IBN ଓଡ଼ିଶା ବ୍ୟୁରୋ

ତୃତୀୟ ବିଶ୍ୱଯୁଦ୍ଧ ରୋକିବି: ଟ୍ରମ୍ପ

ୱାସିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍‌କୁ ଫେରିଛନ୍ତି। ଶପଥ ସମାରୋହ ପୂର୍ବରୁ ଆଜି ୱାସିଂଟନ ଡିସିରେ ଆୟୋଜିତ ଏକ ସମାବେଶରେ ଟ୍ରମ୍ପ ଗତବର୍ଷ ନିର୍ବାଚନ ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସଙ୍କେତ ଦେବା ସହ ତାଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିବସରେ ହିଁ ୨୦୦ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିବେ ବୋଲି ଘୋଷଣା କରିଛନ୍ତି। କ୍ୟାପିଟଲ ଵାନ୍ ଏରେନାରେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍ (ମାଗା)’ ରାଲିରେ ଟ୍ରମ୍ପ୍ କହିଛନ୍ତି ଯେ ଆମେ ଦେଶବାସୀଙ୍କୁ ପ୍ରଥମ ଶ୍ରେଷ୍ଠ ଦିନ, ସବୁଠାରୁ ବଡ଼ ପ୍ରଥମ ସପ୍ତାହ ଏବଂ ଆମେରିକା ଇତିହାସରେ ସବୁଠାରୁ ଅସାଧାରଣ ପ୍ରଥମ ୧୦୦ ଦିନ ଦେବାକୁ ଯାଉଛୁ। ପ୍ରଥମ ଦିବସର କିଛି ଘଣ୍ଟା ମଧ୍ୟରେ ହିଁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ‘ଏକ୍‌ଜିକ୍ୟୁଟିଭ୍ ଆକ୍ସନ’ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ସାଂପ୍ରତିକ ସଂଘର୍ଷଜନିତ ବୈଶ୍ବିକ ସଙ୍କଟ ନେଇ ଟ୍ରମ୍ପ କହିଛନ୍ତି, ମୁଁ ୟୁକ୍ରେନରେ ଯୁଦ୍ଧ ଶେଷ କରିବି, ମଧ୍ୟପ୍ରାଚ୍ୟରେ ବିଶୃଙ୍ଖଳା ବନ୍ଦ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିବି। ଆମେ ଏ ଦିଗରେ ବହୁତ ନିକଟତର ହେଉଛୁ ଏବଂ ଏହାର ସୁଫଳ ବିଶ୍ବ ପାଇବ ବୋଲି ଟ୍ରମ୍ପ କହିଛନ୍ତି।

ପ୍ରଥମ ଦିନରେ ୨୦୦ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବେ
ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ଯୋଜନା ଘୋଷଣା

ଅନୁପ୍ରବେଶ ମାମଲାରେ ଅତି କଠୋର ପଦକ୍ଷେପ ନିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ସମସ୍ତ ବେଆଇନ ସୀମା ଉଲ୍ଲଂଘନକାରୀ କୌଣସି ନା କୌଣସି ବାଟରେ ନିଜ ଘରକୁ ଫେରିବାକୁ ବାଧ୍ୟ ହେବେ। ଆମେ ଆମର ସମ୍ପତ୍ତି ପୁନରୁଦ୍ଧାର କରିବାକୁ ଯାଉଛୁ। ଶୀଘ୍ର ଦେଶର ସୀମା ଉପରେ ପୁନଃ ନିୟନ୍ତ୍ରଣ ହାସଲ କରାଯିବ। ଆମେରିକୀୟ ଇତିହାସରେ ସର୍ବବୃହତ୍ ପ୍ରତ୍ୟର୍ପଣ ଆରମ୍ଭ ହେବ। ତେବେ ହଜାର ହଜାର ବେଆଇନ ପ୍ରବାସୀଙ୍କୁ ହଟାଇବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ଓ ଏହା ବ୍ୟୟବହୁଳ ହେବ। ଆମେ ଆମେରିକା ମାଟିରେ ସକ୍ରିୟ ଥିବା ପ୍ରତ୍ୟେକ ବେଆଇନ ବିଦେଶୀ ଓ ପ୍ରବାସୀ ଅପରାଧୀଙ୍କୁ ବହିଷ୍କାର କରିବୁ ବୋଲି ଟ୍ରମ୍ପ କହିଛନ୍ତି।

ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ମାସ ଧରି ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ଟ୍ରମ୍ପ ଗାଜା ଅସ୍ତ୍ରବିରତି ଚୁକ୍ତିର ଶ୍ରେୟ ନେଇଛନ୍ତି ଏବଂ ଦାବି କରିଛନ୍ତି ଯେ ଯଦି ସେ ସେହି ସମୟରେ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଯୁଦ୍ଧ ହୋଇ ନ ଥାନ୍ତା। ଟ୍ରମ୍ପ କହିଛନ୍ତି, ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଭାବେ ଆମେ ଅସ୍ତ୍ରବିରତି ଚୁକ୍ତି ହାସଲ କରିଛୁ। ରାଲି ସମୟରେ ଟ୍ରମ୍ପ ଟିକ୍‌ଟକ୍‌କୁ ଅନଲାଇନରେ ଫେରାଇ ଆଣିବାର ଶ୍ରେୟ ନେଇଛନ୍ତି। ସେ କହିଛନ୍ତି ଯେ କମ୍ପାନିକୁ କିଣିବା ପାଇଁ ଚୀନ୍ ମାଲିକାନାରେ ଥିବା ଭିଡିଓ ସେୟାରିଂ ଆପ୍‌କୁ ବଞ୍ଚାଇବା ପାଇଁ ଆମେରିକା ନିଲାମକାରୀଙ୍କ ସହ ଏକ ମିଳିତ ଉଦ୍ୟୋଗ କରିବ। ଆମେ ଆମର ବ୍ୟବସାୟ ଚୀନ୍‌କୁ ଦେବାକୁ ଚାହୁନାହୁଁ। ଟିକ୍‌ଟକ୍‌ର ୫୦ ପ୍ରତିଶତ ଅଂଶଧନ ଆମେରିକା ପାଖରେ ରହିବ ବୋଲି ସର୍ତ୍ତରେ ମୁଁ ଟିକ୍‌ଟକ୍‌କୁ ଅନୁମୋଦନ ଦେବାକୁ ରାଜି ହୋଇଥିଲି ବୋଲି ଟ୍ରମ୍ପ କହିଛନ୍ତି। ଏଥି ସହ ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି, ଆମେରିକାର ପୂର୍ବତନ ଆଟର୍ଣ୍ଣି ଜେନେରାଲ ରବର୍ଟ ଏଫ୍ କେନେଡି ଏବଂ ନାଗରିକ ଅଧିକାର ଆଇକନ୍ ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିୟରଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ସମସ୍ତ ଦସ୍ତାବିଜକୁ ସାର୍ବଜନୀନ ଓ ମୁକ୍ତ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button