ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା: ୧୨ ବର୍ଷ ପରେ ଆସିବ ରାୟ, ବିବିଏ ଛାତ୍ର ସମେତ ୪ ଖେଳିଥିଲେ ରକ୍ତର ହୋଲି

ଭୁବନେଶ୍ବର: ୨୦୧୨ ସେପ୍ଟେମ୍ବର ୧୪ ତାରିଖ ସକାଳୁ ସକାଳୁ ରାଜଧାନୀରେ ଖେଳିଯାଇଥିଲା ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ରାତିରେ ଅର୍ଥାତ୍ ୧୩ ତାରିଖ ରାତିରେ ଆଚାର୍ଯ୍ୟବିହାରରେ ରହୁଥିବା ଏକ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ସେମାନଙ୍କ ଘରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଲୋମଟାଙ୍କୁରା ତଥା ଛାତିଥରା ହତ୍ୟାକାଣ୍ଡକୁ ନେଇ ସେଦିନ ପୂରା ସହର ଏକପ୍ରକାର ଦୋହଲି ଯାଇଥିଲା। ହତ୍ୟାକାରୀମାନଙ୍କୁ ଠାବ କରିବା ଲାଗି କମିସନରେଟ୍ ପୁଲିସ ପାଇଁ ଥିଲା ବଡ଼ ଆହ୍ବାନ। ତିନି ତିନିଟି ଟିମ୍ ପ୍ରାୟ ଗୋଟିଏ ସପ୍ତାହ କସରତ କରିବା ପରେ ଧରାପଡ଼ିଥିଲେ ୪ ହତ୍ୟାକାରୀ। ରାଜଧାନୀରେ ଏକ ଘରୋଇ କଲେଜରେ ବିବିଏ ପଢ଼ୁଥିବା ଜଣେ ଅଣଓଡ଼ିଆ ଛାତ୍ର ଥିଲା ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ଏହା ଭିତରେ ୧୨ ବିତିଯାଇଛି। ମାମଲାର ଶୁଣାଣି ସରିଛି। ଆସନ୍ତା ୨୮ ତାରିଖରେ ପ୍ରତୀକ୍ଷିତ ରାୟ ପ୍ରକାଶ ପାଇବ। ବୃଦ୍ଧ ଦମ୍ପତିଙ୍କୁ ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ କୋର୍ଟ କି ଦଣ୍ଡାଦେଶ ଶୁଣାଉଛନ୍ତି, ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ବରିଷ୍ଠ ନାଗରିକ ଦମ୍ପତି କୁଞ୍ଜବିହାରୀ ପାଣିଗ୍ରାହୀ ଓ ତାଙ୍କ ସହଧର୍ମିଣୀ ଜ୍ୟୋସ୍ନା ପାଣିଗ୍ରାହୀ ନିଜ ଘରେ ଏକ ମେସ୍ ଚଳାଉଥିଲେ। ପାଖାପାଖି ୯୦ ଅନ୍ତେବାସୀ ଏହି ମେସ୍ରେ ରହୁଥିଲେ। ବେଶ୍ ଭଲ ପେନ୍ସନ୍ ପାଉଥିବା ଏହି ଦମ୍ପତି ମେସ୍ରୁ ମଧ୍ୟ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ। ତେଣୁ ଏହି ଦମ୍ପତିଙ୍କୁ ଲୁଟ୍ କରିପାରିଲେ ବିପୁଳ ଗହଣା ଓ ଟଙ୍କା ମିଳିବ ବୋଲି ହତ୍ୟାକାରୀମାନେ ଯୋଜନା କରିଥିଲେ। ଅଣଓଡ଼ିଆ ବିବିଏ ଛାତ୍ର ବିଜୟ ଯାଦବ ରଚନା କରିଥିଲା ଷଡ୍ଯନ୍ତ୍ର। ମହାରାଜା ସିନେମା ହଲ୍ ନିକଟରେ ପାନ ଦୋକାନ କରିଥିବା ବୁଟୁ ଜେନା ଦମ୍ପତିଙ୍କ ଘର ଉପରେ ନଜର ରଖି ବିଜୟକୁ ସବୁ ସୂଚନା ଦେଇଥିଲା। ଘଟଣା ଦିନ ବିଳମ୍ବିତ ରାତିରେ ବିଜୟ, ତା’ର ଅନ୍ୟ ଦୁଇ ବନ୍ଧୁ ପ୍ରିୟରଞ୍ଜନ ପତି, ରଞ୍ଜିତ ଜେନା ଓ ପାନଦୋକାନୀ ବୁଟୁ ଦମ୍ପତିଙ୍କ ଘରେ ପଶିଥିଲେ। ପଛ ପାଚେରି ଡେଇଁ ପଶିବା ପରେ ସେମାନେ ଶିଡ଼ିରେ ଚଢ଼ି ଉପର ମହଲାକୁ ଯାଇଥିଲେ। ସେମାନେ ଏକକାଳୀନ କୁଞ୍ଜବିହାରୀ ଓ ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଗୁରୁତର କରିପକାଇଥିଲେ। କୁଞ୍ଜବିହାରୀ ଚଟାଣରେ ଟଳି ପଡ଼ିଥିଲେ। ସେମାନେ ଜ୍ୟୋତ୍ସ୍ନାଙ୍କ ବେକରେ କେବୁଲ୍ ତାର ଗୁଡ଼ାଇ ଟାଣି ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ନିଶ୍ଚଳ ହୋଇଯିବା ପରେ ସେମାନେ ଗହଣା, ଲାପ୍ଟପ୍, ମୋବାଇଲ୍ ଆଦି ଲୁଟି ପଳାଇଥିଲେ। ପରଦିନ ସକାଳୁ ଦମ୍ପତିଙ୍କ ଘରୋଇ ସହାୟିକା ଭାନୁମତି ଏହା ଦେଖିବା ପରେ ଘଟଣା ଜଣାପଡ଼ିଥିଲା। ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଜ୍ୟୋତ୍ସ୍ନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ କୁଞ୍ଜବିହାରୀ କୋମାକୁ ଚାଲିଯାଇଥିଲେ। କିଛି ଦିନ ପରେ ସେ ବି କୋମାରେ ଥାଇ ପ୍ରାଣ ହରାଇଲେ।




