ରାଜ୍ୟ

ମଦୁଆଙ୍କ ଆଡ୍ଡାସ୍ଥଳୀ: ମେଣ୍ଢାଶାଳ ପ୍ରାଣୀ ଚିକିତ୍ସାଳୟ

ମେଣ୍ଢାଶାଳ: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳ ପ୍ରାଣୀ ଚିକିତ୍ସାଳୟ ଅବହେଳିତ ହୋଇପଡ଼ିଛି। ୨୦୨୨ ମସିହାରୁ ଏଠାକୁ ଆଉ ଡାକ୍ତର ଆସୁନାହାନ୍ତି। ଜଣେ ଡାକ୍ତରଙ୍କୁ ଦୁଇଟି କେନ୍ଦ୍ର ଦାୟିତ୍ବ ଦିଆଯାଇଛି। ସେ ମଧ୍ୟ ଆସୁନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ଚିକିତ୍ସାଳୟ କୋଠା ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ‌କେବଳ ସନ୍ଧ୍ୟା କିମ୍ବା ରାତି ନୁହେଁ, ବରଂ ଏହା ଦିନରେ ମଧ୍ୟ ଅସାମାଜିକଙ୍କ କବ୍‌ଜାରେ ରହୁଛି। ୨ ବର୍ଷ ଧରି ଏଭଳି ସମସ୍ୟା ରହିଥିବାରୁ ଗାଈଗୋରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଋଣ କରି ଯେଉଁମାନେ ଗୋପାଳନ କରିଥିଲେ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଚନ୍ଦକା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ମେଣ୍ଢାଶାଳ ଚିକିତ୍ସାଳୟ ସମେତ ଦାରୁଠେଙ୍ଗ, ମଳିପଡ଼ା, ଅନ୍ଧାରୁଆ ଓ କଣ୍ଟାବାଡ଼ ଚିକିତ୍ସାଳୟ ରହିଛି। ମେଣ୍ଢାଶାଳ ପଞ୍ଚାୟତର ହରିଡ଼ାମଡ଼ା, କଳାଝର, ହରିପୁର, ବାରାପିଟା ଓ ଗିରିଙ୍ଗାପୁଟ ଗ୍ରାମରେ ୪ ହଜାରରୁ ଅଧିକ ଗୃହପାଳିତ ପଶୁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଆଜି କାଲି ନୁହେଁ, ବରଂ ଏହି ଚିକିତ୍ସାଳୟ ୧୯୪୭ ମସିହାରୁ ପ୍ରତିଷ୍ଠା ହୋଇଛି। ହେଲେ ଡାକ୍ତର ଅଭାବରୁ ବନ୍ଦ ହୋଇଯିବାରୁ ଗାଈଙ୍କୁ ଇଞ୍ଜେକ୍ସନ୍ ଦେବା ପାଇଁ ନିର୍ମିତ ଲୁହା ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଯନ୍ତ୍ରପାତି କଳଙ୍କି ଲାଗିଗଲାଣି। ଚିକିତ୍ସାଳୟ ପରିସର ଆବର୍ଜନାରେ ଭର୍ତ୍ତି ହୋଇଗଲାଣି।

