IBN ଓଡ଼ିଶା ବ୍ୟୁରୋ

ଆମେରିକା ସୁପ୍ରିମ୍‌କୋର୍ଟଙ୍କ ରାୟ: ୨୬/୧୧ ଅଭିଯୁକ୍ତ ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ଅନୁମତି

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ଆମେରିକାର ସୁପ୍ରିମ୍‌କୋର୍ଟ ମଞ୍ଜୁରି ଦେଇଛନ୍ତି। ମୁମ୍ବାଇର ଏକାଧିକ ସ୍ଥାନକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ଭୂମିକା ଥିବା ଅଭିଯୋଗରେ ପାକିସ୍ତାନୀ ବଂଶୋଦ୍ଭବ କାନାଡା ନାଗରିକ ରାଣା ଭାରତୀୟ କର୍ତ୍ତୃପକ୍ଷଙ୍କ ମୋଷ୍ଟ୍‌ ୱାଣ୍ଟେଡ ତାଲିକାରେ ରହିଛି। ୬୩ ବର୍ଷୀୟ ରାଣାକୁ ଲସ୍ ଏଞ୍ଜେଲସ ଜେଲରେ ରଖାଯାଇଛି। ଏଫ୍‌ବିଆଇ ୨୦୦୯ରେ ରାଣାକୁ ସିକାଗୋରୁ ଗିରଫ କରିଥିଲା। ସେ ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲି ସହ ଜଡ଼ିତ, ଯିଏ କି ଏହି ଆକ୍ରମଣର ପ୍ରମୁଖ ବ୍ୟକ୍ତିତ୍ୱ ‘ଦାଉଦ ଗିଲାନି’ ନାମରେ ମଧ୍ୟ ପରିଚିତ। ହେଡ଼ଲି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆମେରିକାରେ ୩୫ ବର୍ଷ ଜେଲ୍ ଦଣ୍ଡ ଭୋଗୁଛି।

ଆମେରିକା ସୁପ୍ରିମ୍‌କୋର୍ଟରେ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିବାର କିଛି ସପ୍ତାହ ପରେ ତହବ୍ବୁର ରାଣାର ଆବେଦନ ଖାରଜ ହେବା ସହ ତାକୁ ଭାରତ ପ୍ରତ୍ୟର୍ପଣ ପାଇଁ ବାଟ ଖୋଲିଛି। ରାଣା ତା’ର ଆବେଦନରେ ଦର୍ଶାଇଛି ଯେ ମୁମ୍ବାଇ ଆକ୍ରମଣ ସଂକ୍ରାନ୍ତ ଅଭିଯୋଗରେ ଉତ୍ତର ଇଲିନୋଇସ୍ (ସିକାଗୋ)ର ଫେଡେରାଲ କୋର୍ଟରେ ବିଚାର କରାଯାଇ ତାକୁ ଦୋଷମୁକ୍ତ କରାଯାଇଛି। ସମାନ ଅଭିଯୋଗରେ ତାକୁ ଦ୍ୱିତୀୟ ଶୁଣାଣି ପାଇଁ ଭାରତ ପଠାଯାଇପାରେ, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବା ଓ ମୃତ୍ୟୁଦଣ୍ଡ ପାଇବା ସମ୍ଭାବନା ରହିଛି। ନିମ୍ନ ଓ ସଂଘୀୟ ଅଦାଲତରେ ପରାଜିତ ହେବା ପରେ ରାଣା ସାନ୍ ଫ୍ରାନ୍ସିସ୍କୋସ୍ଥିତ ଆମେରିକାର କୋର୍ଟ ଅଫ୍ ଅପିଲ୍ସର ଦ୍ୱାରସ୍ଥ ହୋଇଥିଲା। ଡିସେମ୍ବର ୧୬ରେ ଆମେରିକାର ସଲିସିଟର ଜେନେରାଲ ଏଲିଜାବେଥ ବି ପ୍ରେଲୋଗର ସୁପ୍ରିମ୍‌କୋର୍ଟଙ୍କୁ ରାଣାର ଆବେଦନ ଖାରଜ କରିବାକୁ ଅନୁରୋଧ କରିଥିଲେ। ଡିସେମ୍ବର ୨୩ରେ ତାଙ୍କ ଓକିଲ ଜୋସୁଆ ଏଲ୍ ଡ୍ରାଟେଲ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିବା ସହ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଥିଲେ। ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button