IBN ଓଡ଼ିଶା ବ୍ୟୁରୋ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ୧୪ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ

୧୪ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ । ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଡିସେମ୍ବର ୧୨ରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ୧୪ ଦିନରେ ତାଙ୍କୁ ଡିସଚାର୍ଜ କରାଯାଇଛି ।

ଏହାପୂର୍ବରୁ ହସ୍ପିଟାଲ ଏକ ବିବୃତ୍ତି ଜାରି କରି କହିଥିଲା ଯେ ‘ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭେଟେରୋନ୍ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଡିସେମ୍ବର ୧୨ରୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ଡା. ଭିନିତ୍ ସୁରୀଙ୍କ ଦେଖାଣୁଣାରେ ଅଛନ୍ତି । ତାଙ୍କର ମେଡିକାଲ କଣ୍ଡିସନରେ ଧୀରେ ଧୀରେ ସୁଧାର ଆସୁଛି’ ।

ଆଡଭାନୀଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସରେ ବି ଆପୋଲୋରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ମଧ୍ୟ ସେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଭିନିତ୍ ସୁରୀଙ୍କ ତତ୍ତ୍ୱାବଧାନରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାର ଏକ ମାସ ପୂର୍ବରୁ ଜୁନ୍ ୨୬ ତାରିଖ ରାତି ୧୦ଟା ୩୦ରେ ତାଙ୍କୁ ଦିଲ୍ଲୀ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ଡାକ୍ତର ଅମଲେଶ ସେଠଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ପରଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଚଳିତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ ।

କହି ରଖୁଛୁ, ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମ ୧୯୨୭ ନଭେମ୍ବର ୮ରେ କରାଚି (ବର୍ତ୍ତମାନ ପାକିସ୍ତାନରେ)ରେ ହୋଇଥିଲା । ଗତ ନଭେମ୍ବର ୮ରେ ସେ ନିଜର ୯୮ତମ ଜନ୍ମଦିନ ପାଳନ କରିଥିଲେ । ତେବେ ଗତ ୪-୫ ମାସ ଭିତରେ ସେ ପାଖାପାଖି ୪ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ବାରମ୍ବାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button