ରାଜ୍ୟ

ଅନ୍ଧାରୁଆରେ ଟିପି ସ୍କିମ୍ ଜନଶୁଣାଣି: ଡାକରେ ଚିଠି, ମାଲିକ ଜାଣିପାରିଲେନି

ଭୁବନେଶ୍ୱର: ବିଡିଏର ପ୍ରସ୍ତାବିତ ‘ଟିପି-୮’ ଅନ୍ଧାରୁଆ ପ୍ରକଳ୍ପରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ବିଡିଏ କର୍ତ୍ତୃପକ୍ଷ ଓ ସରକାରୀ ଅଧିକାରୀଙ୍କ ସହ ଅନ୍ଧାରୁଆ, ଦାସପୁର ଗ୍ରାମର ଜମି ମାଲିକଙ୍କ ସହ ଆଲୋଚନା ହୋଇଥିଲା। ତେବେ ଜମିମାଲିକମାନଙ୍କୁ ସାଧାରଣ ଡାକ ଜରିଆରେ ଶୁଣାଣି ବାବଦରେ ଚିଠି ଦିଆଯାଇଥିବାରୁ ଅନେକଙ୍କ ପାଖରେ ପହଞ୍ଚି ନାହିଁ। ଫଳରେ ମାଲିକମାନଙ୍କ ମଧ୍ୟରେ ରହିଥିବା ଦ୍ବନ୍ଦ୍ବର ସମାଧାନ ହୋଇ ପାରିନାହିଁ। ପୂର୍ବରୁ ଏଭଳି ଏକ ଶୁଣାଣିରେ ଲୋକମାନେ ଅଧିକାରୀଙ୍କୁ ଘେରି ଯାଇଥିଲେ। ଚନ୍ଦକା ଥାନା ପୁଲିସ ସହାୟତାରେ ଅଧିକାରୀ ମୁକୁଳିଥିଲେ। ଏଣୁ ଭୟରେ ଏ ବାବଦରେ ସମସ୍ତଙ୍କୁ ସୂଚନା ଦିଆଯାଇ ନଥିବା କୁହାଯାଉଛି।

ଲୋକଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି, ଯେଉଁଠି ପୂର୍ବରୁ ରାସ୍ତା ଓ ଘର ଅଛି ସେ ସବୁ ଜାଗାକୁ ଏହି ସ୍କିମ୍‌ରେ ସାମିଲ୍ କରିଦିଆଯାଇଛି। ଏ ନେଇ ଜମି ମାଲିକ ତଥା ବିଜେପି ନେତା ଜୟନ୍ତ କୁମାର ଜେନା କହିଛନ୍ତି, ଜମିମାଲିକମାନଙ୍କୁ ସାଧାରଣ ଡାକରେ ସୂଚନା ଦିଆଯାଇଛି। ଫଳରେ ଅର୍ଦ୍ଧାଧିକ ଜମିମାଲିକ ଆସିନାହାନ୍ତି। ଆଉ ଏକ ବଡ଼କଥା ହେଉଛି ଯେଉଁ ଜମିକୁ ବାଟ ନଥିଲା ବା ଦୀର୍ଘ ଦିନ ହେବ ବିକାଶ ହେବାର ନଥିଲା ସେ ସବୁ ଜମି ଏହି ସ୍କିମ୍‌ରେ ଦିଆଯିବା କଥା। କିନ୍ତୁ ଯେଉଁଠି ପୂର୍ବରୁ ରାସ୍ତା ଅଛି, କୋଠା ଘର ଅଛି ତାହାକୁ ସ୍କିମ୍‌ରେ ସାମିଲ୍ କରାଯାଇଛି। ଯୋଜନା କରିବା ପୂର୍ବରୁ ଏ ସବୁକୁ ଦେଖିବାର ଥିଲା। ଏବେ କହୁଛନ୍ତି ଲେଖିକି ଦିଅ। କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ ଏନ. ତିରୁମାଲା ନାଏକ ଅଧ୍ୟକ୍ଷତା କରିଥିବା ବେଳେ, ଡେପୁଟି କମିସନର (ଟିପି) ଭବତରଣ ସାହୁ, ଲ୍ୟାଣ୍ଡ ଅଫିସର ସିପକ କୁମାର ପାତ୍ର, ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ବିଡିଓ ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ତହସିଲଦାର ସିଦ୍ଧାର୍ଥ ଗୌରବ ପରିଡ଼ା, ଏଟିପି ମାନସୀ ମହାନ୍ତି ଓ ଅନ୍ଧାରୁଆ ସରପଞ୍ଚ ସ୍ୱର୍ଣ୍ଣଲତା ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ସମୁଦାୟ ୯ ଗୋଟି ମୌଜାର ସହଜପୁର, ନାରଗୋଦା, ପାଇକରାପୁର, ନୂଆଗାଁ, ତମାଣ୍ଡୋ, ବିଜିପୁର, ସିଜିପୁଟ ଆଦି ଅଞ୍ଚଳରେ ସରିଥିବା ଟିପି ଯୋଜନା ୧, ୨, ୩ ଓ ୪ ବାବଦରେ ଡେପୁଟି କମିସନର ଶ୍ରୀ ସାହୁ ସୂଚନା ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳ ଦେଇ ଯିବାକୁ ଥିବା ରିଂ-ରୋଡ, ଓଡିଏ ଆକ୍ଟ-୧୯୮୨ ଅନୁଯାୟୀ ୩୦ ଜାନୁଆରି ୨୦୨୪ରେ ପ୍ରସ୍ତୁତ ହୋଇଥିବା ଟିପି-୮ ସ୍କିମର ପ୍ରସ୍ତାବିତ ପ୍ରକଳ୍ପ ଉପରେ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇଥିଲେ। ବୈଠକରେ ଜମିମାଲିକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଅଧିକାରୀ। ଏହି ପ୍ରକଳ୍ପ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ଲୋକଙ୍କ ପାଇଁ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ୨୦୧୦ ସିଡିପି (କମ୍ପ୍ରେହେନସିଭ୍‌ ଡେଭଲପମେଣ୍ଟ ପ୍ଲାନ) ଅନୁଯାୟୀ, ଭୁବନେଶ୍ୱରରେ ୬୪.୦୯ କିମିର ରିଂ-ରୋଡ ପ୍ରସ୍ତାବ ରହିଛି। ୫୮ ରାଜସ୍ବ ଗ୍ରାମରେ ୪୫ଟି ଟିପି ସ୍କିମକୁ କାର୍ଯ୍ୟକାରୀ କରିବା ନେଇ ବିଡିଏ ଭିତ୍ତିଭୂମି ପ୍ରସ୍ତୁତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button