୨ ବର୍ଷ ହେଲା ଡାକ୍ତର ନାହାନ୍ତି
ଗୋପାଳକଙ୍କୁ ଋଣ ଚିନ୍ତା

ମଦବୋତଲ ସହ ପଲିଥିନ୍‌ ଓ ପାଣି ବୋତଲ ଗଦା ହୋଇଛି। ରାତି ହେଲେ ମଦ ଗଞ୍ଜେଇର ଆସର ଜମୁଛି। କୋଠାଟି ଭୂତକୋଠି ସଦୃଶ ହୋଇଛି। ୧୯୭୫ରୁ ଡା. ରବୀନ୍ଦ୍ର କୁମାର ମହାପାତ୍ର ଏଠାରେ ୧୫ ବର୍ଷ ରହିଥିଲେ। ୧୯୯୧ରୁ ଡା. ରାଜକିଶୋର ସେଠୀ ୨୦୦୪ ପର୍ଯ୍ୟନ୍ତ ଓ ୨୦୦୫ରୁ ଡା. ବିଷ୍ଣୁ ଚରଣ ଖୁଣ୍ଟିଆ ୨୦୨୨ ପର୍ଯ୍ୟନ୍ତ କାମ କରୁଥିଲେ। ସେତେବେଳ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିଲା। ଯଦିଓ ଗାଈଙ୍କ ସଂଖ୍ୟା ତୁଳନାତ୍ମକ ଭାବରେ କମିଥିଲା ତଥାପି ଗାଈ ଓ ପୋଷା କୁକୁର ନିୟମିତ ଚିକିତ୍ସା ହେଉଥିଲେ। ହେଲେ ଡା. ଖୁଣ୍ଟିଆଙ୍କ ପର ଠାରୁ ମଳିପଡ଼ା ଚିକିତ୍ସାଳୟ ଦାୟିତ୍ବରେ ଥିବା କାମଦେବ ବେହେରାଙ୍କୁ ଏହି କେନ୍ଦ୍ରର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଫଳରେ ସେ ମଳିପଡ଼ାରେ ବସୁଛନ୍ତି, ଏଠାକୁ ଆସୁ ନାହାନ୍ତି। ସେ କହିଛନ୍ତି, ଆଜି କାଲି ମୋବାଇଲ ଫୋନ ମୂଖ୍ୟ। ସମସ୍ତଙ୍କୁ ଫୋନ୍‌ ନମ୍ବର ଦିଆଯାଇଛି। ଯେତେବେଳେ ଫୋନ୍‌ କଲେ ମୁଁ ଆସୁଛି। କୌଣସି ନିର୍ଦ୍ଦିଷ୍ଟ ଦିନ କିମ୍ବା ତାରିଖ ନାହିଁ।

ଏଠାରେ ଆଗରୁ ବହୁସଂଖ୍ୟାରେ ଗୋପାଳକ ଥିଲେ। ଚିକିତ୍ସାଧିକାରୀ ଏଠାରେ ରହି ଚିକିତ୍ସା କରୁଥିବାରୁ ଶତପ୍ରତିଶତ ସେବା ମିଳୁଥିଲା। ମେଣ୍ଢାଶାଳରେ ଗାଈଗୋରୁଙ୍କର ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରାଯାଉଥିଲା। ଯେଉଁ ଗାଈର ସୁନ୍ଦର ସ୍ୱାସ୍ଥ୍ୟ ଥିବା ବିବେଚନା କରାଯାଉଥିଲା ତା ମାଲିକଙ୍କୁ ପୁରସ୍କୃତ କରାଯାଉଥିଲା। କିନ୍ତୁ ୨୦୨୨ରୁ ଡାକ୍ତର ନ ରହିବା ଫଳରେ ଗତବର୍ଷ ଅଗଷ୍ଟ ମାସରେ ଶତାଧିକ ଗାଈଗୋରୁ ଚର୍ମ ବିଣ୍ଡା, ଫାଟୁଆ, ସାହାନ ଓ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲେ। ଚଳିତବର୍ଷ ଜୁନ ଓ ଜୁଲାଇ ମାସରେ ଛେଳି ଓ ମେଣ୍ଢା ମିଈମିଆଁ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲେ। ଏଣୁ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଉ।
ପଦ୍ମଲୋଚନ ବଡ଼ଜେନା, ବରିଷ୍ଠ ନାଗରିକ

ଅନେକ ଲୋକ ଋଣ କରି ଗୋପାଳନ ସହ ଛେଳି, ମେଣ୍ଢା ପାଳିଛନ୍ତି। ଡାକ୍ତର ଅଭାବରୁ ରୋଗରେ ଏହି ପ୍ରାଣୀ ମରି ଯାଉଥିବାରୁ ସେମାନେ ଋଣ ସୁଝିବା ସ୍ଥିତିରେ ନାହାନ୍ତି। ଏଣୁ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଉ।

Related Articles

Leave a Reply

Your email address will not be published. Required fields are marked *

Back to top button