ଖେଳ

ଭାରତୀୟ ଦଳ ଘୋଷିତ: ଜୟସ୍ବାଲଙ୍କୁ ସୁଯୋଗ, ସାମି ଫେରିଲେ

ମୁମ୍ବାଇ: ପାକିସ୍ତାନ ଓ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଲାଗି ଶନିବାର ପ୍ରାଥମିକ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଇସିସି ନିର୍ଦ୍ଧାରିତ କରିଥିବା ଶେଷ ତାରିଖର ଗୋଟିଏ ସପ୍ତାହ ପରେ ଘୋଷଣା କରାଯାଇଥିବା ଏହି ବହୁପ୍ରତୀକ୍ଷିତ ଦଳରେ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଛନ୍ତି। ଭବିଷ୍ୟତକୁ ଆଖି ଆଗରେ ରଖି ଯୁବ ତାରକା ଶୁବମନ ଗିଲ୍ ପୁନର୍ବାର ଉପଅଧିନାୟକ ଅବସ୍ଥାପିତ ହୋଇଛନ୍ତି। ସେହିଭଳି ୨୦୨୩ ଏକଦିବସୀୟ ବିଶ୍ବକପ୍ ପରେ ପ୍ରଥମ ଥର ଲାଗି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର୍ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ତାରକା ଯଶସ୍ବୀ ଜୟସ୍ବାଲ୍ ପ୍ରଥମ ଥର ଲାଗି ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ପାଇଁ ଏହା ବହୁତ ବଡ଼ ଖୁସି ଖବର ହୋଇଥିଲା ବେଳେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କିନ୍ତୁ ସୁଯୋଗ ମିଳିନି। ଏଣୁ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।

ସିରାଜଙ୍କ ସ୍ଥାନରେ ଚୟନକର୍ତ୍ତା ପଞ୍ଜାବର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପୁରୁଣା ବଲ୍‌ରେ ସିରାଜ ସେତେଟା ଭଲ କରୁନଥିବାରୁ ତାଙ୍କୁ ଦଳରେ ରଖିବା ସମ୍ଭବ ହେଲାନି। ‌‌ହେଲେ ଶେଷ ଓଭରଗୁଡ଼ିକରେ ଶାଣିତ ବୋଲିଂ କରିବାର ଦକ୍ଷତା ଅର୍ଶଦୀପଙ୍କ ସପକ୍ଷରେ ଗଲା ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସେପଟେ ପୂରା ଫିଟ୍ ନଥିଲେ ମଧ୍ୟ ଡିସେମ୍ବର ମାସରେ ଆଇସିସିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ନିଜ ସ୍ଥାନ ବଜାୟ ରଖିଛନ୍ତି। ପ୍ରାଥମିକ ଦଳରେ ଅଦଳବଦଳ କରିବା‌ ଲାଗି ଆଇସିସି ଫେବ୍ରୁଆରି ୧୨ ପର୍ଯ୍ୟନ୍ତର ଝରକା ପ୍ରଦାନ କରିଥିବାରୁ ତାଙ୍କୁ ନେଇ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି ବଡ଼ ଜୁଆ ଖେଳିଥିବା‌ ଜଣାପଡ଼ିଛି। ଅବଶ୍ୟ ବୁମ୍‌ରା ଚୂଡ଼ାନ୍ତ ଦଳରେ ରହିବା ତାଙ୍କ ଫିଟ୍‌ନେସ୍ ଉପରେ ନିର୍ଭରଶୀଳ ରହିବ ବୋଲି ସମିତି ସ୍ପଷ୍ଟ କରି ଦେଇଛି। ପ୍ରକାଶଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳାଯିବ। ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସହ ଗ୍ରୁପ୍‌-ଏ’ରେ ଥିବା ଭାରତ ଫେବ୍ରୁଆରି ୨୦ରେ ବାଂଲାଦେଶ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ।

ବୁମ୍‌ରା ରହିଲେ, ସିରାଜ ବାଦ୍
ଚାମ୍ପିଅନ୍ସ ଟ୍ରଫି ଦଳ ବାଛିବା ଲାଗି ଶନିବାର ଅଗରକର ଓ ରୋହିତଙ୍କ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପ୍ରାୟ ଅଢ଼େଇ ଘଣ୍ଟା ପରେ ଉଭୟ ବାହାରକୁ ଆସି ଦଳ ଘୋଷଣା କରିଥିଲେ। ରୋହିତ ଓ ଗିଲ୍‌ଙ୍କ ସହ ଜୟସ୍ବାଲ୍ ତୃତୀୟ ଓପନର୍ ଭାବେ ସ୍ଥାନ ପାଇଥିଲେ। ଆବଶ୍ୟକ ହେଲେ କେଏଲ୍ ରାହୁଲ ମଧ୍ୟ ପାଳି ଆରମ୍ଭ କରିବେ ବୋଲି ସଙ୍କେତ ଦେଇଥିଲେ ରୋହିତ। ପୁଣି ଦୁଇ ତାରକା ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ଚୟନକର୍ତ୍ତା ଓ ରୋହିତ ଶର୍ମା ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ତୃତୀୟ ଅଲରାଉଣ୍ଡର୍ ଭାବେ ୱାସିଂଟନ୍ ସୁନ୍ଦରଙ୍କୁ ନିଆଯାଇଛି। ଋଷଭ ପନ୍ତ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ରହିଛନ୍ତି। ରାହୁଲ ଓ ପନ୍ତ୍‌ ଦଳରେ ରହିଥିବା ବେଳେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିନି। ତେବେ ବର୍ଡର ଗାଭାସ୍କର୍ ଟ୍ରଫି ଭଳି ତୃତୀୟ ସ୍ଥାନରେ ଖେଳିବାକୁ ଯାଉଥିବା କିଂବଦନ୍ତି ବିରାଟ କୋହଲିଙ୍କ ଉପରେ ଆଶାଜନକ ଭାବେ ସମସ୍ତଙ୍କ ନଜର ରହିବ। ଶ୍ରେୟସ୍ ଆୟର ବି ପରୀକ୍ଷାରେ ରହିବେ। ଶନିବାର ଘୋଷିତ ଭାରତୀୟ ଦଳ ମଧ୍ୟ ଆପାତତଃ ଇଂଲଣ୍ଡ ବିପକ୍ଷ ତିନି ଟିକିଆ ଶୃଙ୍ଖଳା ଖେଳିବ। ଏହି ଦଳରେ ସାମିଲ ଥିବା ଦ୍ରୁତ ବୋଲର ହର୍ଷିତ ରାଣା‌ କେବଳ ଇଂଲଣ୍ଡ ଶୃଙ୍ଖଳା ପାଇଁ ବଛାଯାଇଛନ୍ତି ବୋଲି କୁହାଯାଉଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button