ରାଜ୍ୟ

‘ସମ୍ବାଦ’ ଭବନ ପରିଦର୍ଶନ କଲେ ‘ସିଲ୍‌’ ପ୍ରତିନିଧି

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅନ୍ତଃରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମ (ସିଲ୍‌) ଆରମ୍ଭ ହୋଇଛି। ଏହି ଅବସରରେ ଆସାମ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାରୁ ଭୁବନେଶ୍ୱରକୁ ଆସିଥିବା ୨୯ ଜଣ ବିଦ୍ୟାର୍ଥୀ ଆଜି ‘ସମ୍ବାଦ ଭବନ’ ପରିଦର୍ଶନ କରିଛନ୍ତି। ଦଶମରୁ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ୍‌ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ସମ୍ବାଦ ଭବନ’ରେ ଥିବା ‘ରେଡିଓ ଚକଲେଟ୍‌’, ‘କନକ ନ୍ୟୁଜ୍‌’ ବୁଲି ଦେଖିଥିଲେ। ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ‌ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ବିତାଇବା ବେଳେ କହିଥିଲେ, ‘‘ଉତ୍ତର ପୂର୍ବାଞ୍ଚଳ ସବୁବେଳେ ସମସ୍ତଙ୍କ ପ୍ରିୟ ସ୍ଥାନ ରହିଆସିଛି। ସେମାନଙ୍କ ଖାଦ୍ୟ, ପରିପାଟୀ ଯେତିକି ସୁନ୍ଦର ତାଙ୍କ ସଂସ୍କୃତି ଓ ପରମ୍ପରା ସେତିକି ବୃହତ୍‌। ସେମାନଙ୍କଠାରୁ ପରିବେଶ ରକ୍ଷା, ପ୍ରକୃତିକୁ ଭଲ ପାଇବ‌‌ା ଭଳି ଶିକ୍ଷା ସମସ୍ତେ ନେବ‌ା ଆବଶ୍ୟକ।’’ ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ଗଣମାଧ୍ୟମ‌ର ଭୂମିକା, ଏଆଇ ଆସିବା ପରେ ଗଣମାଧ୍ୟମକୁ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ବାଧା ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଏବିଭିପିର ରାଷ୍ଟ୍ରୀୟ ସହସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ, ଅଖିଳ ଭାରତୀୟ ଜନଜାତି ପ୍ରମୁଖ ପ୍ରମୋଦ ରାଉତ, ଓୟୁଏଟି ଅଧ୍ୟାପକ ମହେନ୍ଦ୍ର ମହାନ୍ତି, ଏବିଭିପିର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ବୁଦ୍ଧଦେବ ବାଘ, ‘ସିଲ୍‌’ ଟୁର୍‌ ସଂଯୋଜକ ଅରିଜିତ୍‌ ପଟ୍ଟନାୟକ, ଓଡ଼ିଶା ପୂର୍ବ ପ୍ର‌‌ାନ୍ତ ସମ୍ପ‌‌ାଦକ ଦୀପ୍ତିମୟୀ ପ୍ରତିହାରୀ ପମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ପ୍ରତ୍ୟେକ ବିଦ୍ୟାର୍ଥୀ ଆସନ୍ତା ୩ ଦିନ ଭୁବନେଶ୍ବରରେ ଗୋଟିଏ ଗୋଟିଏ ପରିବାର ସହ ରହିବେ। ଏହି ଦିନଗୁଡ଼ିକରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି କୁଳପତିଙ୍କ ସହ ଆଲୋଚନା କରିବେ ଏବଂ ଓଡ଼ିଶାର ଐତିହ ସ୍ଥଳ ପରିଦର୍ଶନ କରିବେ। ଆସନ୍ତା ୨୬ ତାରିଖ ସନ୍ଧ୍ୟା ୬ଟାରେ ଏବିଭିପି ମହାନଗର ପକ୍ଷରୁ ଏକ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଏହି ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି କାର୍ଯ୍ୟକ୍ରମ ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କୁ ‘ଭାରତ ଏକ ପରିବାର’ର ବିଶ୍ୱାସ ଓ ଅନୁଭବ ଦେବ। ଏହି କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟର ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଇବା ପାଇଁ ୧୯୬୬ ମସିହାରୁ ଆୟୋଜିତ ହୋଇଆସୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button