ରାଜ୍ୟ

ଏକାଦଶାହ ଭୋଜି ଖାଇବାକୁ ଯାଇ ଫେରିଲେନି: ହାଇୱା ଧକ୍କାରେ ଚାଲିଗଲା ଜୀବନ

ବାଲିଅନ୍ତା ବଜାର: ଏକାଦଶାହ ଭୋଜି ଖାଇବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ଭୋଜି ଖାଇବା ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଭୋଜିସ୍ଥଳରୁ ଅନତି ଦୂରରେ ବନ୍ଧୁମାନଙ୍କ ସହ ଠିଆହୋଇଥିବା ବେଳେ ଦ୍ରୁତଗାମୀ ହାଇୱା ତାଙ୍କ ଉପରେ ମାଡ଼ିଗଲା। ଆଜି ରାତିରେ କୁଶଭଦ୍ରା ସେତୁରେ ଘଟିଥିବା ଏହି ଦୁର୍ଘଟଣାର ମୃତକ ହେଲେ କାକରୁଦ୍ରପୁରର ଅମୂଲ୍ୟ କୁମାର ନାଥ(୫୫)। ରାତି ପ୍ରାୟ ୯ଟା ବେଳେ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁରକୁ ସଂଯୋଗ କରୁଥିବା କୁଶଭଦ୍ରା ସେତୁ ଉପରେ ଅମୂଲ୍ୟ ନିଜ ବନ୍ଧୁମାନଙ୍କ ସହ ଠିଆ ହୋଇଥିଲେ। ଆଉ କିଛି ସମୟ ପରେ ସେମାନେ ଏକାଦଶାହ ଭୋଜିରେ ସାମିଲ ହୋଇଥାଆନ୍ତେ। ଏତିକିବେଳେ ଦ୍ରୁତଗାମୀ ହାଇୱା ହଠାତ୍ ସେମାନଙ୍କ ଆଡ଼କୁ ମାଡ଼ିଆସିଥିଲା।

ଅନ୍ୟମାନେ ପାଖେଇ ଯାଇଥିଲେ ହେଁ ହାଇୱା ସିଧାସଳଖ ଅମୂଲ୍ୟଙ୍କୁ ପିଟିଥିଲା। ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ ଏବଂ ପରେ ହାଇୱା ତାଙ୍କ ଗୋଡ଼ ଉପରେ ମାଡ଼ି ପଳାଇଥିଲା। ଉପସ୍ଥିତ ଲୋକେ ହାଇୱାକୁ ପିଛା କରି ଅଟକାଇବା ସହ ଚାଳକକୁ ବହେ ଛେଚିଥିଲେ। ଏପଟେ ଅମୂଲ୍ୟଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅମୂଲ୍ୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କାକରୁଦ୍ରପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କୁ କ୍ଷତିପୂରଣ ମିଳିବା ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଏଥିସହିତ ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ହାଇୱା ଚଳାଚଳ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ବାଲିଅନ୍ତା ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button