ରାଜ୍ୟ

ରାସ୍ତା କଡ଼ରେ କୁଢ଼କୁଢ଼ କୁକୁରଙ୍କ ଶବ: ଟେଣ୍ଡରରେ ସୀମିତ ମଶାଣି

ଖଣ୍ଡଗିରି: ଗୋଟିଏ କି ଦୁଇଟି ନୁହେଁ, ବରଂ କୁଢ଼କୁଢ଼ କୁକୁରଙ୍କ ଶବ। କିଛି ପଚି ଗଲାଣି, ଆଉ କିଛି ସଦ୍ୟ। ସାରା ଅଞ୍ଚଳ ଦୁର୍ଗନ୍ଧରେ ଭର୍ତ୍ତି। କେଉଁ ଜନଗହଳିରୁ ଦୂରରେ ନୁହେଁ, ବରଂ ଅତ୍ୟାଧୁନିକ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ‘ବିଏସ୍‌ଏବିଟି’ ଠାରୁ ଶହେ ମିଟର ଦୂର ରାଜରାସ୍ତା କଡ଼ରେ ଏଭଳି ସ୍ଥିତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଖଣ୍ଡଗିରି ଲମ୍ବିଥିବା ରାଜପଥର ସର୍ଭିସ୍‌ ରୋଡ୍‌ରେ ଟିସୁ କଲ୍‌ଚର ପରୀକ୍ଷାଗାର ପାଖ ପ୍ରାକୃତିକ ନଳା କଡ଼ରେ ଏଭଳି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଆଜି କିମ୍ବା କାଲି ନୁହେଁ, ବରଂ ମାସ ମାସ ଧରି ଯେଉଁଠି କୁକୁର ମରୁଛି, ଏଠାରେ ଆଣି ଫିଙ୍ଗି ଦେଇ ଯାଉଛି। ବାରଣ କରାଯାଉ ନଥିବାରୁ ଏହି ସ୍ଥାନ କୁକୁରଙ୍କ ଶବ ପାଇଁ ସମର୍ପିତ ବୋଲି ଲୋକେ ଭାବି ନେଇଛନ୍ତି। ମେସିନ୍‌ ଜରିଆରେ ଜୀବଜନ୍ତୁଙ୍କ ଶବ ସତ୍କାର ପାଇଁ ବଏମ୍‌ସି ପଳାସୁଣିରେ କରୁଥିବା ବ୍ୟବସ୍ଥା ଟେଣ୍ଡରରେ ଅଟକିଛି। ପୋଷା କୁକୁରଙ୍କ ପାଇଁ ଆସିବାକୁ ଥିବା ବାଇ ଲ’ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଫାଇଲ୍‌ରେ ପଡ଼ିଛି। ଫଳରେ ରାଜପଥ କଡ଼ର ଏହି ଅଭାବନୀୟ ଦୃଶ୍ୟ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କ ଜରିଆରେ ଭୁବନେଶ୍ବରକୁ ବିଶ୍ବ ଦରବାରରେ ନିନ୍ଦିତ କରିବାକୁ ଯାଉଛି।

ଟେଣ୍ଡରରେ ସୀମିତ ମଶାଣି
ନାଲି ଫିତା ତଳେ କୁକୁର ବାଇ ଲ’
ବିଶ୍ବ ଦରବାରରେ ନିନ୍ଦିତ ହେବ ବିଏମ୍‌ସି

