୨୬/୧୧ ମୁମ୍ବାଇ ଆକ୍ରମଣର ଆତଙ୍କୀ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତରେ ମୃତ୍ୟୁ
ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ଡେପୁଟି ମୁଖ୍ୟ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ପାକିସ୍ତାନର ଲାହୋରରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀ ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ହାଫିଜ୍ ସଇଦଙ୍କର ସମ୍ପର୍କୀୟ ।
ମକ୍କିଙ୍କୁ ଆମେରିକା ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିଛି । ଭାରତରେ ସେ ୱାଣ୍ଟେଡ୍ ଥିଲେ । ମକ୍କି ଲସ୍କର-ଏ-ତୋଏବାର ଆତଙ୍କବାଦୀ ପାଣ୍ଠିର କାମ ଦେଖୁଥିଲେ । ଏବେ ତାଙ୍କର ମୃତ୍ୟୁ ପରେ ସଙ୍ଗଠନ ପରିଚାଳନା ଏବଂ ଟେରର୍ ଫଣ୍ଡିଙ୍ଗ୍ ଉପରେ ବଡ଼ ପ୍ରଭାବ ପଡ଼ିପାରେ ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ 1267 ISIL (ଦା’ଏଶ୍) ଏବଂ ଅଲ କାଏଦା ପ୍ରତିବନ୍ଧକ କମିଟି ଅଧୀନରେ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା । ଏହା ସହିତ ତାଙ୍କର ସମ୍ପତ୍ତି ଫ୍ରିଜ୍ କରି ଦିଆଯାଇଥିଲା । ତାଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଯିବା ସହିତ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଥିଲା ।
ଲସ୍କର-ଏ-ତୋଏବା ବ୍ୟତୀତ ମକ୍କି ଜମାତ-ଉଦ-ଦାୱା (JUD)ର ମଧ୍ୟ ମୁଖିଆ ଥିଲେ । ସେ ଲସ୍କର-ଏ-ତୋଏବାର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ରହିଥିଲେ । ରିପୋର୍ଟ ଅନୁସାରେ, ଅବଦୁଲ ରେହମାନ ମକ୍କି ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଉଚ୍ଚ ମଧୁମେହ ପରେ ଲାହୋରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।
ଆତଙ୍କବାଦ ଫଣ୍ଡିଙ୍ଗ୍ ପାଇଁ ୨୦୨୦ରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ମକ୍କିଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେ ଭାରତରେ ଲାଲ କିଲ୍ଲା (୨୦୦୦), ୨୬/୧୧ ମୁମ୍ବାଇ ଆକ୍ରମଣ, ରାମପୁର (୨୦୦୮), ବାରାମୁଲ୍ଲା (୨୦୧୮) ଏବଂ ଶ୍ରୀନଗର ଆକ୍ରମଣ (୨୦୧୮) ଭଳି ଅନେକ ବଡ଼ ଆକ୍ରମଣରେ ସମ୍ପୃକ୍ତ ଥିଲେ । ମକ୍କିଙ୍କୁ ପାକିସ୍ତାନ ସରକାର ୨୦୧୯ ମେ’ ୧୫ରେ ଗିରଫ କରିଥିଲେ । ସେ ଲାହୋରରେ ହାଉସ୍ ଆରେଷ୍ଟ ଥିଲେ ।