ଅର୍ଗସ୍ ଟୁରିଜିମ୍ କନ୍କ୍ଲେଭ୍: ଉନ୍ମୋଚିତ ହେବ ଓଡ଼ିଶା ପର୍ଯ୍ୟଟନର ରହସ୍ୟ
ଭୁବନେଶ୍ବର: ଇଣ୍ଡିଆସ୍ ବେଷ୍ଟ କେପ୍ଟ ସିକ୍ରେଟ୍ ବୋଲି ଓଡ଼ିଶା ପର୍ଯ୍ୟଟନର ପରିଚୟ ଥିଲା। ତେବେ ଏହି ସିକ୍ରେଟ୍ ପର୍ଯ୍ୟଟକଙ୍କ ପାଇଁ ଆଉ ସିକ୍ରେଟ୍ ହୋଇ ରହିବନି। ବିଜେପି ସରକାର ଏବେ ଓଡ଼ିଶା ପର୍ଯ୍ୟଟନର ଏହି ସମ୍ଭାବନାକୁ ପୂରା ବିଶ୍ବ ଆଗରେ ଉନ୍ମୋଚିତ କରିବ ବୋଲି ଅର୍ଗସ୍ ଟୁରିଜିମ୍ କନ୍କ୍ଲେଭ୍-୨୦୨୪ ଅବସରରେ ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଅର୍ଗସ୍ ଟୁରିଜିମ୍ କନ୍କ୍ଲେଭ୍
ଚଲୋ ଦେଖେ ଅପନା ଦେଶ୍ ସିଜିନ୍-୪
ମୁଖ୍ୟଅତିଥି ଶ୍ରୀମତୀ ପରିଡ଼ା କହିଲେ, ଦକ୍ଷିଣ ଓଡ଼ିଶାକୁ ରାଜ୍ୟ ପର୍ଯ୍ୟଟନର ହବ୍ ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। କୋଣାର୍କରେ ଏକ ମ୍ୟାରେଜ୍ ଡେଷ୍ଟିନେସନ୍ ସ୍ଥାପନ ପାଇଁ ମଧ୍ୟ ଯୋଜନା ହେଉଛି। ଏଥିସହ ଆସନ୍ତା ତିନିମାସ ଭିତରେ କୋଲାବ୍ ଡ୍ୟାମରେ କ୍ରୁଜ୍ର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ବଣ୍ଡାମାନଙ୍କ ସଂସ୍କୃତି, ପରମ୍ପରାକୁ ଆଗକୁ ନେବା ପାଇଁ ଭୁବନେଶ୍ବରରେ ମିସନ ଶକ୍ତି ଭବନରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ପ୍ରକୋଷ୍ଠ। ଯେଉଁଥିରେ ବଣ୍ଡା ମହିଳାମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।
ସମ୍ମାନିତ ଅତିଥି ଛତିଶଗଡ଼ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେଦାରନାଥ କାଶ୍ୟପ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦିଗରେ ଉଭୟ ରାଜ୍ୟ ମିଳିମିଶି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ରାୟପୁର ସିଟିର ବିଧାୟକ ପୁରନ୍ଦର ମିଶ୍ର ଯୋଗଦେଇଥିଲେ। ଅର୍ଗସ ନ୍ୟୁଜ୍ର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସ୍ବାଗତ ଅଭିଭାଷଣ ଦେଇଥିଲେ। ସିଇଓ ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ। ୪ଟି ଅଧିବେଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଗସ ନ୍ୟୁଜ୍ର ଏକଜିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଷ, ଅର୍ଗସ ଡିଜିଟାଲର ଏଡିଟର ସଂଗ୍ରାମ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।