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ପ୍ରତ୍ୟେକ ଦିନ ହଜାରହଜାର ଯାତ୍ରୀ ଆସୁଛନ୍ତି। ଏହି ରସ୍ତା ଦେଇ କେବଳ ବସ୍‌ ଯାତ୍ରୀ ନୁହନ୍ତି ବରଂ ଭୁବନେଶ୍ବରରୁ ଏମ୍‌ସ୍‌ ସମେତ ଖୋର୍ଦ୍ଧା ଓ ଅନ୍ୟ ଜିଲ୍ଲାକୁ ଯିବାଆସିବା କରନ୍ତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତର ସମେତ ଆଖପାଖ ଅଞ୍ଚଳକୁ ଚକାଚକ ରଖିବାକୁ ଉଦ୍ୟମ ହେଉଛି। ବିଏମ୍‌ସି ଏହାର ଆଖପାଖ ଅଞ୍ଚଳ ପରିଷ୍କାର ରଖୁଥିବା ବେଳେ ବିଡିଏ ବସ୍‌ଷ୍ଟାଣ୍ଡ ପରିସର ଠିକା ସଂସ୍ଥା ଜରିଆରେ ସଫା ରଖୁଛି। କିନ୍ତୁ ଏଠାରୁ ମାତ୍ର ଶହେ ମିଟର ଦୂରରେ ଏଭଳି ସ୍ଥିତି ହୋଇଛି। ସମଗ୍ର ଅଞ୍ଚଳ ଶବ ପଚା ଗନ୍ଧରେ ଫାଟି ପଡ଼ୁଛି। ଅନେକ ଦିନ ହେବ ଏଭଳି ଗନ୍ଧ ଲୋକଙ୍କୁ ନାକେଦମ୍‌ କରୁଛି। ବସ୍‌କୁ ଅପେକ୍ଷା କରିବାକୁ ଏହି ଜାଗାର ଆଖପାଖରେ କେହି ଛିଡ଼ା ହୋଇ ପାରୁନାହାନ୍ତି। ଯିବା ଆସିବା କରୁଥିବା ଯାତ୍ରୀ ଗୋଟିଏ ହାତରେ ଲଗେଜ୍‌ ଆଉ ଅନ୍ୟ ହାତରେ ନାକରେ ରୁମାଲ ଦେଇ ଯାଉଛନ୍ତି। ଏବେ ଏଠାରେ ୧୦ରୁ ଊର୍ଦ୍ଧ୍ବ କୁକୁରଙ୍କ ଶବ ପଡ଼ିଛି। ଏବେ ସ୍ବଚ୍ଛ ସର୍ବେକ୍ଷଣ ପାଇଁ ସର୍ଭେ ଚାଲିଥିବାରୁ ସହରକୁ ଆବର୍ଜନାମୁକ୍ତ ରଖିବାକୁ ବିଏମ୍‌ସି ତତ୍ପର ହୋଇଛି। କେଉଁଠି କିଏ ଇଟା ବାଲି ଜମା କରିଦେଲେ ନୋଟିସ୍‌ ପଠାଇ ଜରିମାନା କରୁଛି। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଘାଟରେ ରଙ୍ଗବୋଳା ଚାଲିଛି। ହେଲେ ଏହି ରାସ୍ତା ଦେଇ ସେମାନେ ଖଣ୍ଡଗିରି-ଉଦୟଗିରି ପାହାଡ଼ ଦେଖିବା ପାଇଁ ଯିବେ। କିନ୍ତୁ ବିଏମ୍‌ସି ଏଭଳି ସ୍ଥିତି ପାଇଁ କାହିଁକି ନିରବ ରହିଛି ତାହା ବୁଝାପଡ଼ୁନାହିଁ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଏହି ନାଳକୁ ମୁକୁଳା ରଖାଯାଇଥିବାରୁ ଯିଏ ପାରୁଛି କୁକୁର ଶବ ଆଣି ଫିଙ୍ଗି ଦେଇ ଯାଉଛି। କେବଳ ଶବ ନୁହେଁ ବରଂ ଆବର୍ଜନା ଫିଙ୍ଗି ଦେଇଥିବାରୁ ଏହା ଏକ ଡମ୍ପିଂୟାର୍ଡ ହୋଇଛି। ତେବେ ପ୍ରାକୃତିକ ନଳାକୁ ସ୍ଲାବ୍‌ ପକାଇ ଘୋଡ଼ାଇବା‌ ଆଇନ ସମ୍ମତ ନୁହେଁ। କିନ୍ତୁ ବିଏମ୍‌ସି ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ। ତେବେ କେବଳ ଏହି ଜାଗା ନୁହେଁ, କଳିଙ୍ଗ ଷ୍ଟୁଡିଓରୁ ରେଣ୍ଟାଲ କଲୋନି ରାସ୍ତାରେ ମଧ୍ୟ ଅନୂରୁପ ଅବସ୍ଥା ରହିଛି। କୁକୁର ସହ ବୁଲା ଗୋରୁଗାଈଙ୍କ ଶବ ମଧ୍ୟ ଏଠାରେ ଫିଙ୍ଗି ଦିଆଯାଉଛି। ଶବ ସତ୍କାର ବ୍ୟବସ୍ଥା ନଥିବାରୁ ଲୋକେ ଏଭଳି କରିବାକୁ ବାଧ୍ୟ ହେଉଥିବା କେତେକ ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ଏହି ଜାଗା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଏମ୍‌ସି କହିଛି। କୁକୁର ଶବ ଦାହ ପାଇଁ ପଳାସୁଣିରେ ନିର୍ମାଣାଧୀନ ମେଗା ଏମ୍‌ସିସି ପରିସରରେ ଟେଣ୍ଡର ଡକା ଯାଇଛି। ୧୯୨୯ରେ କଲ୍‌ କଲେ ଶବ ଉଠାଯାଇ ସତ୍କାର ବ୍ୟବସ୍ଥା ହେଉଛି। ତେବେ ବିଏମ୍‌ସିକୁ ନଜଣାଇ ଏଭଳି ଫିଙ୍ଗି ଦେଉଥିବାରୁ ସମସ୍ୟା ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button