ରାଜ୍ୟ

ଭୁଶୁଡ଼ିବା ସ୍ଥିତିରେ ସେନ୍‌ସସ୍‌ କଲୋନି କ୍ବାର୍ଟର୍ସ

ଖଣ୍ଡଗିରି: ୨୪ନମ୍ବର ୱାର୍ଡ ଅନ୍ତର୍ଗତ ସେନ୍‌ସସ୍‌ କଲୋନିରେ ଥିବା କ୍ବାର୍ଟର୍ସଗୁଡ଼ିକ ରକ୍ଷାଣାବେକ୍ଷଣ ଅଭାବରୁ ଭୁଶୁଡ଼ିପଡ଼ିବା ସ୍ଥିତିରେ ରହିଛି। ଅଧିକାଂଶ ବାହାର କାନ୍ଥରେ ଗଛ ଉଠି ବଡ଼ବଡ଼ ଫାଟ ସୃଷ୍ଟି କରିଛି। ଫଳରେ ଏହା ଭିତରେ ରହୁଥିବା ଲୋକେ ଅତଙ୍କିତ ହୋଇପଡ଼ିଛନ୍ତି। କ୍ବାର୍ଟର୍ସ ଭିତରେ ପ୍ଲାଷ୍ଟର୍‌ ଖସିବା ସହିତ କାନ୍ଥରେ ପାଣି ଜମୁଛି। କ୍ବାର୍ଟର୍ସଗୁଡ଼ିକର ଆଗପଟକୁ ଚୂନ ବୋଳି ଚକାଚକ୍‌ କରାଯାଉଛି, ମାତ୍ର କାନ୍ଥ ଫାଟକୁ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ପୂର୍ତ୍ତ ବିଭାଗ(ସିପିଡବ୍ଲ୍ୟୁଡି) ଏହାର ରକ୍ଷଣାବେଷଣ ଦାୟିତ୍ବ ନେଇଛି। ତେବେ ପ୍ରାୟ ୫ବର୍ଷ ହେଲା ଏହି କ୍ବାର୍ଟର୍ସଗୁଡ଼ିକ ମରାମତି ହୋଇନଥିବାରୁ ଏହା ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଲାଣି।

ସୂଚନା ମୁତାବକ, ଏଗୁଡ଼ିକ ୧୯୯୧-୯୨ ମସିହାରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଏଠାରେ ୯ଟି ବ୍ଲକ୍‌ରେ ୮୦ଟି କ୍ବାର୍ଟର୍ସ ରହିଛି। ଟାଇପ୍‌ ୧ରୁ ଟାଇପ୍‌ ୪ ପର୍ଯ୍ୟନ୍ତ ଘରଗୁଡ଼ିକରେ ଗୃହବ୍ୟାପାର ମନ୍ତ୍ରାଳୟର କର୍ମଚାରୀମାନେ ରହୁଛନ୍ତି। ଏଥିରୁ ୩୦ଟି କ୍ବାର୍ଟର୍ସ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବାରୁ ଫାଙ୍କା ପଡ଼ିଛି। ୫ବର୍ଷ ତଳେ ଏଗୁଡ଼ିକର ମରାମତି କରାଯାଇଥିଲା। ଫଳରେ ଏବେ ଏହାର ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ପୂର୍ବରୁ ରହୁଥିବା କର୍ମଚାରୀଙ୍କର ବଦଳି ପରେ ଏଗୁଡ଼ିକ ଖାଲି ପଡ଼ିଛି। ନୂଆ କରି ଆସିଥିବା କର୍ମଚାରୀମାନଙ୍କୁ କ୍ବାର୍ଟର୍ସ ମିଳୁନାହିଁ। ମରାମତି ପାଇଁ ସେନ୍ସସ୍‌ ବିଭାଗ ପକ୍ଷରୁ ଆବେଦନ କରାଗଲେ ସିପିଡବ୍ଲ୍ୟୁଡି ଏହାର ଏଷ୍ଟିମେଟ୍‌ କରି ମରାମତି କରିଥାଏ। ପରେ ସେନ୍ସସ୍‌ ପକ୍ଷରୁ ଅନୁମତି ମିଳିଲେ ଅର୍ଥ ମଞ୍ଜୁର ହୋଇଥାଏ। ସେନ୍ସସ୍‌ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେଉନଥିବାରୁ ମରାମତି ହୋଇପାରୁ ନଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ଏହି ପୁରୁଣା ଘରଗୁଡ଼ିକରେ ଥିବା ଛାତ ପ୍ଲାଷ୍ଟର୍‌ ଖସି ବିପଦସଙ୍କୁଳ ଅବସ୍ଥାରେ ରହିଛି। କାନ୍ଥରେ ଫାଟ ଥିବାରୁ ବର୍ଷା ଦିନେ ଘର ଭିତରକୁ ପାଣି ଆସିଯାଉଛି। ସେହିପରି ସିଲିଂରୁ ଛେଲାଛେଲା ପ୍ଲାଷ୍ଟର୍‌ ଖସି କର୍ମଚାରୀଙ୍କ ପରିବାର ଲୋକ ଆହତ ହେଉଛନ୍ତି। ଘରର ବାହାର ପଟେ ବଡ଼ବଡ଼ ଗଛ ଉଠି କାନ୍ଥକୁ ଫଟାଇଦେଇଛି। କ୍ବାର୍ଟର୍ସ ମଝିରେ ଥିବା ଖାଲିସ୍ଥାନରେ ଅନାବନା ଗଛଲତା ଉଠି ବିଷଧର ସରୀସୃପଙ୍କ ଚରାଭୂଇଁ ପାଲଟିଛି। ଗତ ବର୍ଷ‌ା ପରଠାରୁ କଲୋନି ସଫା କରାଯାଇ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଜନୈକ ଅନ୍ତେବାସୀ କହିଛନ୍ତି। ମରାମତି ପାଇଁ ବିଭାଗକୁ କୁହାଯାଇଛି ବୋଲି
ସେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button