ରାଜ୍ୟ

ରାତିଅଧରେ ଏଟିଏମ୍‌ ତାଡ଼ିନେଲେ: ଗଙ୍ଗୁଆରେ ଫିଙ୍ଗିଲେ ମେସିନ୍‌

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ଲେନ୍‌-୧୦ରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ହୋଇଛି। ଟଙ୍କା ଲୁଟିବା ପରେ ସଂପୃକ୍ତ ମେସିନ୍‌କୁ ଗଙ୍ଗୁଆ ନାଳରେ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଛନ୍ତି। ତେବେ ଲୁଟ୍‌ରେ ବ୍ୟବହାର ହୋଇଥିବା ଡାଲା ଅଟୋକୁ ଦୁର୍ବୃତ୍ତମାନେ ଛାଡ଼ି ପଳାଇଥିବା ବେଳେ ପୁଲିସ୍‌ ଏହାକୁ ଜବତ କରିଛି। ଅଧିକ ତଦନ୍ତ ପାଇଁ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଟିଏମ୍‌ ଲାଗିଥିବା ଘର ମାଲିକ କୃଷ୍ଣଚନ୍ଦ୍ର ବଟୁ କହିଛନ୍ତି, ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ କୁକୁର ଜୋର୍‌ରେ ଭୁକୁଥିଲେ। ଏହି ସମୟରେ ଲୁଟ୍‌ ହୋଇଥିବା ସେ ଅନୁ‌ମାନ କରିଛନ୍ତି। ସିସିଟିଭି ଫୁଟେଜ୍‌ରୁ ଜଣାପଡୁଛି ଯେ, କମଳା ରଙ୍ଗର ଟୋପି ପିନ୍ଧି ୪ରୁ ୫ଜଣ ଦୁର୍ବୃତ୍ତ ପ୍ଲାସ୍‌, ଶାବଳ ଧରି ଏଟିଏମ୍‌କୁ ତାଡ଼ିଛନ୍ତି।

ଗଙ୍ଗୁଆରେ ଫିଙ୍ଗିଲେ ମେସିନ୍‌
ବ୍ୟବହୃତ ଡାଲା ଅଟୋ ଜବତ

ପରେ ଡାଲା ଅଟୋ ସହାୟତାରେ ମେସିନ୍‌କୁ ତାଡ଼ିନେଇ ପଳାଉଛନ୍ତି। ଯାହାକୁ ନେଇ ରାତି ୪ଟାରୁ ଏସ୍‌ବିଆଇ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ପ୍ରାଥମିକ ଭାବେ ଜଣାପଡ଼ି ନଥିବା ପୁଲିସ୍‌ କହିଛି।

ସ୍ଥାନୀୟ ବାସିନ୍ଦା ଭବାନୀ ଶଙ୍କର ସାହୁ କହିଛନ୍ତି, ଅଞ୍ଚଳରେ ପୁଲିସ୍‌ ପାଟ୍ରୋଲିଂର ଅଭାବ ରହିଛି। ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଗଳିକନ୍ଦିରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଯାଇଛି। ଚୋରା ମଦ କାରବାରଠୁ ଆରମ୍ଭ କରି ଡ୍ରଗ୍ସ ବେପାର ମଧ୍ୟ ହେଉଛି। ଫଳରେ ଲୋକେ ବାହାରକୁ ଆସି କାହାକୁ କିଛି କହିବାକୁ ଡରୁଛନ୍ତି। ତେଣୁ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନ ଏହା ଉପରେ ଧ୍ୟାନ ଦେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ୪ବର୍ଷ ପୂର୍ବରୁ ଉକ୍ତ ଏଟିଏମ୍‌ରୁ ବ୍ୟାଟେରିକୁ ଦୁର୍ବୃର୍ତ୍ତମାନ ଚୋରିକରି ନେଇଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button