର୍ଷାରେ ଦବିଗଲା। ଏବେ ଗୋଟିଏ କିଲୋମିଟର ଲମ୍ବା ରାସ୍ତାରେ ୫ରୁ ଅଧିକ ଖାଲ ସୃଷ୍ଟି ହୋଇଛି। ଏକାମ୍ରକାନନ ରୋଡ୍‌ରୁ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା‌ର ଅବସ୍ଥା ଏଭଳି ହୋଇଛି। ନିମ୍ନମାନର କାମ ଯୋଗୁକୁ ନେଇ ସ୍ଥାନୀୟ ଅଞ୍ଚଳ‌ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ ୩ ମାସ ତଳେ ୱାଟ୍‌କୋ ସ୍ବେରେଜ୍ କାମ ପାଇଁ ଏହି ରାସ୍ତାକୁ ଖୋଳିଥିଲା। ଏହି ସମୟରେ ଯା ଆସ ପାଇଁ ନାହିଁ ନଥିବା ଅସୁବିଧା ହୋଇଥିଲା। କାମ ବିଳମ୍ବ ହେଉଥିବାରୁ ଲୋକେ ପ୍ରତିବାଦ କରିଥିଲେ। ସ୍ବେରେଜ କାମ ଶେଷ ହେବା ପରେ ପରେ ରାସ୍ତା ମରାମତି ଆରମ୍ଭ ହୋଇଥିଲା।

ତରବରିଆ ଭାବେ ରାସ୍ତାରେ ପିଚୁ ପକାଇଦେଇ ଲୋକଙ୍କୁ ସନ୍ତୁଷ୍ଟ କରିଦେଲେ। କିନ୍ତୁ ଅଦିନ ମେଘ ନିମ୍ନମାନର କାମକୁ ପଦାରେ ପକାଇଦେଲା। ମାତ୍ର ୭ ଦିନ ଭିତରେ ବିଭିନ୍ନ ସ୍ଥାନରେ ପିଚୁ ଦବି ଯାଇଛି। ଦୁଇଦିନ ଲଗାଣ ବର୍ଷାରେ ଖାଲରେ ପାଣି ଜମି ରହୁଥିବାରୁ ଅନେକ ଦୁର୍ଘଟଣା ଘଟିଛି। ନୂଆ ରାସ୍ତାରେ ଖାଲ ଥିବା ଆକଳନ କରି ନପାରି ଅନେକେ ଖାଲରେ ପଡ଼ିଯାଇଛନ୍ତି। ସବୁଠାରୁ ସମସ୍ୟା ରାତିରେ ହୋଇଛି। ସ୍ବେରେଜ୍‌ ଜମା କରିଥିବା ଅର୍ଥରେ ରାସ୍ତା ଓ କୋଠାବାଡ଼ି ବିଭାଜନ ଏହାର ମରାମତି କରିଛି। ଦୁର୍ନୀତି ଓ ନିମ୍ନମାନର କାମ ଅଭିଯୋଗରେ ନିକଟ ଅତୀତରେ ଭୁବନେଶ୍ବରର ୫ଟି ଯାକ ବିଭାଜନରୁ ମୁଖିଆ ବଦଳିଥିବା କୁହାଯାଉଛି। ଏଭଳି ସ୍ଥିତିରେ ୭ ଦିନରେ ରାସ୍ତା ଦବିଯିବା ଓ ପଥଚାରୀଙ୍କ ପାଇଁ ବିପଦ ହେବା ପୁଣି ଥରେ ଏହି ବିଭାଜନକୁ ବିବାଦକୁ ଟାଣିଛି।

Related Articles

Leave a Reply

Your email address will not be published. Required fields are marked *

Back to top button