IBN ଓଡ଼ିଶା ବ୍ୟୁରୋ

ଭୋପାଳର ପୂର୍ବତନ କନଷ୍ଟେବଳଙ୍କ ଘରୁ ୨.୮୫ କୋଟି ନଗଦ, ୪୦ କିଲୋ ଚାନ୍ଦି ଜବତ

ମଧ୍ୟପ୍ରଦେଶ ପରିବହନ ବିଭାଗ (ଆରଟିଓ)ର ପୂର୍ବତନ କନଷ୍ଟେବଳ ସୌରଭ ଶର୍ମାଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରିଛି ଲୋକାୟୁକ୍ତ ଏବଂ ଆୟକର ବିଭାଗ । ଲୋକାୟୁକ୍ତ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ (SPE)ର ଭୋପାଳ ୟୁନିଟ୍ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ସୌରଭ ଶର୍ମାଙ୍କ ଘରେ ଚଢ଼ାଉ କରିଥିଲା । ପୋଶ୍ ଅରେରା କଲୋନୀରେ ଥିବା ତାଙ୍କ ଘରୁ ଚଢ଼ାଉ ବେଳେ ୨.୮୫ କୋଟି ନଗଦ ଟଙ୍କା ଜବତ କରାଯାଇଛି । ଏହା ସହିତ ୪୦ କିଲୋ ଚାନ୍ଦି, ଅନ୍ୟାନ୍ୟ ଦାମୀ ଜିନିଷ ଏବଂ ଚଳନ୍ତି, ଅଚଳନ୍ତି ସମ୍ପତ୍ତିର କାଗଜପତ୍ର ମଧ୍ୟ ମିଳିଛି ।

ସୂଚନା ମୁତାବକ, ସୌରଭ ଶର୍ମାଙ୍କ ଘରେ ଚଢ଼ାଉ ବେଳେ ୪୦ କିଲୋଗ୍ରାମ ଚାନ୍ଦି ଭର୍ତ୍ତି ବ୍ରିଫକେସ୍ ମିଳିଥିଲା । ଲୋକାୟୁକ୍ତ ଅଧିକାରୀମାନେ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ସମ୍ପତ୍ତି ସହ ଜଡ଼ିତ କାଗଜପତ୍ର ଜବତ କରିଛନ୍ତି । ବର୍ତ୍ତମାନ ଏଗୁଡ଼ିକର ଯାଞ୍ଚ ଚାଲିଛି ।

ପୂର୍ବତନ କନଷ୍ଟେବଳଙ୍କ ଘରୁ ଜବତ କରାଯାଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି । ଲୋକାୟୁକ୍ତ ଏଡିଜି ଜୟଦୀପ ପ୍ରସାଦ କହିଛନ୍ତି, ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା । ସକାଳ ୭ଟାରେ ଦୁଇଟି ଟିମ୍ ଯାଞ୍ଚ ପାଇଁ ବାହାରିଥିଲା ।

ତାଙ୍କ ସହଯୋଗ କୁହାଯାଉଥିବା ଚନ୍ଦନ ସିଂ ଗୌରଙ୍କ ଘରେ ମଧ୍ୟ ଖୋଜାଖୋଜି କରାଯାଇଥିଲା । ଏହାଛଡ଼ା ସୌରଭଙ୍କର ଏକ ହୋଟେଲରେ ଚଢ଼ାଉ କରି ଅଧିକାରୀମାନେ ଯାଞ୍ଚ କରିଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗର ଯାଞ୍ଚ ପରେ ଖୋଜାଖୋଜି କରାଯାଇଥିଲା ।

ପରିବହନ ବିଭାଗରେ ୧୨ ବର୍ଷ ପରେ ସୌରଭ ପ୍ରାୟ ବର୍ଷେ ପୂର୍ବରୁ କନଷ୍ଟେବଳ ପଦରୁ VRS ନେଇଥିଲେ ଏବଂ ଏହାପରେ ବିଲ୍ଡର ହୋଇଥିଲେ । ସରକାରୀ ଚାକିରିରେ ଥିବା ସମୟରେ ବି ସେ ସମ୍ପତ୍ତି କାରବାରରେ ଲିପ୍ତ ଥିଲେ । ଅଧିକାରୀଙ୍କ କହିବା ହେଲା, ଲୋକାୟୁକ୍ତଙ୍କ ଯାଞ୍ଚରେ ଭୋପାଳ ସମେତ ଅନେକ ଜିଲ୍ଲାରେ ତାଙ୍କ ସମ୍ପତ୍ତିର ପ୍ରମାଣ ମିଳିଛି ।

ଲୋକାୟୁକ୍ତ ପୋଲିସ ମୁତାବକ, ସୌରଭ ଶର୍ମାଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ୨୦୧୫ରେ ଆରଟିଓରେ ଅନୁକମ୍ପାମୂଳକ ଭାବେ ଚାକିରି ମିଳିଥିଲା ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button