ରାଜ୍ୟ

ଲିଙ୍ଗରାଜଙ୍କ ପାଇଁ କୁମ୍ଭୀର କାନ୍ଦଣା: ୧୧ ଶହ ଶତାବ୍ଦୀର ମନ୍ଦିର, ନାହିଁ ସ୍ବତ୍ବଲିପି

ଭୁବନେଶ୍ବର: କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହେଉଥିଲା। ପ୍ରକଳ୍ପ ନିର୍ମାଣ ପାଇଁ ବଡ଼ ଯୋଜନା ବି ହେଉଥିଲା। ହୋମ, ଯଜ୍ଞର ଆୟୋଜନ କରି ଲୋକଙ୍କ ଭାବାବେଗ ଜିତିବାକୁ ହେଉଥିଲା ଯୋଜନା। ଲିଙ୍ଗରାଜଙ୍କ ପ୍ରତି ଯେ ନେତାଙ୍କ ଅଗାଧ ଭକ୍ତି ରହିଛି ତାହାକୁ ଦର୍ଶାଇବାକୁ ସକଳ ଚେଷ୍ଟା କରାଯାଉଥିଲା। କିନ୍ତୁ ଲିଙ୍ଗରାଜଙ୍କ ପାଇଁ କାହାର କେତେ ଆନ୍ତରିକତା ସେ ସବୁ ଏବେ ପଦାରେ ପଡ଼ିଛି। ପୁରୀ ଶ୍ରୀମନ୍ଦିର ରାଜ୍ୟ ସରକାରଙ୍କ ହାତକୁ ଆସିବା ପରେ ଶ୍ରୀମନ୍ଦିର ଆଇନ୍‌-୧୯୫୨ ଅନୁସାରେ ଏକ ସ୍ବତ୍ବଲିପି ପ୍ରଣୀତ ହୋଇଥିଲା। ଲକ୍ଷ୍ମଣ ପଣ୍ଡା ନାମକ ଜଣେ ଜିଲ୍ଲା ଜଜ୍‌ ପାହ୍ୟାର ଅଧିକାରୀ ସ୍ବତ୍ବଲିପି ପ୍ରସ୍ତୁତ କରିଥିଲେ। ଏହାକୁ ୧୯୬୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା କ’ଣ, କେଉଁ ସେବାୟତ କେଉଁ ସେବା ପୂଜା କରନ୍ତି, କେମିତି ହୁଏ ନୀତିକାନ୍ତି ଏହାର କୌଣସି ଲିଖିତ ନୀତିନିୟମ ନାହିଁ। ଏକାଦଶ ଶତାବ୍ଦୀର ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ନୀତି ନିମନ୍ତେ ଏଯାଏ ସତ୍ବଲିପି ପ୍ରସ୍ତୁତ କରାଯାଇନାହିଁ। ଓଡ଼ିଶାରେ ଏକାଧିକ ଦଳ ଶାସନରେ ରହିଛନ୍ତି।

