ମୁଁ ସାଦା ଛାଡ଼ିଦେଇଛି, ଖାଲି ନନ୍-ଭେଜ୍ ଖାଉଛି

୫ ବର୍ଷର କୁନି ଝିଅଟିଏ ସେ। ହେଲେ ସୋସିଆଲ୍ ମିଡିଆର କୌତୁକିଆ ଭିଡିଓ ଜରିଆରେ ସାଜିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ମନର ରାଜକୁମାରୀ। ‘ମାଙ୍କେ’ ନାଁରେ ସେ ଓଡ଼ିଶାର ଘରେ ଘରେ ପରିଚିତ। ଅଭିନୟ କରି ପ୍ରଶଂସା ସାଉଁଟି ଚାଲିଥିବା ଏହି କୁନି ଝିଅଙ୍କୁ ଚିତ୍ର ଆଙ୍କିବାକୁ ଓ ଗୀତ ଗାଇବାକୁ ବି ବହୁତ ଭଲଲାଗେ। ସେ ଏବେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଅଧ୍ୟୟନ କରୁଛନ୍ତି। ବ୍ରହ୍ମପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ସ୍କୁଲ୍ରେ ଏଲ୍କେଜି ଶ୍ରେଣୀେର ପଢୁଥିବା ‘ମାଙ୍କେ’ ଓରଫ୍ ଶିବାଙ୍ଗୀ ପ୍ରଧାନଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ବିନା ପ୍ରଶିକ୍ଷଣରେ ବି ତମେ ବେଶ୍ ଚମତ୍କାର ଅଭିନୟ କରିପାରୁଛ। ଭବିଷ୍ୟତରେ ଅଭିନେତ୍ରୀ ହେବାର ଯୋଜନା ଅଛି କି?
ନା, ମୁଁ ବଡ଼ ହେଲେ ଜଣେ ଭଲ ଡାକ୍ତର ହେବାକୁ ଚାହେ। ତା’ ସହିତ ଅଭିନୟ ବି ଜାରି ରଖିବି। ବାପା ଭଲ ଅଭିନୟ କରନ୍ତି, ତାଙ୍କୁ ଦେଖି ମୁଁ ଶିଖିଗଲି।
ତୁମ ଦିଦି ଆଉ ତୁମ ଭିତରେ ମାମାପାପାଙ୍କର କିଏ ଅଧିକ ଗେହ୍ଲା?
ମୁଁ। ଆମ ଘରେ ମୁଁ ସବୁଠୁ ବେଶୀ ଗେହ୍ଲା। ମୁଁ ଛୋଟପିଲାଟା ପା…।
ତମେ ଯେଉଁ ସବୁ ଭିଡିଓ କରୁଛ, କିଏ ତୁମକୁ ସେସବୁ କରାନ୍ତି?
ପାପା ଯେମିତି ବତାନ୍ତି ମୁଁ ଶିଖିକି ସେମିତି କରେ। ଭିଡିଓ ସବୁ ପାପା ତିଆରି କରନ୍ତି।
ମାଙ୍କେଙ୍କ ସହିତ ସାଙ୍ଗ ହବାକୁ ତ ଏବେ ସମସ୍ତେ ଚେଷ୍ଟା କରୁଥିବେ। ମାଙ୍କେଙ୍କୁ ସାଙ୍ଗ କରିବାକୁ ଭଲ ଲାଗେ ନା, ଏକା ରହିବାକୁ?
ମୋତେ ସାଙ୍ଗ ବନେଇବାକୁ ବହୁତ ଭଲ ଲାଗେ। ଯିଏ ମୋ ସହ ସାଙ୍ଗ ହେବାକୁ କହେ ମୁଁ ବି ତାଙ୍କ ସହ ସାଙ୍ଗ ହୋଇଯାଏ। ସାଙ୍ଗମାନଙ୍କ ସହ ଖେଳିବା ମଜା ଅଲଗା।
ଖାଲି ଭିଡିଓ କରୁଛୁ, ପାଠ ପଢ଼ାରେ କାଇଁ ମନ ଦଉନୁ? ଏମିତି କହି କେବେ ତମ ମିସ୍ ଗାଳି କରିଛନ୍ତି?
ନାଇଁ, ନାଇଁ। ମୋତେ ସ୍କୁଲ୍ରେ ସମସ୍ତେ ଭଲପାଆନ୍ତି। ମୋ ଭିଡିଓ ଦେଖି ଟିଚର୍ମାନେ ବଢ଼ିଆ ଆକ୍ଟିଂ କରୁଛୁ ବୋଲି କହନ୍ତି।
ତମେ ତ ଦୁଇଟା ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଲଣି। ସୁଟିଂ ବେଳେ କ’ଣ ସବୁ ମଜାକଲ?
ସୁଟିଂ ବେଳେ ମୋତେ ଭାରି ମଜା ଲାଗୁଥିଲା। ରାତିରେ ସମସ୍ତେ (ରାନୀ ପଣ୍ଡା, ଶଙ୍କରଭାଇ, ଡିସ୍କୋଭାଇ) ଶୋଇଗଲା ପରେ ମୁଁ ସେମାନଙ୍କ ମୁହଁରେ ମେକ୍-ଅପ୍ ଲଗାଏ। କାହାକୁ ଶୁଆଇ ଦିଏନି। ମୋତେ ସମସ୍ତେ ବହୁତ ଭଲପାଆନ୍ତି।