ରାଜ୍ୟ

ସରକାରୀ କ୍ବାର୍ଟର୍ସରୁ ହଟିଲା ମନ୍ଦିର: ଉପରମହଲା ବେଆଇନ ନିର୍ମାଣ କେବେ? – Ibnodisha

[ad_1]

ଭୁବନେଶ୍ବର:‌ ଶେଷରେ ସରକାରୀ କ୍ବାର୍ଟର୍ସ ଭିତରୁ ମନ୍ଦିର ଉଚ୍ଛେଦ ହୋଇଛି। ୟୁନିଟ୍‌-୩ ଖାରବେଳ ନଗରରେ ଥିବା ଟାଇପ୍‌-୨, କ୍ବାର୍ଟର୍ସ ନଂ ୪/୧ରୁ ଆଜି ତାରିଣୀ ମନ୍ଦିରକୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛି। ଏଠାରେ ରହୁଥିବା ସରକାରୀ କର୍ମଚାରୀ ଓ ତାଙ୍କ ପରିବାର ବିରୋଧ କରିଥିଲେ ମଧ୍ୟ ପୁଲିସ ଫୋର୍ସ ସହାୟତାରେ ବିଡିଏ ଏହି ମନ୍ଦିରକୁ ମାଟିରେ ମିଶାଇ ଦେଇଛି। ଏଥିରେ ବ୍ୟବହାର ହୋଇଥିବା ଲୁହା ଛଡ଼ ଓ ଛାତ ଏତେ ମଜଭୁତ ଥିଲା ଯେ, ତିନି ବଖରା ଘର, ୬ଟି ସିମେଣ୍ଟ ଖୁଣ୍ଟ, ଭାଙ୍ଗିବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଗତ ମେ’ ମାସରେ ବିଡିଏ ଏହାକୁ ଉଚ୍ଛେଦ କରିବାକୁ ଆସିଥିଲା। ହେଲେ ସେଠାରେ ଭୁବନେଶ୍ବର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା, ୱାର୍ଡ ନଂ ୪୦ କର୍ପୋରେଟର ଆସିଆ ବେଗମ୍‌ ଓ ତାଙ୍କ ସ୍ବାମୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଉଚ୍ଛେଦକୁ ବିରୋଧ କରିଥିଲେ। ବାଧ୍ୟ ହୋଇ ବିଡିଏ ଟିମ୍‌ ଫେରି ଆସିଥିଲା। ପରେ ସମ୍ପୃକ୍ତ ସରକାରୀ କର୍ମଚାରୀ ହାଇକୋର୍ଟ ଯାଇଥିଲେ। କିନ୍ତୁ ସରକାରୀ କ୍ବାର୍ଟର୍ସରେ ଜବରଦଖଲ ପ୍ରସଙ୍ଗରେ ହାଇକୋର୍ଟ ସୁରକ୍ଷା ଦେବାକୁ ଚାହିନଥିଲେ। ଏଣୁ ବିଡିଏ ଆଜି ସଦଳବଳ ପହଞ୍ଚି ଉଚ୍ଛେଦ କରିଥିଲା। ତେବେ କେବଳ ମନ୍ଦିର ନୁହେଁ ବରଂ ଏହି କ୍ବାର୍ଟର୍ସ ଉପରେ ଦୁଇ ମହଲା ଘର ତିଆରି ହୋଇଛି। ଏହି ଜବରଦଖଲ ଘରକୁ ଭଙ୍ଗା ଯାଇନାହିଁ। ତେବେ ଆଜି ଉଚ୍ଛେଦରେ ନା ବିଧାୟକ ନା କର୍ପୋରେଟର କିମ୍ବା ତାଙ୍କର କେହି ସମର୍ଥକ ଘଟଣାସ୍ଥଳକୁ ଆସିନଥିଲେ। କେବଳ ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ବିରୋଧ କରିଥିଲା। ହାଇକୋର୍ଟରୁ ହତାଶ ହୋଇ ଫେରିବା ପରେ ଏକ ଆଇ/ଏ ମାମଲା ରୁଜୁ କରିଥିବା କହିଥିଲେ। କିନ୍ତୁ ଏହି ମାମଲାରେ ମନ୍ଦିର ଉଚ୍ଛେଦରୁ ରକ୍ଷା ପାଇବା ଭଳି କୌଣସି ରାୟ ନଥିବାରୁ ଉଚ୍ଛେଦ ସମ୍ଭବ ହୋଇଥିଲା।

ସରକାରୀ କ୍ବାର୍ଟର୍ସରେ ଉପର ମହଲା ତିଆରି କରିବା ଓ ସାମ୍ନାରେ ବିରାଟ ମନ୍ଦିର ତିଆରି କରିଥିବା କର୍ମଚାରୀ ହେଉଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଡାଇରିଷ୍ଟ ପ୍ରଦୀପ ମହାନ୍ତି। ବହୁ ଦିନ ହେବ ସେ ଏହି ଟାଇପ୍‌-୨ କ୍ବାର୍ଟର୍ସ (ନଂ ୪/୧)ରେ ରହୁଥିଲେ। ସାମ୍ନା ପଟକୁ ୧୨୦୦ ବର୍ଗଫୁଟ୍‌ ଅଞ୍ଚଳରେ ବଡ଼ ମନ୍ଦିର ଓ ଛାତ ଘର ତିଆରି ‌ହୋଇଥିଲା। ପଛପଟେ ସେ କ୍ବାର୍ଟର୍ସରେ ରହୁଥିଲେ। ମନ୍ଦିରକୁ ଲାଗି ଏକ ଛାତ ଘରେ ମନ୍ଦିରର ପୂଜକ ବି ରହୁଥିଲେ। ଆଉ ଏକ ଘରେ ଭଡ଼ାଟିଆ ରହୁଥିଲେ। ଏତେ ବଡ଼ ଭିତ୍ତିଭୂମି ପ୍ରସ୍ତୁତ ହେବା ବେଳେ କାହାର ନଜର ପଡ଼ି ନଥିଲା। ଦୀର୍ଘ ଦିନ ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏହାର ଉଚ୍ଛେଦ ପାଇଁ ବିଡିଏକୁ ଚିଠି ଲେଖିଥିଲା। ଏତେ ସବୁ ପରେ ବି ଏହି କ୍ବାର୍ଟର୍ସ କାହିଁକି ବାତିଲ୍‌ ହୋଇ ନାହିଁ ସେ ନେଇ ପ୍ରଶ୍ନ ଉଠୁଛି।
ଆଜି ଉଚ୍ଛେଦ‌ରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଓଏସ୍‌ଡି ଦେବରାଜ ସେଠୀ, ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସହକାରୀ ନିର୍ଦ୍ଦେଶକ ଅମିୟ ଦାଶ, ଜିଏ ରେଣ୍ଟ କର୍ମଚାରୀ ଜାକସନ୍‌ କିଶନ୍‌ ପ୍ରମୁଖ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button