ରାଜ୍ୟ

ପୁଣି ଝୁଲିଲା କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର: ବିଏମ୍‌ସିର କୁକୁର ବନ୍ଧ୍ୟାକରଣକୁ ନେଇ ବିବାଦ ଥମିବା ନାଁ ଧରୁନି। ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌ (ପିଆରସି) ଅଭାବରୁ କାର୍ଯ୍ୟକ୍ରମ ବନ୍ଦ ହେବା ପରେ ବିଏମ୍‌ସି ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରୁଥିଲା। ଏହାର ପ୍ରି ବିଡ୍‌ ବୈଠକ ଗତ ୨୨ ତାରିଖରେ ଥିଲା। କିନ୍ତୁ କେହି ଆବେଦନ କରିନଥିବାରୁ ଏହାକୁ ବାତିଲ କରାଗଲା। ଫଳରେ ବନ୍ଧ୍ୟାକରଣ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲିରହିଲା।

ପ୍ରାୟ ୧୫ ଦିନ ତଳୁ ୪ ଜଣ ଡାକ୍ତର ବିଏମ୍‌ସିରେ ଯୋଗଦେଇଛନ୍ତି। କିନ୍ତୁ ବିଏମ୍‌ସି ଠିକା ସଂସ୍ଥା ଜରିଆରେ ବନ୍ଧ୍ୟାକରଣ କରିବାକୁ ଟେଣ୍ଡର କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୌରସଂସ୍ଥା ନିଜେ ବନ୍ଧ୍ୟାକରଣ କରୁଛନ୍ତି। କିନ୍ତୁ ବିଏମ୍‌ସି ପିଆର୍‌ସି ସଂଗ୍ରହ କରି କାହିଁକି ବନ୍ଧ୍ୟାକରଣ କରୁନାହିଁ? ଯଦି ଠିକା ସଂସ୍ଥାଙ୍କ ଜରିଆରେ ବନ୍ଧ୍ୟାକରଣ କରିବାର ଥିଲା ତେବେ ୪ ଜଣ ଡାକ୍ତର କାହିଁକି ଡେପୁଟେସନରେ ଆଣିଲେ ସେ ନେଇ ପ୍ରଶ୍ନ ଉଠିଛି। ଅପାରଗ ଅଧିକାରୀଙ୍କର ଏଭଳି ବିଚିତ୍ର ଚିନ୍ତା କେବଳ ବନ୍ଧ୍ୟାକରଣକୁ ପ୍ରଭାବିତ କରିନାହିଁ ବରଂ ବିଏମ୍‌ସି ପାଣ୍ଠିରୁ ଡାକ୍ତରଙ୍କ ପିଛା ଖର୍ଚ୍ଚ ହେବାକୁ ଥିବା ଅର୍ଥ ବରବାଦ କରୁଛି। ପିଆର୍‌ସି ନମିଳିବାରୁ ଗତ ବର୍ଷ ମେ’ ମାସରୁ ବନ୍ଧ୍ୟାକରଣ ବନ୍ଦ ରହିଛି। କିନ୍ତୁ ଏହାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଠିକାସଂସ୍ଥା ଚୟନ କରିବାକୁ ବିଏମ୍‌ସି ଚଳିତ ମାସ ୧୭ ତାରିଖରୁ ବିଜ୍ଞାପନ ପ୍ରକାଶ କରିଛି।

ଏଥିରେ ଏଥିରେ ଡାକ୍ତର, କୁକୁର ଧରିବା ପାଇଁ କର୍ମଚାରୀ, ଅପରେସନ ପୂର୍ବରୁ ଓ ପରେ କୁକୁରଙ୍କର ସମସ୍ତ ଯତ୍ନ ନେବାପାଇଁ ଠିକାସଂସ୍ଥା ସହ ଚୁକ୍ତି ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ବିଏମ୍‌ସି ସରକାରଙ୍କୁ ଡାକ୍ତରପାଇଁ ଚିଠି ‌ଲେଖିବାରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ୪ ଜଣ ଡାକ୍ତରଙ୍କୁ ବିଏମ୍‌ସି ପଠାଇଛି। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାସ୍ତାଘାଟରୁ ବୁଲା କୁକୁରଙ୍କୁ ଅଣାଯାଇ ମଞ୍ଚେଶ୍ବର ବନ୍ଧ୍ୟାକରଣ କେନ୍ଦ୍ରରେ ରଖାଯାଉଥିଲା। ଏବେ ଉତ୍କର୍ଷ ଓଡ଼ିଶା ପାଇଁ ପୁଣି କୁକୁର ଧରାଯାଉଛି। ଏହି ଡାକ୍ତରମାନେ ଏବେ ଏହି କୁକୁରଙ୍କ ଯତ୍ନ ନେଉଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସରିବା ପରେ କୁକୁରଙ୍କୁ ଛାଡ଼ି ଦିଆଯିବ। ସେତେବେଳେ ଏହି ଡାକ୍ତରମାନେ ବସି ରହିବେ। ଯଦି ଅପରେସନ ହେବା ଭଳି ସୁଯୋଗ ନାହିଁ ତେବେ ଡାକ୍ତରଙ୍କୁ କାହିଁକି ଅଣାଯାଇଥିଲା ବୋଲି ପ୍ରଶ୍ନ ଉଠିଛି। ଅଧିକାରୀଙ୍କର ଏଭଳି ଉଦ୍ଭଟ ଚିନ୍ତା ଏବେ ବିଏମ୍‌ସକୁ କେବଳ ଖର୍ଚ୍ଚାନ୍ତ କରିନାହିଁ ବରଂ କୁକୁରଙ୍କ ପାଇଁ ଜନଜୀବନ ପ୍ରଭାବିତ ହେଉଛି। ତେବେ ଟେଣ୍ଡର ପକାଇବାକୁ ଶେଷ ତାରିଖ ଫେବ୍ରୁଆରି ୬ ଥିବାରୁ ଠିକା ସଂସ୍ଥା ଆସିପାରନ୍ତି ବୋଲି ବିଏମ୍‌ସି ଆଶା ବାନ୍ଧିଛି।

Related Articles

Leave a Reply

Your email address will not be published. Required fields are marked *

Back to top button