ପ୍ରକଳ୍ପ ଘୋଷଣା କରି ବାହବା ସାଉଁଟୁଥିଲେ
ଶୃଙ୍ଖଳିତ ନୀତିକାନ୍ତି ପାଇଁ ନଥିଲା ଆନ୍ତରିକତା

ଲିଙ୍ଗରାଜଙ୍କ ନାମକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର୍‌ ବି ହୋଇଛନ୍ତି। ହେଲେ ମନ୍ଦିର ସୁରକ୍ଷା ଓ ଶୃଙ୍ଖଳିତ ନୀତି ପରିଚାଳନା ପାଇଁ ସୁବ୍ୟବସ୍ଥା କାହିଁକି କରାଯାଇନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି। ୨୦୦୦ ମସିହା‌ ପରେ ୨୫ ବର୍ଷ ଧରି ବିଜେଡି ଶାସନରେ ଥିଲା। ଏକାମ୍ରରେ ମଧ୍ୟ ବିଜେଡି ଲଗାତାର ଜିତି ଆସୁଥିଲା। ହେଲେ ଲିଙ୍ଗରାଜଙ୍କ ନୀତି ଶୃଙ୍ଖଳିତ କରିବାକୁ କାହାର ଆନ୍ତରିକତା ନ ଥିଲା। ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ନଦେବା, କାମଚଳା ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବରେ ରଖିବା, ମନ୍ଦିର ଟ୍ରଷ୍ଟ୍‌ ବୋର୍ଡ କାର୍ଯ୍ୟାଳୟରେ କର୍ମଚାରୀଙ୍କ କୃତ୍ରିମ ଅଭାବ କରିବା ଏବଂ ମାସ ମାସ ଧରି ଟ୍ରଷ୍ଟ ବୋର୍ଡ ବୈଠକ ନବସିବା ହେଉଛି ଗୋଟିଏ ଗୋଟେ ବଡ଼ ଉଦାହରଣ। ପୂର୍ବରୁ ସେବାୟତଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ବାରମ୍ବାର ଏନେଇ ପୂର୍ବ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଲିଙ୍ଗରାଜ ଆଇନ ପ୍ରଣୟନ ପାଇଁ ଜୋର୍‌ କରିଛନ୍ତି। କିନ୍ତୁ ଏ ଉଦ୍ୟମ ସଫଳ ହୋଇନି। ବରଂ କ’ଣ କଲେ ସାଧାରଣ ଜନତାଙ୍କ ଭାବାବେଗକୁ ନିଜ ଆଡକୁ ଭିଡ଼ି ହେବ ସେଭଳି ହେଉଥିଲା ଯୋଜନା।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ଗତ ସରକାରଙ୍କ ଖାମଖିଆଲ ନୀତି ପାଇଁ ୧୦ ବର୍ଷ ଭିତରେ ପ୍ରଭୁ ଲିଙ୍ଗରାଜଙ୍କ ଅନେକ ସେବା ପୂଜା ବନ୍ଦ ହୋଇଗଲାଣି। କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ୍ରାରେ ପ୍ରଭୁ ଲିଙ୍ଗରାଜ ଯାଉନାହାନ୍ତି। ଲିଙ୍ଗରାଜଙ୍କ ୨୨ଦିନ ଚନ୍ଦନ ଯାତ୍ରା ଓ ଶୀଳତ ଷଷ୍ଠୀକୁ କପିଳେଶ୍ବର ଆସୁନାହାନ୍ତି। ସେବାୟତଙ୍କ ବିବାଦ ପାଇଁ ପ୍ରଭୁଙ୍କ ପଇତା ଲାଗି ନୀତି ଏବଂ ଏବେ ମକର ସଂକ୍ରାନ୍ତି ନୀତି ବନ୍ଦ ହେଲା। ମକର ମଣ୍ଡପରେ ଶୀତ କାକରରେ, ଉପାସ ଭୋକରେ ରହିଲେ ଲିଙ୍ଗରାଜ। ଗତକାଲି ଆଇନମନ୍ତ୍ରୀ ନୀତି ବିଭ୍ରାଟକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବିବାଦ ପାଇଁ ନୀତି ବନ୍ଦ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି। ସେବା ପୂଜାର ସ୍ବତ୍ବଲିପି ପାଇଁ ଖୁବ୍ ଶୀଘ୍ର ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିସନ ସ୍ଥାପନ କରାଯିବ ବୋଲି କହିଛନ୍ତି। ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଥିଲେ ହେଁ ମନ୍ତ୍ରୀଙ୍କ କଥା କେବେ କାର୍ଯ୍ୟରେ ପରିଣତ ହେବ ଏବଂ କେବେ ସ୍ବତ୍ବଲିପି ସହ ସ୍ବତନ୍ତ୍ର ଆଇନ ଆସିବ ତା’ ଉପରେ ସମସ୍ତଙ୍କ ନଜର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button